ଯୁବ ବ୍ୟବସାୟୀ ପୃଥ୍ବୀରାଜ ଦାସଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ବିନା ପରିଶ୍ରମରେ ଫଳ ଆଶା କରିବା ବୃଥା। ଏକଥାକୁ ଯିଏ ବୁଝିଛି ସେ ଆଜିର ସମୟରେ ସମାଜ ଆଗରେ ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ଭାବେ ଗଣା ହୋଇଛନ୍ତି। ଏପରି ଜଣେ ବ୍ୟକ୍ତିତ୍ବ ଆଜି ଆମ ସ୍ବତନ୍ତ୍ର ଆଳାପର ଅତିଥି। ପେସାରେ ସେ ଜଣେ ସାମାଜିକ ଯୁବ ବ୍ୟବସାୟୀ। ପିଲାଦିନରୁ ସରଳ ଜୀବନ ଯାପନ କରିବା ସହ ମନରେ ଥିଲା ଉଚ୍ଚ ଆକାଂକ୍ଷା। ଯାହା ତାଙ୍କୁ କିଛି ଭିନ୍ନ କରିବାର ପ୍ରେରଣା ଦେଇଥିଲା। ଅଧ୍ୟାପନାରୁ ଆଜି ଜଣେ ସଫଳ ବ୍ୟକ୍ତିତ୍ବ ହେବା ପଥରେ ଅନେକ ଘାତ ପ୍ରତିଘାତକୁ ସମ୍ମୁଖୀନ କରିଛନ୍ତି ସେ। ସଂଘର୍ଷମୟ ରାତି ପରେ ସଫଳତାର ସୂର୍ଯ୍ୟ ଉଦୟ ହେବ ବୋଲି ବିଶ୍ବାସ ରଖି କର୍ମପଥରେ ଅଟକି ନଯାଇ ଆଗକୁ ବଢିଚାଲିଛନ୍ତି ସେ। ଲଣ୍ଡନରେ ଅଧ୍ୟାପନା କରିବାବେଳେ ଯୁବପିଢିଙ୍କୁ ଦକ୍ଷ କରିବା ସହ ସ୍ବାବଲମ୍ବୀ କରିବାକୁ ଚିନ୍ତା କରି ସେ ନିଜସ୍ବ ପ୍ରୟାସରେ ଓଡ଼ିଶାରେ ପ୍ରତିଷ୍ଠା କରିଛନ୍ତି ଆବେ ଓ୍ବେଷ୍ଟ୍ ସର୍ଭିସ୍ । ଗ୍ରାମୀଣ ପିଲାମାନଙ୍କୁ ଦକ୍ଷ କରିବା ସହ ନିଯୁକ୍ତି ପ୍ରଦାନ କରିବାରେ ତାଙ୍କର ଅବଦାନ ଅନେକ। ସ୍କିଲ୍ ଡେଭ୍ଲୋପମେଣ୍ଟ କ୍ଷେତ୍ରରେ ORMAS (ଓରମାସ୍) ତରଫରୁ ପାଇଛନ୍ତି ବେଷ୍ଟ ସ୍କିଲ୍ ଇନ୍ ଓଡ଼ିଶା ସମ୍ମାନ। ଯୁବପିଢ଼ିଙ୍କୁ ଦକ୍ଷ, ସ୍ବାବଲମ୍ବୀ କରିବାରେ ନିଜ ଜୀବନକୁ ଉତ୍ସର୍ଗିତ କରିଛନ୍ତି ସେ। ସେ ଆଉ କେହି ନୁହଁନ୍ତି ଆବେ ଓ୍ବେଷ୍ଟ୍ ସର୍ଭିସ୍ର ପ୍ରତିଷ୍ଠାତା ପ୍ରଫେସର ପୃଥ୍ବୀରାଜ ଦାସ। ଏହି ସ୍ବତନ୍ତ୍ର ଆଳାପରେ ଜାଣନ୍ତୁ ଶ୍ରୀ ଦାସଙ୍କ କିଛି ଜଣା ଅଜଣା କଥା।
୧: ଆମେ ଜାଣିଛୁ ଆପଣ ଇଂଜିନିୟରିଂ ପରେ ଲଣ୍ଡନରେ ଅଧ୍ୟୟନ ଓ ଅଧ୍ୟାପନା କରିଛନ୍ତି, ସେଠାରୁ ଓଡିଶାକୁ ଫେରି ସ୍କିଲ୍ ଡେଭ୍ଲୋପମେଣ୍ଟ କ୍ଷେତ୍ରରେ ପିଲାଙ୍କୁ ଟ୍ରେନିଂ ପ୍ରଦାନ କରିବାକୁ କାହିଁକି ଚିନ୍ତା କଲେ?
