Odisha Link
Bridging the Missing Links in Odisha

ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ବାଲିଆପାଳ: ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ ଥିବା ସ୍କୁଲର ଶିକ୍ଷୟତ୍ରୀ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ। ଗଣମାଧ୍ୟମ ଆଗରେ ମାସ ମାସ ଧରି ତାଙ୍କ ସହ ହେଉଥିବା ଶାରୀରିକ ନିର୍ଯାତନା ବିରୋଧରେ ସେ ମୁହଁ ଖୋଲିଥିବା ବେଳେ ଏବେ ଏହି ମାମଲାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପୂରା ମାମଲା ବିଷୟରେ ଜାଣିବା ପରେ ସେ ଏ ନେଇ ବାଲେଶ୍ୱର ଡିଇଓଙ୍କୁ ରିପୋର୍ଟ ମାଗିଥିବା କହିଛନ୍ତି। ଏହା ସହ ରିପୋର୍ଟ ମିଳିବାର ତୁରନ୍ତ ପରେ ବୁଧବାର ସଂନ୍ଧ୍ୟା ସୁଦ୍ଧା ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଅଭିଯୋଗ ଅନୁସାରେ, ସ୍କୁଲର ପ୍ରଧାନଶିକ୍ଷକ ୮-୯ ମାସ ହେଲା ଖରାପ ବ୍ୟବହାର କରିଆସୁଥିଲେ। ବାରମ୍ବାର ଫୋନ କରିବା ଓ ତାଙ୍କ କଥା ମାନିଯିବା ପାଇଁ ଧମକ ଦେଉଥିଲେ। ସ୍କୁଲ ଭିତରେ ଏକୁଟିଆ ପାଇଲେ ଅଶ୍ଳୀଳ ଭାବେ ସ୍ପର୍ଶ କରିବାକୁ ବି ପଛାଉ ନଥିଲେ। ଶିକ୍ଷୟିତ୍ରୀ ଜଣକ ଏ ନେଇ ବାରମ୍ବାର ପ୍ରତିବାଦ କରୁଥିଲେ ମଧ୍ୟ ପ୍ରଧାନଶିକ୍ଷକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ କୌଣସି ଫରକ ପଡ଼ୁ ନ ଥିବା ଜଣାଇଥିଲେ ଶିକ୍ଷୟିତ୍ରୀ। ଏ ନେଇ ସେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ କହିଥିଲେ, ଆପୋଷ ବୁଝାମଣା କରିନିଅ। ସବୁଆଡ଼ୁ ନିରାଶ ହେବା ପରେ ସେ ଶେଷର ଗଣମାଧ୍ୟମରେ ମୁହଁ ଖୋଲିବା ପାଇଁ ବାଧ୍ୟ ହୋଇଥିଲେ। ତାଙ୍କ ସମସ୍ୟାର ସମାଧାନ ନ ହେଲେ ସେ ଆତ୍ମହତ୍ୟା କରିବାର ଧମକ ଦେଇଥିବା ବେଳେ ଏବେ ଗଣଶିକ୍ଷା ମନ୍ତ୍ରୀ ସଂନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.