ମହାପ୍ରଭୁଙ୍କ ରଥଯାତ୍ରାକୁ ମିଳିବ ଐତିହ୍ୟ ମାନ୍ୟତା, ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ

ଓଏଲ୍ ବ୍ୟୁରୋ: ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ (UNESCO) ଦ୍ବାରା ବିଶ୍ବ ସାଂସ୍କୃତିକ ଐତିହ୍ୟ (Intangible Cultural Heritage) ମାନ୍ୟତା ପ୍ରଦାନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ନାମାଙ୍କନ ପତ୍ର ପ୍ରସ୍ତୁତି ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଞ୍ଚି ଥିବା ବେଳେ ଖୁବଶୀଘ୍ର ଏହାକୁ ଦାଖଲ କରାଯିବ। ନିକଟରେ କିଛିଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ ଦିଲ୍ଲୀ ଗସ୍ତ କରିଥିବା ବେଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍ଧି କରି କର୍ତ୍ତୃପକ୍ଷ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଶା ରଖାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ପ୍ରଦାନ କରିଥିଲେ।
ଚଳିତବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ ସୁବିଧାରେ ସୂଚନା ପାଇବା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଡିଜିଟାଲ ଆପ ପ୍ରସ୍ତୁତ କରାଯିବାକୁ ଲକ୍ଷ ରଖାଯାଇଅଛି। ରଥଯାତ୍ରା ସମୟରେ ପ୍ରବଳ ଭକ୍ତଙ୍କ ସମାଗମକୁ ଆଶଙ୍କା ରଖି ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ସ୍ୱତନ୍ତ୍ର ବୈଠକରେ ଏପରି ନିଷ୍ପତି ନିଆଯାଇଅଛି।
ଅନ୍ୟ ପକ୍ଷରେ ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଅକ୍ଷୟ ତୃତୀୟା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି କାନ୍ତି, ଜନଗହଳି ନିୟନ୍ତ୍ରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ସହ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ ରଖିବା ନେଇ ପ୍ରସ୍ତୁତି ଜାରି ରହିଅଛି।
ଅନ୍ୟପଟେ, ଆଗାମୀ ରଥଯାତ୍ରା ଶୃଙ୍ଖଳିତ ଭାବେ ସମାପନ ନେଇ ଆଜି ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ବୈଠକରେ ରଥ କାଠ ଯୋଗାଣ, ବସୁଙ୍ଗା ପାଟ, ଚନ୍ଦନ ଏବଂ କତା ଦଉଡି ମିଳିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ସେହିପରି ଆବଶ୍ୟକୀୟ ରଥ ଦଉଡି ଯୋଗାଣ ନେଇ କତା ନିଗମ ସହ ଶ୍ରୀମମଦିର ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ଜଣାପଡିଛି।ଆବଶ୍ୟକୀୟ ବସୁଙ୍ଗା ପାଟ ଓ ଚନ୍ଦ ମହଜୁଦ ରହିଥିବା ବେଳେ ରଥଯାତ୍ରା ପୂର୍ବରୁ ଠିକ ସମୟରେ ବାକି ରଥ କାଠ ପହଂଚିବା ନେଇ ବନ ବିଭାଗକୁ ଦାୟିତ୍ୱ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢ଼ୀ ବୈଠକ ପରେ ସୂଚନା ପ୍ରଦାନ କରିଛନ୍ତି।