ଉ: ଲଣ୍ଡନରେ ପଢାଉଥିବା ସମୟରେ ମୁଁ ଓଡିଶା ଆସେ ଏବଂ ଏଠିକାର ପିଲାମାନଙ୍କ ସହ ମିଶିଲା ପରେ ଅନୁଭବ କଲିକି ଭାରତର ଶିକ୍ଷା ବ୍ୟବସ୍ଥାର ବାସ୍ତବିକ ଚିତ୍ର ଏବଂ ଆମେ ଶୁଣୁଥିବା ଶିକ୍ଷା ବ୍ୟବସ୍ଥାର ଚିତ୍ର ସଂପୂର୍ଣ୍ଣ ଭିନ୍ନ। ଭାରତକୁ ବହୁ ଇଣ୍ଡଷ୍ଟ୍ରି ନିବେଶ ପାଇଁ ଆସୁଛି କିନ୍ତୁ ଏଠି ପିଲାଙ୍କ ଠାରେ ଦକ୍ଷତାର ଅଭାବ ଯୋଗୁଁ ତାହା ମିଳୁନାହିଁ। ଏହି କଥା ମୋତେ ହୃଦ୍ବୋଧ ହେବା ପରେ, ମୋ ମନରେ ଆସିଲାକି ସଫ୍ଟ ସ୍କିଲ୍, ପ୍ରସ୍ନାଲିଟି ଡେଭ୍ଲୋପମେଣ୍ଟ, ଟାଇମ୍ ମ୍ୟାନେଜ୍ମେଣ୍ଟ ଉପରେ ଏକ ପ୍ୟାକେଜ୍ କରି ସବୁ କଲେଜ ମାନଙ୍କୁ ଦେବା, ଏହା ପରେ ହିଁ ମୁଁ ସ୍କିଲ୍ ଡେଭଲୋପମେଣ୍ଟ କ୍ଷେତ୍ରରେ ପିଲାଙ୍କୁ ଟ୍ରେନିଂ ପ୍ରଦାନ କରିବାକୁ ଚିନ୍ତା କଲି।
୨: ଆବେ ଓ୍ବେଷ୍ଟ୍ ସର୍ଭିସ୍ କେଉଁ କେଉଁ ଦିଗରେ କାର୍ଯ୍ୟ କରେ?
ଉ: ଆବେ ଓ୍ବେଷ୍ଟ୍ ସର୍ଭିସ୍ର ଭୁବନେଶ୍ବରରେ ୩ଟି ଏବଂ ସମଗ୍ର ଓଡିଶାରେ ୧୧ଟି ସଂସ୍ଥା ରହିଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି, ଇଣ୍ଡଷ୍ଟ୍ରି ଏବଂ ଶିକ୍ଷାନୁଷ୍ଠାନ ଭିତରେ ଥିବା ଦୂରତାକୁ ଯୋଡିବା, ଏଥିନିମନ୍ତେ ଆମେ ୩ରୁ ୬ ମାସ ସ୍କିଲ୍ ଡେଭ୍ଲୋପମେଣ୍ଟ ଟ୍ରେନିଂ ଯଥା- ସଫ୍ଟ ସ୍କିଲ୍, ସ୍ପୋକେନ୍ ଇଙ୍ଗଲ୍ସ ଏବଂ ଭୋକେସ୍ନାଲ୍ ଟ୍ରେନିଂ ପ୍ରଦାନ କରୁ। ଏବଂ ୫ଟି କ୍ଷେତ୍ରରେ ନିଯୁକ୍ତି ଦେଇଥାଉ ଟୁରିଜିମ୍ ଏଣ୍ଡ ହସ୍ପିଟାଲିଟି, ହୋଟେଲ୍, ଇଲେଟ୍ରିକାଲ୍, ସୌନ୍ଦର୍ଯ୍ୟ ପ୍ରସାଧନ, ଟେକ୍ସଟାଇଲ୍ କ୍ଷେତ୍ର ଇତ୍ୟାଦି।
୩: ଏଠି ରହୁଥିବା ପିଲାମାନଙ୍କ ପାଇଁ କଣ ସୁବିଧାସୁଯୋଗ ରହିଛି?
