Odisha Link
Bridging the Missing Links in Odisha

ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

ଭୁବନେଶ୍ୱର : ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ରାୟଗଡା ଜିଲ୍ଲା ଗସ୍ତରେ ଯାଇ ଆଜି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉଭୟ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ମନ୍ତ୍ରୀ ଦାସ ଏହି ପରିପ୍ରେକ୍ଷୀରେ ଜଳ ସଂପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଦାସ ମଧ୍ୟ ସିଲ୍‌ଟିଗୁଡା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପରିଦର୍ଶନରେ ଯାଇ ଏହାର ଜଳଧାରଣ ସ୍ଥିତି ସଂପର୍କରେ ଅବଗତ ହେବା ସହିତ ଏହି ପ୍ରକଳ୍ପରୁ କିପରି ଅଧିକ ଚାଷୀ ଉପକୃତ ହୋଇପାରିବେ ସେ ସଂପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଜିଲ୍ଲା ସର୍କିଟ୍ ହାଉସ୍‌ଠାରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଉପସ୍ଥିତିରେ ମନ୍ତ୍ରୀ ଦାସ ଜଳ ସଂପଦ, ଜଳ ସେଚନ, ଉଠା ଜଳସେଚନ ଆଦି ବିଭାଗୀୟ ବିଭିନ୍ନ କାର୍ଯ୍ୟ ସଂପର୍କରେ ଆଲୋଚନା କରି ବିଭାଗର ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଅସଂପୂର୍ଣ୍ଣ ପ୍ରକଳ୍ପଗୁଡିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବୃହତ୍‌, ମଧ୍ୟମ, କ୍ଷୁଦ୍ର ଏବଂ ଉଠାଜଳସେଚନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟକାରିତା ସଂପର୍କରେ ମନ୍ତ୍ରୀ ଦାସ ଗୁରୁତ୍ୱ ଦେଇଥିଲେ । ଜିଲ୍ଲାରେ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ବିଭାଗ ପକ୍ଷରୁ ଜଳ ସେଚନର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବା ସଂପର୍କରେ ମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ସମୀକ୍ଷା ବୈଠକରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଶ୍ରୀ ଏନ୍‌.ଭାସ୍କର ରାଓ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ପ୍ରମୁଖ ଯୋଗ ଦେଇ ଜଳ ସଂପଦ ଓ ଜଳ ସେଚନ ସଂପର୍କିତ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ସଂପର୍କରେ ମନ୍ତ୍ରୀ ଶ୍ରୀ ଦାସଙ୍କୁ ଅବଗତ କରାଇବା ସହିତ
ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ମଧ୍ୟ ମନ୍ତ୍ରୀ ଦାସ, ରାୟଗଡା ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଜିଲ୍ଲା ପାଠାଗାରର ଉନ୍ନତି କରଣ ଓ ଇ-ପାଠାଗାର ବ୍ୟବସ୍ଥା ଆଦିର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ସହିତ ଆଲୋଚନା କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ ।

Comments are closed.