ଆତଙ୍କବାଦ ବିରୋଧରେ ନୂଆ ରଣନୀତି ଆପଣେଇବାର ସମୟ ଆସିଯାଇଛି: ଅଜିତ
ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଥିଲେ। ସେ ଏହି ବୈଠକରେ ଯୋଗ ଦେଇ ଆତଙ୍କବାଦ ବିରୋକ୍ଷରେ ଲଢ଼ିବା ପାଇଁ ନୂଆ ରଣନୀତି ଆବଶ୍ୟକ ରହିଛି ବୋଲି କହିଛନ୍ତି।
ଏଥିସହିତ ସେ କହିଛନ୍ତି ଯେ, ଆତଙ୍କବାଦ ବିରୋଧରେ ଦେଶର ସେନା, ଏନଆଇଏ, ଆଇବି, ର’ ଭଳି ଅଲଗା ଅଲଗା ସଂସ୍ଥା କାମ କରୁଛନ୍ତି। ହେଲେ ରାଜ୍ୟରେ ଥିବା ଗୁଇନ୍ଦା ସଂସ୍ଥା ଆତଙ୍କବାଦୀଙ୍କୁ ପ୍ରଥମେ ସାମ୍ନା କରୁଛନ୍ତି। ଜମ୍ମୁ କଶ୍ମୀରରେ ଥିବା ଆତଙ୍କବାଦୀ ସଂଗଠନ ଏବେ ଭୁଶୁଡ଼ି ପଡ଼ିଛି। ଆତଙ୍କବାଦୀଙ୍କ ମନି ଲଣ୍ଡରିଂ ମାମଲା ଉପରେ ଏନଆଇ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଯାହାକି ଏନଆଇଏର ସଫଳତା ବୋଲି ଅଜିତ ଡୋଭାଲ କହିଛନ୍ତି।
ଆହୁରି କହିଛନ୍ତି ଯେ, ପାକିସ୍ତାନ ସରକାର ଆତଙ୍କବାଦକୁ ନିଜର ଏକ ଅଂଶ କରିସାରିଛି। ଏବେ ସେହି ଆତଙ୍କବାଦୀ ଭାରତ ବିପକ୍ଷରେ ଲଢ଼ୁଛନ୍ତି। ଭାରତ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ସଫଳ ହୋଇଛି। ଏବେ ଏହି ରଣନୀତିରେ ପରିବର୍ତ୍ତନ କରି ଆତଙ୍କବାଦୀଙ୍କ ଭବିଷ୍ୟତ ଉପରେ ଆକ୍ରମଣ କରିବା ଦରକାର ବୋଲି ସେ କହିଛନ୍ତି। ଯାହାକି ବଡ଼ ଚ୍ୟାଲେଞ୍ଜ ବୋଲି ଡୋଭାଲ ଏନଆଇଏ ବୈଠକରେ କହିଛନ୍ତି।
ଏବେ ଆମେ ଆତଙ୍କବାଦୀଙ୍କ ବର୍ତ୍ତମାନ ସ୍ଥିତି ଉପରେ ଲଢ଼ୁଛୁ। ହେଲେ ତାଙ୍କ ଭବିଷ୍ୟତ ଉପରେ ଲଢ଼ିଲେ ହିଁ ଆତଙ୍କବାଦର ମୂଳୋତ୍ପାଟନ ହୋଇପାରିବ ବୋଲି ସେ କହିଛନ୍ତି। ତେଣୁ ତାଙ୍କ ବିଚାରଧାରା ଉପରେ ଲଢ଼ିବା ଜରୁରୀ ବୋଲି ସେ କହିଛନ୍ତି।
Comments are closed.