ଉ: ଆମେ ଏଠାରେ ଗ୍ରାମୀଣ ଏବଂ ଅସହାୟ ପିଲାମାନଙ୍କୁ ମୁଖ୍ୟତଃ ଗୁରୁତ୍ବ ଦେଉଅଛୁ, ଯେଉଁମାନଙ୍କ ପାଖରେ ପଢିବା ନିମନ୍ତେ ସାଧନର ଅଭାବ ରହିଛି ଏବଂ ଗ୍ରାମୀଣ ଅଚଂଳରେ ଫେଲ୍ ହୋଇ କିମ୍ବା ପାଠଛାଡି ଘରେ ରହୁଥିବା ପିଲାମାନଙ୍କୁ ଆମେ ଏଠାରେ ରଖି ସେମାନଙ୍କୁ ଟ୍ରେନିଂ ପ୍ରଦାନ କରିବା ସହ ମାଗଣାରେ ରହିବା, ଖାଇବା ଏବଂ ପଢିବା ନିମେନ୍ତ ଖାତା,ବହି, ବ୍ୟାଗ୍, କଲମ ଇତ୍ୟାଦି ଯୋଗାଇ ଦେଉ।
୪: କିପରି ରୂପେ ଆପଣ ପିଲାମାନଙ୍କୁ ଚୟନ କରନ୍ତି?
ଉ:ଆଜିକାଲି ସରକାରଙ୍କର ବହୁ ଯୋଜନା କାର୍ଯ୍ୟକାରୀ ହେଉଛି ଯେପରି DDUGKY, PMKVY ଏହି ସଂସ୍ଥା ଦ୍ବାରା ସରକାର ଆମକୁ ସହଯୋଗ କରନ୍ତି ପିଲାଙ୍କୁ ଚୟନ କରି ଆଣିବାରେ। ପ୍ରଥମେ ମୋବିଲାଇଜେସନ୍ ଟିମ୍ ପ୍ରତି ଜିଲ୍ଳାର ପ୍ରୋଜେକ୍ଟ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିଥାନ୍ତି। ପ୍ରୋଜେକ୍ଟ ନିର୍ଦ୍ଦେଶକ ସେଠାରେ ଥିବା ବିଡିଓମାନଙ୍କୁ ଏହି ସଂପର୍କରେ ଚିଠି କରିଥାନ୍ତି ଏବଂ ବିଡିଓ ବିଭିନ୍ନ ଗାଁ ସହ ଯୋଗାଯୋଗ କରି ଅସହାୟ ତଥା ଚାକିରୀ ଖୋଜୁଥିବା ପିଲାଙ୍କ ସମ୍ପର୍କରେ ସୂଚନା ଦିଅନ୍ତି ଆମେ ଏବଂ ତାଙ୍କ ଟିମ୍ ଜରିଆରେ ପିଲାଙ୍କୁ ଆଣିଥାଉ।
୫: ଆଜିକାଲି ସରକାର ବିଭିନ୍ନ ସ୍କିଲ୍ ଟ୍ରେନିଂ ଯୋଜନା ଆରମ୍ଭ କରିଛନ୍ତି, ଏଥିନିମନ୍ତେ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି, ଏହି ଦିଗରେ ଆଉ କଣ ପରିବର୍ତ୍ତନ ହେବା ଦରକାର ବୋଲି ଆପଣ ଭାବୁଛନ୍ତି?
ଉ: ଆଜିକାଲି ବିଭିନ୍ନ ଯୋଜନା ଆରମ୍ଭ ହେବା ସହ ଦକ୍ଷତା ପ୍ରଦାନକରବା ଦିଗରେ ଉନ୍ନତି ପରିଲକ୍ଷିତ ହେଉଛି। ସାରାଭାରତ ବର୍ଷରେ ଓଡିଶା DDUGKY ରେ ୨୦୧୫-୧୬ ଏବଂ ୨୦୧୬-୧୭ରେ ଲଗାତାର ଦୁଇ ବର୍ଷ ନମ୍ବର୧ ମାନ୍ୟତା ପାଇଛି ଏବଂ ଆମର ଅନୁଷ୍ଠାନ ଆବେ ଓ୍ବେଷ୍ଟ୍ ସର୍ଭିସ୍ ୨୦୧୬-୧୭ରେ ନମ୍ବର୧ ମାନ୍ୟତା ପାଇଛି । ମୋ ମତରେ ଏହି ଯୋଜନାର ଉପାଦେୟତାର ସଠିକ ଭାବରେ ପ୍ରଚାର ପ୍ରସାର ହୋଇପାରୁନି। ଗାଁ ଗହଳିରେ ଏହି ଦିଗ ପ୍ରତି ସଚେତନତାର ଅଭାବ ରହିଛି। ଯଦି ଆମେ ନିୟମିତ ରୂପେ ରେଡିଓ, ଟିଭିରେ ମାଧ୍ୟମରେ ବିଭିନ୍ନ ଲୋକପ୍ରିୟ ବ୍ୟକ୍ତିତ୍ୟଙ୍କ ଦ୍ବାରା ଏହାର ପ୍ରଚାର ପ୍ରସାର କରିବା ତେବେ ଏହା ଲୋକଲୋଚନକୁ ଆସିବା ସହ ଆହୁରି ଉପଯୋଗୀ ହେଇପାରିବ।
୬: କେତେ ପ୍ରତିଶତ ପିଲାଙ୍କୁ ଆପଣ ଏଠାରେ ଟ୍ରେନିଂ ଏବଂ ନିଯୁକ୍ତି ପ୍ରଦାନ କରିଛନ୍ତି?
