Odisha Link
Bridging the Missing Links in Odisha

ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ

ଭୁବନେଶ୍ୱର : ରାଜ୍ୟ ସରକାର କୃଷକମାନଙ୍କର ଆୟ ବହୁଗୁଣିତ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ମହୁମାଛି ପାଳନ କରି କୃଷକମାନେ ସେମାନଙ୍କର ଆୟରେ ବୃଦ୍ଧି କରି ପାରିବେ। ରାଜ୍ୟର ଜଳବାୟୁ, ପର୍ଯ୍ୟାପ୍ତ ଜଙ୍ଗଲ ସଂପଦ, ଉଦ୍ୟାନ ଓ କୃଷିଭିତ୍ତିକ ପରିବେଶ ମହୁମାଛି ପାଳନ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଲୋକମାନଙ୍କୁ ମହୁମାଛି ପାଳନ ସଂପର୍କରେ ଆଗ୍ରହ ସୃଷ୍ଟି କରିବାକୁ ପଡ଼ିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ ମହୁମାଛି ପାଳନ ରାଜ୍ୟର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇବା ଦିଗରେ ଏକ ପ୍ରକୃଷ୍ଟ ମାଧ୍ୟମ । ମହୁମାଛିକୁ ବ୍ୟବସାୟଭିତ୍ତିକ, ଆନୁଷଙ୍ଗିକ ରୋଜଗାର କିମ୍ବା ଜୀବିକାର୍ଜନର ପନ୍ଥା ଭାବେ ଗ୍ରହଣ କରାଯାଇ ପାରିବ ।

ରାଜ୍ୟରେ ମିଳୁଥିବା ମହୁ ଉତ୍କଷ୍ଟ ମାନର ହୋଇଥିବାରୁ ଏହାର ବଜାର ଚାହିଦା ରହିଛି । ଅଧିକ ମହୁମାଛି ପାଳନ ଦ୍ୱାରା ମହୁ ଉତ୍ପାଦନ ବୃଦ୍ଧି ପାଇବା ସହିତ ପରାଗ ସଙ୍ଗମ ଦ୍ୱାରା ଖାଦ୍ୟଶସ୍ୟ ଉତ୍ପାଦନ ଆଶାତୀତ ଭାବେ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଓଡ଼ିଶାରେ ୧୫ ଲକ୍ଷରୁ ଉର୍ଦ୍ଧ ମହୁମାଛି ଦଳ ପାଳନ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ବୈଜ୍ଞାନିକ ଭିତ୍ତିରେ ମହୁମାଛି ପାଳନ ନିମନ୍ତେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶକ୍ତି, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଲେ ଆଦିମ କାଳରୁ ମହୁ ସଂଗ୍ରହ କରିବାର ପରମ୍ପରା ରହିଥିବାବେଳେ ମହୁ ଉତ୍ପାଦନ ବୃଦ୍ଧି ନିମନ୍ତେ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ କରାଗଲେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ପାରିବ । ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଏ ଦିଗରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର କହିଥିଲେ ।

କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହା ପାତ୍ର ଉଦ୍‌ବୋଧନ ଦେଇ କହିଲେଯେ ସବୁବର୍ଗର ଲୋକ ଘରୋଇ ଭାବରେ ବ୍ୟବସାୟିକ ଭିତ୍ତିରେ ମହୁମାଛି ପାଳନ କରି ପାରିବେ । ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ଅତି ସରଳ, ପରିବେଶ ଉପଯୋଗୀ ଓ ଗ୍ରାମୀଣ ଲୋକଙ୍କୁ ରୋଜଗାର ଯୋଗାଇଦେବା ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ପ୍ରତ୍ୟେକ ଜିଲ୍ଲାରେ କର୍ମଶାଳା ଆୟୋଜନ କରି ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରି କହିଲେ ଭୂମିହୀନ ଚାଷୀମାନଙ୍କ ନିମନ୍ତେ ମହୁମାଛି ପାଳନ ଏକ ଉପଯୁକ୍ତ ପନ୍ଥା ହୋଇଥିବାରୁ କାଳିଆ ଯୋଜନାରେ ମହୁମାଛି ପାଳନକୁ ଅନ୍ତର୍ଭୁକ୍ତ କରାଯାଇ ପାରିଛି । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏ ଦିଗରେ ଚାଷୀମାନଙ୍କୁ ସହାୟତା ଯୋଗାଇ ଦିଆଯାଉଛି ବୋଲି ଡ. ଗର୍ଗ କହିଥିଲେ ।

କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳ ପତି ପ୍ରଫେସର ପବନ କୁମାର ଅଗ୍ରଓ୍ୱାଲ୍‌, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉ ପାଧ୍ୟାୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ଏବଂ ଗବେଷକ ଡ. ଚିତ୍ତରଞ୍ଜନ ଶତ ପଥୀ ପ୍ରମୁଖ ବୈଜ୍ଞାନିକ ପଦ୍ଧତିରେ ମହୁଚାଷ, ମହୁ ଉତ୍ପାଦନ, ବଜାର ବ୍ୟବସ୍ଥା, ଭିତ୍ତିଭୂମି ଆଦି ବିଷୟରେ ଆଲୋଚନା କରିଥିଲେ ।

ଏହି ଅବସରରେ ୧୦ ଜଣ ଅଗ୍ରଣୀ ମହୁମାଛି ପାଳନକାରୀଙ୍କୁ ସଞ୍ଚର୍ଦ୍ଧିତ କରାଯାଇଥିବାବେଳେ ମହୁମାଛି ସଂପର୍କିତ ପତି୍ରକା, ପୁସ୍ତିକା ଓ ସିଡି ଉନ୍ନୋଚିତ ହୋଇଥିଲା । ଏଥି ସହିତ କୃଷି ଭବନ ପରିସରରେ ମହୁମାଛି ପାଳନ ସଞ୍ଚନ୍ଧୀୟ ଜ୍ଞାନକୌଶଳର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । କର୍ମଶାଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ଅଗ୍ରଣୀ ମହୁଚାଷୀ ବିଶେଷଜ୍ଞ ଓ ସରକାରୀ-ବେସରକାରୀ ଭାଗୀଦାରମାନେ ଯୋଗଦେଇଥିଲେ ।

Comments are closed.