ଯୁବ ରେଡ୍କ୍ରସ୍ ଶାଖାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବକୁ ଉଦ୍ରେକ କରାଇ ଅଧିକରୁ ଅଧିକ ରେଡ୍କ୍ରସ ସ୍ବେଚ୍ଚାସେବୀ ସୃଷ୍ଟି କରିବା ଦିଗରେ ପଦକ୍ଷେ ପ ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ରେଡ୍କ୍ରସ ଭବନଠାରେ ଯୁବ ରେଡ୍କ୍ରସ୍ ଶାଖାର ୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟ ସ୍ତରରେ ଯୁବ ରେଡ୍କ୍ରସ୍ ଶାଖାରେ ସେ୍ୱଚ୍ଛାସେବୀ ଭାବେ ଯୋଗ ଦେଉଥିବା ସ୍ବେଚ୍ଛାସେବୀମାନେ ପାଠ ପଢ଼ା ଶେଷ ପରେ ମଧ୍ୟ ଯେପରି ରେଡ୍କ୍ରସ ସହିତ ଜୀବନବ୍ୟାପୀ ସାମିଲ ହୋଇରହିବେ ସେଥି ନିମନ୍ତେ ଗୁରୁତ୍ୱରୋପ କରିଥିଲେ ।
ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ସଚେତନତା, ସଡ଼କ ସୁରକ୍ଷା ଆଦି ସେବା କ୍ଷେତ୍ରରେ ଯୁବ ରେଡ୍କ୍ରସ ସ୍ବେଚ୍ଛାସେବୀମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଅବଦାନ ରହିଥିବା ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ସ୍ତରରେ ଯୁବରେଡ୍କ୍ରସ ଶାଖାକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଚଳିତ ବର୍ଷଠାରୁ ରାଜ୍ୟର ପ୍ରତ୍ୟେକ ମହାବିଦ୍ୟାଳୟରେ ଯୁବରେଡ୍କ୍ରସ ଶାଖା ଖୋଲାଯିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟର ୫୦୪ଟି ମହାବିଦ୍ୟାଳୟରେ ୫୦ ଜଣ ଯୁବରେଡ୍କ୍ରସ ସ୍ବେଚ୍ଛାସେବୀ ହିସାବରେ ପ୍ରାୟ ୨୫ ହଜାର ସ୍ବେଚ୍ଛାସେବୀ ଅଛନ୍ତି । ବୈଠକରେ ସ୍କାଉଟ୍, ଗାଇଡ୍, ଏନ୍ସିସି ଭଳି ଯୁକ୍ତ-୨ ଏବଂ ଯୁକ୍ତ-୩ ନାମଲେଖା ସମୟରେ ଯୁବ ରେଡ୍କ୍ରସ ସ୍ବେଚ୍ଛାସେବୀମାନଙ୍କୁ ପ୍ରୋତ୍ସାହନ ନମ୍ବର ଦେବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ପ୍ରତି ଜିଲ୍ଲାରେ ସଂଯୋଜକମାନଙ୍କ ମନୋନୟନକୁ ଚୂଡ଼ାନ୍ତ କରିବା ପାଇଁ ପଦକ୍ଷେପ ନେବା ଓ ରେଡ୍କ୍ରସ ଫିସ୍ ବୃଦ୍ଧି ଏବଂ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅନୁଦାନ ବୃଦ୍ଧି ସଂପର୍କରେ ଆଲୋଚନା ହୋଇଥିଲା ।
ବୈଠକ ପ୍ରାରମ୍ଭରେ ଯୁବରେଡ୍କ୍ରସର ଅବୈତନିକ ସଚିବ ସିଟିଏମ୍ ସୁଗୁଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ତଥା ଯୁବରେଡ୍କ୍ରସର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ଉପାଧ୍ୟକ୍ଷ ଶାଶ୍ୱତ ମିଶ୍ର ଯୁବରେଡ୍କ୍ରସର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ଯୁବରେଡ୍କ୍ରସ୍ ଅଧିକାରୀ ଡ. ଅଜୟ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁବରେଡ୍କ୍ରସ କାର୍ଯ୍ୟକାରିଣୀ ବୈଠକର ସଦସ୍ୟମାନେ ଉପସ୍ଥିତ ଥିଲେ ।
Comments are closed.