ଉ: ବିଗତ ଚାରି ବର୍ଷ ମଧ୍ୟରେ ଆମେ ୧୦୦୦୦ ପିଲାଙ୍କୁ ଟ୍ରେନିଂ ପ୍ରଦାନ କରିଅଛୁ। ଏଥି ମଧ୍ୟରୁ ପ୍ରାୟତଃ ୭୦୦୦ ପିଲାଙ୍କୁ ଆମେ ନିଯୁକ୍ତି ସୁଯୋଗ ଦେଉଛୁ। କେବଳ ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ଆମ ପିଲାମାନେ ନିଯୁକ୍ତି ପାଉଛନ୍ତି।
୭: ଆଜିକାଲିର ଅଧିକାଂଶ ଯୁବପିଢି ବେକାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏହି ବାବଦରେ ଆପଣଙ୍କ ମତ କଣ?
ଉ: ସମଗ୍ର ବିଶ୍ବରେ ଯୁବବର୍ଗଙ୍କ ଜନସଂଖ୍ୟାରେ ଭାରତର ପ୍ରଥମ । ଆଜିକାଲି ଯୁବବର୍ଗଙ୍କ ଠାରେ ଦକ୍ଷତାର ବିକାଶରେ ଅଭାବ ପରିଲକ୍ଷିତ ହେଉଥବାରୁ ଅଧିକାଂଶ ଯୁବପିଢି ବେକାରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଯୁବପିଢିଙ୍କୁ ଦକ୍ଷତା ଉପରେ ଗୁରୁତ୍ବ ଦେବା ଦରକାର। ଦକ୍ଷତାର ବିକାଶ ହେଲେ ବେକାରୀ ସମସ୍ୟା ଦୂରହେବା ସହ ଯୁବପିଢି କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ନିଯୁକ୍ତି ସୁଯୋଗ ପାଇପାରିବେ।
୮: କିପରି ଭାବେ ୫ ବର୍ଷ ମଧ୍ୟରେ ଓଡିଶାର ୧ ନମ୍ବର PI ଏେଜନ୍ସି, ଏହି ସଫଳତା ପାଇବା ପଛରେ କେତେ ସଂଘର୍ଷ କରଛନ୍ତି?
