ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣା: ବିଜେପି କହିଲା ଏଭଳି କଥା…

ଓଏଲ୍ ବ୍ୟୁରୋ: ଏପ୍ରିଲ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଶ୍ରାଦ୍ଧ ଦିବସ। ଏହାର ୨ ଦିନ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ଏସବୁ ମଧ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି।
ବିଜୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିନ୍ଦା କରିଛନ୍ତି। ଗଭୀର ଦୁଃଖ ପ୍ରକାଶ ସହ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ନିଶ୍ଚିତ ହୀନ ଓ ରୁଗ୍ଣ ମାନସିକତାର ହୋଇଥିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୫ରେ ଜୟନ୍ତୀ ପାଳିଥିଲୁ, ଏପ୍ରିଲ ୧୭ରେ ଶ୍ରାଦ୍ଧ ଦିବସ ପାଳିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେପଟେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ ଓ ଧ୍ରୁବ ସାହୁ ମିଳିତ ଭାବେ ପ୍ରେସମିଟ୍ କରି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜୁ ବାବୁଙ୍କ ନାଁକୁ ଲିଭାଇଦେବା ପାଇଁ ବିଜେପି ସରକାର ପ୍ରତି କ୍ଷେତ୍ରରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛି ବିଜେଡି। ତୁରନ୍ତ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ମାର୍ଚ୍ଚ ୫ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ମାହାଙ୍ଗାରେ ପ୍ରତିମୂର୍ତ୍ତିର ବେକ କାଟି ଦିଆଗଲା। ଆସନ୍ତା ୧୭ରେ ତିରୋଧାନ ଦିବସ ଥିବା ବେଳେ ତା’ ପୂର୍ବରୁ ପ୍ରତିମୂର୍ତ୍ତି ଜାଳି ଦିଆଯାଇଛି। ଏହାକୁ ବିଜେପି ସରକାରଙ୍କ ସୁଚିନ୍ତିତ ଯୋଜନା କହି ବର୍ଷିଛି ବିଜୁ ଜନତା ଦଳ।
ଅନ୍ୟପଟେ ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ପ୍ରତିକ୍ରିୟା ରଖିଛି। ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିକୁ ପୋଡି ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ। ସରକାରଙ୍କ ନିର୍ଦ୍ଦେଶରେ ଭଗବାନ ପର୍ଶୁରାମ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତି ସ୍ଥାପନା କରିବାକୁ ପ୍ରଶାସନିକ ନିଷ୍ପତି ନିଆଯାଇଛି। ମାତ୍ର ଉନ୍ମୋଚନ ହେବା ପୂର୍ବରୁ ପ୍ରତିମୂର୍ତିକୁ ପୋଡିଦେବା ଅତ୍ୟନ୍ତ ନିନ୍ଦନୀୟ। ତ୍ୱରିତ ପଦକ୍ଷେପ ସ୍ୱରୁପ ଘଟଣାରେ ସଂପୃକ୍ତ ଯୁବକ ଯୁଗଲ କୁମାର ସାହୁ (ହୀରୁ)କୁ ତୁରନ୍ତ ଗିରଫ କରାଯାଇ ସରକାର ଓ ପ୍ରଶାସନ ତରଫରୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି। ଏଭଳି ହୀନ ଘଟଣାକୁ ଆଦୈା ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି।
ଅନ୍ୟପଟେ, ପାଟଣାଗଡ଼ ପର୍ଶୁରାମ ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା ଘଟଣାରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରତିମୂର୍ତ୍ତିରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ମାନସିକ ବିକାରଗ୍ରସ୍ତ, ତାଙ୍କ ନାଁ ଯୁଗଳ ସାହୁ। ସମ୍ପୃକ୍ତ ବ୍ୟକ୍ତି ପୂର୍ବରୁ ଏକ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ି କାଣ୍ଡ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୁଲିସ୍ ହେପାଜତରେ ମେଡିକାଲରେ ଚିକିତ୍ସା କରାଯାଉଛି।