ବାଲେଶ୍ବର ଗ୍ୟାସ୍ ଲିକ୍ ଘଟଣା: ଫ୍ୟାକ୍ଟ୍ରିସିଲ୍, ୭ଅଟକ
ବାଲେଶ୍ୱର: ସିଲ୍ ହେଲା ଫାଲକନ ମେରାଇନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି। ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍କନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଯୋଗୁ ଗତକାଲି ୭୦ରୁ ଉର୍ଦ୍ଧ୍ବ ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍ ଫ୍ୟାକ୍ଟ୍ରି ସିଲ୍ କରିବା ସହ ୭ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଫ୍ୟାକ୍ଟ୍ରିର ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ନେଇ ମଧ୍ୟ ଟ୍ୱିଟ୍ ଯୋଗେ ଡିଜିପି ସୂଚନା ଦେଇଛନ୍ତି।
ଗ୍ୟାସ୍ ଲିକ୍ ଘଟଣା ପରେ ବାଲେଶ୍ୱର ମେଡିକାଲରେ ପହଞ୍ଚି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥଙ୍କୁ ଭେଟିଛନ୍ତି। ତେବେ, ଫ୍ୟାକ୍ଟ୍ରିରେ ଆଇନ ଉଲ୍ଲଂଘନ କରି ଶିଶୁଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଥିବାରୁ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଗ୍ୟାସ୍ ଲିକ୍ ଘଟଣାର ଯାଞ୍ଚ ପାଇଁ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ସାଇଣ୍ଟିଫିକ୍ ଟିମ୍ ବାଲେଶ୍ୱର ଯାଇଛି। ତେବେ, କେଉଁ ପରିସ୍ଥିତିରେ ଗ୍ୟାସ୍ କିଭଳି ଲିକ୍ ହେଲା ଟିମ୍ ତାର ଖୋଳତାଡ଼ କରିବ। ତେବେ, ଫାଲକନ କର୍ତ୍ତୃପକ୍ଷ ଶ୍ରମିକଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିନଥିବାରୁ ଏପରି ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷେ ଏହି ଅଘଟଣ ଦୁଃଖଦାୟକ ବୋଲି ଫାଲକନ୍ ମୁଖ୍ୟ ତାରା ପଟ୍ଟନାୟକ କହିଛନ୍ତି। ଗ୍ୟାସ୍ ଲିକ୍ କଥାକୁ ସେ ଖଣ୍ଡନ କରିଛନ୍ତି। ପ୍ଲାଣ୍ଟ୍ରେ ଗ୍ୟାସ ଲିକ୍ ହୋଇନାହିଁ। ବରଂ ଏହା ବ୍ଲିଚିଂ ପାଇଁ ଘଟିଛି ବୋଲି ସେ କହିଛନ୍ତି। କର୍ମଚାରୀଙ୍କ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ଓ ଯାହା ଘଟିଛି ଦୁଃଖଦାୟକ ବୋଲି କହିବା ସହ ଆମେ ଏହାର ଅନୁସନ୍ଧାନ କରୁଛୁ ବୋଲି ଫାଲକନ୍ ମୁଖ୍ୟ କହିଛନ୍ତି।
Comments are closed.