ଉ:୨୦୧୦ରେଯେତେବେଳେ ଆମେ ଆରମ୍ଭ କଲୁ ସେତେବେଳେ ମୋ ପାଖରେ ଯେତିକି ସଞ୍ଚୟ ଥିଲା ଦେଢ ବର୍ଷ ଭିତରେ ସରିଗଲା କିନ୍ତୁ କିଛି ଲାଭ ନଥିଲା। ଟଙ୍କା ଅଭାବରୁ ୨୦୧୧ରେ ବାଧ୍ୟ ହେଇ ସଂସ୍ଥା ବନ୍ଦ କରିବାକୁ ପଡିଲା। ତାପରେ ମୁ ଯାଜପୁର ଆସିଲି। ଫେରିଲା ପରେ ସୌଭାଗ୍ୟବଶତଃ ମୋର ଜଣେ ଘନିଷ୍ଠ ବନ୍ଧୁ ଏବଂ ଜଣେ ସମ୍ପର୍କୀୟ ଭଉଣୀଙ୍କ ସହାୟତାରୁ ପୁଣି ଥରେ ଯାଜପୁରରେ ଗୋଟେ ଘରେ ଟ୍ରେନିଂ ସେଣ୍ଟର କାମ ଆରମ୍ଭ କଲି। ୨୦୧୨ ଏବଂ ୨୦୧୩ ଦୁଇବର୍ଷ କାମ କଲାପରେ ୨୦୧୪ ମସିହାରେ ସରକାରଙ୍କ ସାହାଯ୍ୟ ମିଳିଲା। ପ୍ରଥମ ୪ ବର୍ଷ ଖୁବ୍ କଷ୍ଟ ଏବଂ ସଂଘର୍ଷମୟ ଥିଲା। ସେ ସମୟରେ ପାଖରେ ପଇସା ନଥିବା ବେଳେ ବିନା ଲାଭରେ ଦୁଇବର୍ଷ ଧର୍ଯ୍ୟର ସହ କାମ କରିବା କଷ୍ଟସାଧ୍ୟ ଥିଲା। ୨୦୧୪ ପରଠୁ ସ୍ଥିତି ବଦଳିଲା ଏବଂ ପଛକୁ ନ ଚାହିଁ ଆଗକୁ ବଢି ଚାଲିଛି। ସମସ୍ତଙ୍କ ପାଇଁ ୫ ବର୍ଷ କିନ୍ତୁ ମୋ ପାଇଁ ୯ ବର୍ଷ। ୨୦୧୧ରୁ ୨୦୧୪ ଏହି ୪ ବର୍ଷ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା ।
୯: ଆପଣ ମହିଳା ଏବଂ ଛାତ୍ରୀମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ଟ୍ରେନିଂ ପ୍ରଦାନ କରୁଛନ୍ତି, ମହିଳାଙ୍କୁ ସ୍ବାବଲମ୍ବୀ କରିବାରେ ଆବେ ଓ୍ବେଷ୍ଟ୍ ସର୍ଭିସ୍ର ଭୂମିକା କେତେ?
ଉ: ଆମର ମୁଖ୍ୟ ଗୁରୁତ୍ବ ନାରୀ। କାରଣ ଗୋଟେ ଦେଶ ଏବଂ ଜାତିର ଉନ୍ନତି ଓ ସମୃଦ୍ଧି ନିମନ୍ତେ ମହିଳାମାନଙ୍କର ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଜରୁରୀ। ଆମେ ବିଗତ ଚାରି ବର୍ଷ ମଧ୍ୟରେ ୧୦୦୦୦ ପିଲାଙ୍କୁ ଟ୍ରେନିଂ ପ୍ରଦାନ କରିସାରିଛୁ, ସେଥିରୁ ୬୫ ପ୍ରତିଶତ ଝିଅ ପିଲା।
୧୦: ନାରୀଶସକ୍ତିକରଣ ଦିଗରେ ଆପଣଙ୍କ ଚିନ୍ତାଧାରା କଣ?
ଉ: ମହିଳାମାନଙ୍କୁ ଆଗକୁ ଆସି ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଜରୁରୀ। ଆମେ ମହିଳାମାନଙ୍କୁ ଦକ୍ଷ କରିବା ଦିଗରେ ସୁଯୋଗ ଦେବା ଦରକାର ଯାହା ଦ୍ବାରା ସେମୋନ ନିଜ ଗୋଡରେ ଛିଡା ହେବା ସହ ସ୍ବାବଲମ୍ବୀ ହେବା ସହ ଦେଶର ଉନ୍ନତିରେ ସହଭାଗୀ ହୋଇପାରିବେ। ଏଥିନିମନ୍ତେ ବାପା ମା, ପରିବାର, ସମାଜ ସମସ୍ତେ ପ୍ରଚେଷ୍ଟା କରିବା ଦରକାର।
୧୧: ଆପଣଙ୍କର ଏହି ସଂସ୍ଥାର କାର୍ଯ୍ୟକୁ ଆପଣ ସମାଜସେବା ରୂପେ ଭାବନ୍ତି ନା ଏହା କେବଳ ଆପଣଙ୍କ ପାଇଁ ବ୍ୟବସାୟ?
ଉ: ମୁଁ ଏହାକୁ ନା ସମାଜେସବା ଭାବେ ନା ବ୍ୟବସାୟ ଭାବେ। ଯେତେବେଳେ କେହି ମୋତେ ଏହି ପ୍ରଶ୍ନ ପଚାରନ୍ତି ମୁଁ କୁହେ ମୁଁ ସାମାଜିକ ବ୍ୟବସାୟୀ। ଯିଏ ସମାଜସେବା କରିବା ସହ ଲାଭ ମଧ୍ୟ ଦେଖେ। କାରଣ ଲାଭ ହେଲେ ହିଁ ଆମେ ତାକୁ ଆହୁରି ବଡ ସ୍ତରର କରିପାରିବା ଯାହା ଫଳରେ ଅଧିକ ପିଲାଙ୍କ ପାଖରେ ଏହି ସୁବିଧାସୁଯୋଗ ପହଞ୍ଚିପାରିବ।
୧୨: ଆପଣଙ୍କର ପିଲାଦିନ, ପାଠପଢା, ଚାକିରୀ ଏବଂ ଚାକିରୀରୁ ଏହି କ୍ଷେତ୍ରରେ ଯୋଗ ଦେବାର ଯାତ୍ରା କେମିତି ଥିଲା?
