Odisha Link
Bridging the Missing Links in Odisha

ଜମ୍ମୁ କଶ୍ମୀର ଆତଙ୍କୀ ଆକ୍ରମଣ: ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ

ଓଏଲ୍‌ ବ୍ୟୁରୋ: ଜମ୍ମୁ କଶ୍ମୀର ପହଲଗାମ ନିକଟରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ। ବର୍ତ୍ତମାନ ସୁଦ୍ଧା ସରକାରୀ ସୂଚନା ଅନୁସାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ସୂଚନା ରହିଛି। ଏଥିରେ ଦୁଇ ଜଣ ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଆହତଙ୍କ ମଧ୍ୟରେ ତିନି ଜଣ ସ୍ଥାନୀୟ ନାଗରିକ ଅଛନ୍ତି। ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରୁ ଶ୍ରୀନଗର ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଥିବା ବେଳେ ଆତଙ୍କୀ ଆକ୍ରମଣ ବିଷୟର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଫୋନରେ କଥା ହୋଇଛନ୍ତି।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଓଡ଼ିଆ ଯୁବକ ଜଣଙ୍କ ଘର ବାଲେଶ୍ୱରର ରେମୁଣାରେ। ତାଙ୍କ ନାମ ପ୍ରଶାନ୍ତ ଶତପଥୀ। ସେ ଜମ୍ମୁ-କଶ୍ମୀରକୁ ପତ୍ନୀ ଓ ପୁଅଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପହଲଗାମର ବୈସାରନ ଭ୍ୟାଲିରେ ରହିଥିଲେ। ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା। ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ଅବଗତ କରାଯାଇଥିବା କିଛି ଗଣମାଧ୍ୟମରେ ଦାବି କରାଯାଇଛି।

ଗୁଇନ୍ଦା ଏଜେନ୍ସି ଅନୁଯାୟୀ, ଏହି ଆକ୍ରମଣରେ ଟିଆରଏଫର ଆତଙ୍କୀ ତଞ୍ଜୀମର ହାତ ଥାଇପାରେ। ଆକ୍ରମଣ ସମୟରେ ଦୁଇରୁ ତିନି ଆକ୍ରମଣକାରୀ ପୁଲିସ/ ଜବାନ ୟୁନିଫର୍ମରେ ଥିଲେ। ଏହି ଆକ୍ରମଣ ପରେ ଅଞ୍ଚଳରେ ସୁରକ୍ଷାବଳ ଜୋରଦାର ସର୍ଚ୍ଚ ଅପରେସନ ଚଳାଇବା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଆରପିଏଫର ଅତିରିକ୍ତ କ୍ଵିକ୍ ରିଆକ୍ସନ ଟିମକୁ ଘଟଣାସ୍ଥଳକୁ ପଠା ଯାଇଛି। ଏହି ସବୁ ମଧ୍ୟରେ ଟିଆରଏଫ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଲସ୍କର ଏ ତୋଇବା ସହ ଜଡ଼ିତ ରହିଥିବା ଏକ ଆତଙ୍କୀ ସଂଗଠନ।

ଆକ୍ରମଣ ହୋଇଥିବା ସ୍ଥାନରେ ସେନା ଯବାନ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ପାହାଡ଼ିଆ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ କଭର୍ କରି ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି ସେନା ଜବାନ। ସୂଚନା ଅନୁସାରେ, ଆହତ ପର୍ଯ୍ୟଟକଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଇ ଦିଆଯାଇଛି। ଆତଙ୍କୀ ଆକ୍ରମଣକୁ ନେଇ ଜମ୍ମୁ କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଏକ୍ସରେ ଲେଖିଛନ୍ତି, ପହଲଗାମରେ ଭର୍ତ୍ତି ହୋଇଥିବା ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଆହତ ପର୍ଯ୍ୟଟକଙ୍କୁ ଜିଏମସି ଅନନ୍ତନାଗକୁ ସ୍ଥାନାନ୍ତର କରାଯାଇଛି। ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।

Leave A Reply

Your email address will not be published.