ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲିରେ ଏମିତି କହିଲେ ଧର୍ମେନ୍ଦ୍ର, ଦେଖନ୍ତୁ ଭିଡିଓ
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ପାଳନର ଦ୍ବିତୀୟ ଦିନରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପୂରାତନ ଛାତ୍ର ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଏହି ଟାଣୁଆ ନେତାଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲେ ବିଶ୍ବିବଦ୍ୟାଳୟର ଅନ୍ୟତମ ପୁରାତନ ଛାତ୍ର ତଥା ଓଡ଼ିଶରର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ।
ଛାତ୍ର ଜୀବନରେ ପ୍ରତିଦ୍ବନ୍ଦ୍ବୀ ଭାବେ ଜଣାଶୁଣା ତଥା ଏବେ ବି ଦୁଇ ପରସ୍ପର ବିରୋଧୀ ଦଳର ଏହି ଦୁଇ ବନ୍ଧୁ ମଞ୍ଚରେ ପରସ୍ପର ସହ ଖୁବ୍ ମେଳାପୀ ହୋଇ ଉଠିଥିଲେ। ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଉଭୟ ନେତା ବେଶ୍ ଗପସପ କରିବା ସହ କେଇକ୍ଷଣ ନିଜର ଛାତ୍ର ଜୀବନକୁ ଫେରି ଯାଇଥିଲେ।
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯେତେବେଳେ ଭାଷଣ ଦେବାକୁ ଡକାଗଲା ସେ ମଞ୍ଚ ଓ ମଞ୍ଚ ତଳେ ଉପସ୍ଥିତ ବହୁ ଚିହ୍ନା ମୁହଁଙ୍କ ନାମ ନେବା ସହ ଅରୁଣ ସାହୁଙ୍କ ବାବଦରେ ମଧ୍ୟ କହିବାକୁ ପଛାଇ ନଥିଲେ। ରାଜନୀତିରୁ ଉର୍ଦ୍ଧ୍ବକୁ ଯାଇ ବେଶ୍ ସ୍ମୃତିବିଜଡ଼ିତ ବକ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ।
ଭାଷଣ ଆରମ୍ଭରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ମୋର ପରିଚୟ ଏଠାରେ ଦିଆଯାଉଥିଲା। ଅରୁଣ ବାବୁଙ୍କ ବାବଦରେ କୁହାଗଲା। ତେବେ ହୁଏତ କିଛି କଥା କହିବାକୁ ଅନ୍ୟମାନେ ସଂକୋଚ କରୁଥିବେ। ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ଅରୁଣ ସାହୁଙ୍କ ଠାରୁ ମୁଁ ହାରିଥିଲି।”
ଏହା ଶୁଣିବା ପରେ କରତାଳିରେ ଦର୍ଶକ ଗ୍ୟାଲେରୀ ପୂରି ଉଠିଥିଲା। ଧର୍ମେନ୍ଦ୍ର ପୁଣି କହିଥିଲେ ଯେ “ହାରିଥିବା ଯୋଗୁଁ ଆଜି ଏଇ ଜାଗାରେ ଅଛି। ଅରୁଣ ମଧ୍ୟ ବେଶ୍ ଉଚ୍ଚ ଜାଗାରେ ଅଛନ୍ତି।”
ଉତ୍କଳ ବିଶ୍ବବିଦ୍ୟାଳୟର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୦ କୋଟି ଟଙ୍କା ସହାୟତା ଘୋଷଣା କରିଥିବାରୁ କୃତଜ୍ଞତା ଜଣାଇଥିଲେ ଧର୍ମେନ୍ଦ୍ର।
ପରେ ପରେ ସେ ନିଜର ଛାତ୍ରଜୀବନର ହଷ୍ଟେଲ ସ୍ମୃତି ବଖାଣିଥିଲେ। ପ୍ରସାଦ ହରିଚନ୍ଦନଙ୍କ ବାଗ୍ମୀତାର ମଧ୍ୟ ପ୍ରଶଂସା କରିଥିଲେ। ବାଣୀବିବହାରରେ ଅଧ୍ୟୟନ କାଳରେ ପ୍ରସାଦଙ୍କ ସହ ଗୋଟିଏ କୋଠରୀରେ ରହୁଥିଲେ ଧର୍ମେନ୍ଦ୍ର। ସେ ଉତ୍କଳ ବିଶ୍ବିବିଦ୍ୟାଳୟରେ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା କରିଥିଲେ। ପ୍ରାକ୍ତନ ଛାତ୍ର ପାଣ୍ଠିକୁ ସେ ନିଜର ଗୋଟିଏ ବର୍ଷର ଦରମା ଦାନ କରିଛନ୍ତି।
Comments are closed.