ଉ: ଛୋଟବେଳୁ ମୁଁ ଭଲ ପାଠ ପଢୁଥିଲି ଏବଂ ଶ୍ରେଣୀରେ ପ୍ରଥମ ହେଉଥିଲି। ଯାଜପୁର ଜିଲ୍ଲାର ଜୟଦୁର୍ଗା ଗାଁ ସ୍କୁଲ୍ରେ ମୁଁ ମୋ ପାଠପଢା ଆରମ୍ଭ କରିଥିଲି ତା ପରେ ମ୍ୟୁନିସିପାଲ୍ ହାଇସ୍କୁଲରେ ହାଇସ୍କୁଲ୍ ଶେଷ କରି ଓଡିଶା ଇଂଜିନିୟରି କଲେଜରେ ଇଂଜିନିୟରି କଲି। ଇଂଜିନିୟରି ପରେ ୬ ମାସ ଦିଲ୍ଲୀରେ ଏନ୍.ଆଇ.ଜି କମ୍ପାନୀରେ କାମ କଲି, ତା ପରେ ଓରଟେଲ୍ କମ୍ୟୁନିକେସନ୍ ରେ କାମ କଲି ଏହାପରେ ଘରେ ଆଇଏସ୍ ପାଇଁ ପ୍ରସ୍ତୁତି କରୁଥିଲି ଏବଂ ଆଇଏସ୍ ଓ GMAT ପରୀକ୍ଷା ଦେବା ପରେ ଲଣ୍ଡନର ୫ ୬ଟା କଲେଜରେ ପଢିବାକୁ ସୁଯୋଗ ମିଳିଲା। ସେଠି ପଢିବା ପାଇଁ ଟଙ୍କା ନଥିଲା ଶେଷରେ ମୋ ବାପା ମା ଓ ଜେଜେବାପା ଆମେ ରହୁଥିବା ଘରକୁ ବନ୍ଧା ପକାଇ ଟଙ୍କା ଯୋଗାଡ କରିଥିଲେ। ୨୦୦୩ରୁ ୨୦୦୫ ଲଣ୍ଡନରେ ଏମ୍.ବି.ଏ ସାରି ସେଠାରେ ୫ ବର୍ଷ ଅଧ୍ୟାପନା କରୁଥିଲି। ସେ ସମୟ ହିଁ ମୋ ଜୀବନରେ ନୂଆ ମୋଡ ଆଣିଲା।
୧୩: ଆପଣଙ୍କ ଜୀବନରେ ପ୍ରେରଣାର ଉତ୍ସ କିଏ?
ଉ: ମୋର ପ୍ରଥମ ଆଦର୍ଶ ହେଉଛନ୍ତି ମୋର ଜେଜେବାପା, ଛୋଟବେଳୁ ହିଁ ସେ ମୋତେ ପଢାନ୍ତି । ମୋ ଜୀବନରେ ତାଙ୍କର ବହୁତ ବଡ ଅବଦାନ ରହିଛି। ଖାଲି ସେତିକି ନୁହେଁ ଜୀବନରେ ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଛି। ଜେଜେବାପାଙ୍କ ପରେ ଏବେ ମନ କଥା ମାକୁ କୁହେ ମନ ହାଲ୍କା ଲାଗେ।
୧୪: ଆଜି ଆପଣ ଜଣେ ସଫଳ ବ୍ୟକ୍ତିତ୍ବ, ଏହି ସଫଳତାର ଶ୍ରେୟ କାହାକୁ ଦେବେ?
