ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ୍ ସେବା, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍ ବ୍ୟୁରୋ: ତିନି ଦିନର ବିରତି ପରେ ଆଜି ପୁଣି ସରଗରମ ହେଇଛି ବିଧାନସଭା। ଆଜି ଗୃହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ୧୨.୧୫ ପର୍ୟ୍ୟନ୍ତ ଗୃହକୁ ମୁଲତବି ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା।
ପ୍ରଶ୍ନକାଳରେ ବିଧାନସଭାରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ଏବେ ଯାଏଁ କେଉଁ କେଉଁ ବ୍ଲକର କେଉଁ ପଞ୍ଚାୟତରେ ମୋବାଇଲ ଓ ଟେଲିଫୋନ୍ ସେବା ଅପହଞ୍ଚ ଅଛି? ଏହାସହ ସେହି ଅଞ୍ଚଳରେ ମୋବାଇଲ ଟେଲିଫୋନ୍ ସେବା ଯୋଗେଇବା ପାଇଁ ସରକାରଙ୍କ ଯୋଜନା କଣ?
ଏହାର ଉତ୍ତର ଦେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୫୧ ହଜାର ୧୭୬ଟି ଗାଁ ଭିତରୁ ୨୬୦୩ ଗାଁରେ ମୋବାଇଲ୍ ସେବା ଉପଲବ୍ଧ ନାହିଁ। ତେବେ ଏହି ସବୁ ଗ୍ରାମକୁ ମୋବାଇଲ ସେବା ଯୋଗେଇଦେବା ପାଇଁ ପ୍ରାୟ ୪୨୧୦ଟି ମୋବାଇଲ୍ ଟାଓ୍ୱାର ସ୍ଥାପାନ କରିବାର ପ୍ରସ୍ତାବ ରହିଛି। ଏହା ମଧ୍ୟରୁ ୨୫୭୨ଟି ଟାଓ୍ୱାର କାର୍ଯ୍ୟକ୍ଷମ ହୋଇସାରିଛି। ଜୁନ୍ ୨୦୨୫ ସୁଦ୍ଧା ଅନ୍ୟ ସମସ୍ତ ଟାଓ୍ୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।