ଦ୍ୱାଦଶ କଳିଙ୍ଗ ହର୍ବାଲ ମେଳା ଉଦ୍ଘାଟିତ
ଭୁବନେଶ୍ୱର ପରିବର୍ତ୍ତନଶୀଳ ଜଳବାୟୁ, ଆଧୁନିକ ଜୀବନଚର୍ଯ୍ୟା ତଥା ପାଶ୍ଚାତ୍ୟ ଖାଦ୍ୟପେୟର ବହୁଳ ବ୍ୟବହାର ଯୋଗୁଁ ବର୍ତ୍ତମାନ ମାନବସମାଜ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି । ତେଣୁ ଔଷଧୀୟ ବୃକ୍ଷଲତାରୁ ପ୍ରସ୍ତୁତ ବିଭିନ୍ନ ଆୟୁର୍ବେଦ ଔଷଧର ବ୍ୟବହାର କରି ଆମେ ସୁସ୍ଥ ଜୀବନଚର୍ଯ୍ୟା ତଥା ନିରୋଗ ଜୀବନ ଅତିବାହିତ କରି ପାରିବା ଏଥି ପାଇଁ ଔଷଧୀୟ ବୃକ୍ଷର ଚାଷ, ଗବେଷଣା, ସଂରକ୍ଷଣ ଏବଂ ପ୍ରଚାର ପ୍ରସାରର ବ୍ୟାପକ ଆବଶ୍ୟକତା ରହିଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତବ୍ୟକ୍ତ କରିଛନ୍ତି । ଅପରାହ୍ନରେ ସ୍ଥାନୀୟ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଔଷଧୀୟ ଉଦ୍ଭିଦ ପରିଷଦ ଦ୍ୱାରା ଆୟୋଜିତ ଦ୍ୱାଦଶ କଳିଙ୍ଗ ହର୍ବାଲ୍ ମେଳାକୁ ଉଦ୍ଘାଟନ କରି ମନ୍ତ୍ରୀ ଆରୁଖ କହିଲେ, ଜୈବ ବିବିଧତାରେ ପରି ପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷଲତା ଓ ଗୁଳ୍ମରେ ପରି ପୂର୍ଣ୍ଣ । ଏହି ଔଷଧୀୟ ବୃକ୍ଷଲତାକୁ ବ୍ୟବହାର କରି ସ୍ୱାସ୍ଥ୍ୟସେବା ନିମନ୍ତେ ଆୟୁର୍ବେଦକୁ ଲୋକପ୍ରିୟ କରିବା ଦିଗରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ମହତ୍ତ୍ୱ ପୂର୍ଣ୍ଣ ସହଯୋଗ ଆବଶ୍ୟକ । ଏଥି ପାଇଁ ରାଜ୍ୟରେ ଥିବା ୪୧ଟି ବିରଳ ବି ପନ୍ନ ଔଷଧୀୟ ବୃକ୍ଷକୁ ସଂରକ୍ଷଣ ନିମନ୍ତେ ଜଙ୍ଗଲ ଅଞ୍ଚଳର କିଛି ଅଂଶକୁ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଏହି କର୍ମଶାଳାର ଲୋକ ପ୍ରିୟତାକୁ ଦେଖି ଚଳିତ ବର୍ଷ ରାଜ୍ୟରେ ଆଉ ୩ଟି ଆଞ୍ଚଳିକ ହର୍ବାଲ୍ ମେଳା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଆରୁଖ ସୂଚନା ଦେଇଥିଲେ ।
ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ମୋନା ଶର୍ମା ଏହି ମେଳା ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରୁ ସାମିଲ ହୋଇଥିବା ସମସ୍ତ ଔଷଧୀୟ ବୃକ୍ଷଚାଷୀ, ବିଶେଷଜ୍ଞ, ବ୍ୟବସାୟୀ, ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା, ଚିକିତ୍ସକ, ଉଦ୍ୟୋଗୀ, ବନ ସୁରକ୍ଷା ସମିତି, ଔଷଧ ବିତରକ ଏବଂ ପ୍ରକୃତି ପ୍ରେମୀଙ୍କ ପାଇଁ ଅଭିଜ୍ଞତା ଓ ନୂତନ ଜ୍ଞାନକୌଶଳ ଆହରଣ ସହ ଆୟୁର୍ବେଦ ପ୍ରତି ଜନସାଧାରଣଙ୍କୁ ଆକୃଷ୍ଟ କରିବା ଦିଗରେ ବେଶ ଫଳ ପ୍ରଦ ହୋଇଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ ବନ ସଂରକ୍ଷକ ଡ. ସଂଦୀପ ତ୍ରିପାଠୀ, ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଏ.କେ. ପାଠକ, ଔଷଧୀୟ ଉଦ୍ଭିଦ ପରିଷଦର ପରାମର୍ଶଦାତା ଏ.କେ. ମହାରଥା ପ୍ରମୁଖ ଏହି ମେଳାର ଆଭିମୁଖ୍ୟ ଏବଂ ଔଷଧୀୟ ବୃକ୍ଷଚାଷ ଓ ଏହାର ପ୍ରଚାର ପ୍ରସାରର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ଏହି ମେଳାରେ ୧୨୦ଟି ଷ୍ଟଲ୍ ଖୋଲାଯାଇଛି ଏବଂ ଏଥିରେ ରାଜ୍ୟ ଓ ରାଜ୍ୟ ବାହାର ଔଷଧୀୟ ବୃକ୍ଷଲତା ସହ ସଂପୃକ୍ତ ବ୍ୟକ୍ତିବିଶେଷ, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଭିଜ୍ଞ ବୈଦ୍ୟ ଓ କବିରାଜ ତଥା ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଏହି ମେଳା ନଭେଞ୍ଚର ୪ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଖୋଲା ରହିବ । ମେଳାରେ ସର୍ବସାଧାରଣଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଆଲୋଚନା ଚକ୍ର, ବୈଦ୍ୟ କର୍ମଶାଳା ଓ ଆୟୁର୍ବେଦ ଡାକ୍ତରମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ ।
Comments are closed.