ଉ: ସଫଳତାର ଶ୍ରେୟ ମୁ ମୋ ବେପା, ମା, ଜେଜେବାପା, କିଛି ଜଣ ସାଙ୍କ ଏବଂ ମୋ ନିଜର ପରିଶ୍ରମକୁ ଦେବି। ମୋ ମତରେ ସଫଳତାର ମାପ କାଠି ଅଲଗା ଆଜି ଯେତେବେଳ ମୁଁ ବିଭିନ୍ନ ଜାଗାକୁ ଯାଏ ଏବଂ ସେଠାରେ ଏଠାରୁ ଟ୍ରେଂନି ନେଇଥିବା ପିଲାମାନେ ରହିଥିବାର ମୁଁ ଦେଖେ ତାହା ସବୁଠାରୁ ବେଶି ଆନନ୍ଦ ଦେଇଥାଏ।
୧୫: କାହାକୁ ଆପଣଙ୍କର ପ୍ରତିଦ୍ବନ୍ଦୀ ଭାବନ୍ତି?
ଉ: ବହୁତ ଜଣ ପ୍ରତିଦ୍ବନ୍ଦୀ ଅଛନ୍ତି। ନିଜକୁ ମାପକାଠିରେ ରଖି ଦେଖିଲେ ବହୁତ ବଡ ବଡ ପ୍ରତିଦ୍ବନ୍ଦି ଅଛନ୍ତି। ଯେପରି କିଟ୍ ୟୁନିର୍ଭସିଟି, ସେନଚ୍ୟୁରିୟାନ୍ ୟୁନିର୍ଭସିଟି ସେମାନେ ମଧ୍ୟ ସ୍କିଲ୍ ଡେଭ୍ଲୋପମେଣ୍ଟ ଉପରେ ତାଲିମ ଦେଉଛନ୍ତି ମୁଁ ମୁକ୍ତି ମିଶ୍ର, ଅଚ୍ୟୁତ ସାମନ୍ତରାୟ ଆଦିଙ୍କୁ ମୋ ପ୍ରତିଦ୍ବନ୍ଦି ଭାବେ ଆଉ ଭାବେ ଏମାନଙ୍କୁ ଅନୁସରଣ କରିବା ଦରକାର ଏମାନଙ୍କ ଠାରୁ ମୋତେ ବହୁତ କିଛି ଶିଖିବାକୁ ଅଛି।
୧୬: ଆପଣଙ୍କ ଜୀବନର ଡର କଣ?
ଉ: ଆବେ ଓ୍ବେଷ୍ଟ୍ ସର୍ଭିସ୍ ନେଇ ସ୍ବପ୍ନ ଦେଖିଛି କି ମୁଁ ଏହି ସଂସ୍ଥାକୁ ପ୍ୟାନ୍ ଇଣ୍ଡିଆ ସ୍ତରକୁ ନେବି, ଯାହା ପାଇଁ ମୁଁ ସର୍ବଦା କାର୍ଯ୍ୟରତ। ସେ ସ୍ବପ୍ନ ଭାଙ୍ଗି ଯିବାର ଡର ରହିଛି।
୧୭: ଆପଣଙ୍କର ଆଦର୍ଶ କିଏ? କାହାର ideologyକୁ ମାନନ୍ତି?
ଉ: ଷ୍ଟିଭ୍ ଜବସ୍ ଏବଂ ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ମାନେ, ମହାତ୍ମାଗାନ୍ଧୀ ସବୁବେଳେ କୁହନ୍ତି “ନିଜ ଭିତରର ପ୍ରତିଭାକୁ ଆଲୋକିତ କର ସରା ଦୁନିଆ ଆପେ ଆପେ ଆଲୋକିତ ହେଇଯିବ।“ଏହି ବାଣୀକୁ ମାନେ।
୧୮: ଆପଣଙ୍କ ଜୀବନର ସ୍ମରଣୀୟ ଦିନ?
ଉ: ବହୁତ ସ୍ମରଣୀୟ ଦିନ ଅଛି ସେଥିରୁ ଗୋଟେ ହେଉଛି, ୨୦୧୪ ମେ ୧୬ରେ ସରକାରଙ୍କ ପ୍ରୋଜକ୍ଟ ମିଳିଥିଲା। ୧୭ଟି ଟିମ୍ରୁ ମୁଁ ସେ ପ୍ରୋଜକ୍ଟ ପାଇଥିଲି। ସେ ଦିନ ଲାଗିଥିଲା କି ଅନ୍ଧାରମୟ ସଂଘର୍ଷ ରାତି ଶେଷ ପରେ ଆଲୁଅ ଝଲସିଲା।
୨୦: Pruthwiraj Dasଙ୍କ ସିକ୍ରେଟ କଣ?
