Odisha Link
Bridging the Missing Links in Odisha

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା: ବଡ଼ ବୟାନ ଦେଲେ ଆଇନମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରିଛନ୍ତି। ଆଜି ବିରୋଧୀଙ୍କ ପକ୍ଷରୁ ଗୃହରେ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ରଖି ଉପରୋକ୍ତ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଲୋଚନା ଶେଷରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ଯେ, ପୂର୍ବ ସରକାରରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଜରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ପୂର୍ବ ସରକାର ତାଙ୍କୁ ନ୍ୟାୟ ଦେଇପାରିଲେ ନାହିଁ।

ତଦନ୍ତ ପ୍ରକ୍ରିୟାରେ ଅସହମତି ପ୍ରକାଶ କରି ତାଙ୍କ ପରିବାର ଲୋକ ଆମ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପରାଧୀଙ୍କୁ ସମୂଳ ଉତ୍ପାଟନ ପାଇଁ ଯାହା ପଦକ୍ଷେପ ଆବଶ୍ୟକ ଆମ ସରକାର ତାହା ଗ୍ରହଣ କରୁଛନ୍ତି। ଆସନ୍ତା ୫ ବର୍ଷ ପରେ ବିରୋଧୀଙ୍କ ପାଖରେ ଅଭିଯୋଗ କରିବାକୁ ଶବ୍ଦ ନଥିବ।

ଅପରାଧ ଓ ଅପରାଧୀଙ୍କୁ ଧୂଳିସାତ କରିବାକୁ ପୁଲିସ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ହୋଲିରେ ରାଜ୍ୟରେ ମୋଟ ୬ଟି ହତ୍ୟାକାଣ୍ଡ ଘଟିଥିଲା। ୧୫ ତାରିଖରେ ସମସ୍ତ ହତ୍ୟାକାଣ୍ଡ ଘଟିଥିଲା ବେଳେ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ମୋଟ ୧୦ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ରାଜ୍ୟରେ ପୁଲିସ ବିଭାଗରେ ୧୬ ହଜାର ପଦବୀ ଖାଲି ଥିବା ବେଳେ ୬୦୦୦ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.