ଉ: ସରଳତା ସହ ଦୃଢ ଇଛା ଶକ୍ତି ହିଁ ମୋ ଜୀବନର ସିକ୍ରେଟ, ସରଳ ଭାବେ ଜୀବନଯାପନ କରିବା ସହ ମନରେ ଉଚ୍ଚ ଆକାଂକ୍ଷା ପ୍ରତିପୋଷଣ କରେ ଯାହା ସଫଳତା ପାଇବାରେ ସାହାଯ୍ୟ କରେ।
୨୧: ଆବେ ଓ୍ବେଷ୍ଟ୍ ସର୍ଭିସ୍କୁ ନେଇ ଆପଣଙ୍କର ଆଗାମୀ ଦିନର ଲକ୍ଷ୍ୟ କଣ?
ଉ: ବର୍ତ୍ତମାନ ଆମର ୧୧ ଗୋଟି ସଂସ୍ଥା ଓଡିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ। ଆଗାମୀ ଦିନରେ ଆମେ ଓଡିଶା ବାହାରେ ୩ଟି ସ୍ଥାନରେ ଏହା ଆରମ୍ଭ କରିବାକୁ ଯାଉଅଛୁ। ସମଗ୍ର ଭାରତରେ ସବୁ ସ୍ଥାନରେ ପହଞ୍ଚିବା ସହ ପିଲାମାନଙ୍କୁ ଟ୍ରେନିଂ ଦେବା ଯେପରି ଭାରତ ବାହାରେ ନିଯୁକ୍ତି ପାଇପାରିବେ।
୨୨: ଆଜିକାଲିର ରାଜନୀତି ଉପରେ କଣ କହିବେ?
ଉ: ସମାଜରେ ଯଦି ବଡ ଧରଣର ପରିବର୍ତ୍ତନ ଆଣିହେବ ତାହେଲେ କେବଳ ରାଜନୀତି ଜରିଆରେ। ପଲିସି ମେକିଙ୍ଗରେ ଆସିଲେ ହି ପରିବର୍ତ୍ତନ ଆଣିହେବବ ତେଣୁ ସ୍ବାର୍ଥଗତ ରାଜନୀତି ନ କରି ସମାଜିକ ଉନ୍ନତିକୁ ଗୁରୁତ୍ବ ଦେବା ଉଚିତ୍।
୨୩: ଭିବିଷ୍ୟତରେ ଆପଣଙ୍କୁ ରାଜନୀତିରେ ଯୋଗ ଦେବାର ସୁଯୋଗ ମିଳିଲେ ଆପଣ ରାଜନୀତି କ୍ଷେତ୍ରରେ ପାଦ ରଖିବେ କି?
ଉ: ବର୍ତ୍ତମାନ ଭାବିନି, ଭବିଷ୍ୟତରେ ଭଗବାନ ଯାହା ଚାହିଁବେ।
୨୪: Pruthwiraj Das ଯାଜପୁରରୁ, ଯାଜପୁରର ଉନ୍ନତି ପାଇଁ ଆପଣ କେତେ ସମର୍ପିତ? ଯାଜପୁରକୁ ନେଇ କଣ ଲକ୍ଷ୍ୟ ରହିଛି?
ଉ: ଯାଜପୁରରେ ଆମର ୩ଟି ଟ୍ରେନିଂ ସେଣ୍ଟର ରହିଛି। ଯାଜପୁର ଜିଲ୍ଲାରେ ଆମେ ପାଖାପାଖି ୨୨୦୦ ଉର୍ଦ୍ଧ ପଲାଙ୍କୁ ଆମେ ଟ୍ରେନିଂ ଦେଇସାରିଛୁ ଏବଂ ଯାଜପୁରର ଉନ୍ନତି ପାଇଁ ଆମେ ସର୍ବଦା କାର୍ଯ୍ୟରତ।
୨୫: ଆଜିର ଯୁବପିଢି ଓ ସମାଜକୁ କଣ ବାର୍ତ୍ତା ଦେବେ?
ଉ: ଯୁବପିଢି ହିଁ ଦେଶର ସୁନେଲି ଭବିଷ୍ୟତ । ଯୁବପିଢି ଶିକ୍ଷାଗତ ଯୋଗ୍ୟତା ପଛରେ ନ ଦୌଡି ନିଜକୁ ଦକ୍ଷ କରିବା ଉଚିତ୍ ଏବଂ ସ୍ବାବଲମ୍ବୀ ହେବା ସହ ସମାଜରେ ସୁସ୍ଥ ବାତାବରଣ ତିଆରି କରି ନୂତନ ରାଷ୍ଟ୍ର ଗଢିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଉଚିତ୍।
Comments are closed.