ବ୍ୟାପମ୍ ଦୁର୍ନୀତି: ୩୧ ଅଭିଯୁକ୍ତଙ୍କୁ ଜେଲ
ନୂଆଦିଲ୍ଲୀ: ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତ ବହୁଚର୍ଚ୍ଚିତ ବ୍ୟାପମ ଘୋଟାଲାରେ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଗତ ଗୁରୁବାର ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହି ଘୋଟଲାର ମୁଖ୍ୟ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଦୀପ ତ୍ୟାଗୀକୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଜେଲ୍ ଦଣ୍ଡ ଦେଇଛନ୍ତି ଅଦାଲତ।
୨୦୧୩ରେ ମଧ୍ୟପ୍ରଦେଶରେ କନଷ୍ଟେବଳ ପଦବୀ ପାଇଁ ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ବ୍ୟାପମ ଅଧୀନରେ ହୋଇଥିଲା। କନେଷ୍ଟବଳ ପଦବୀ ପାଇଁ ହୋଇଥିବା ପରୀକ୍ଷାରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଦୋଷୀଙ୍କ ମଧ୍ୟରେ ୧୨ ଜଣ ପରୀକ୍ଷାର୍ଥୀ, ୧୨ ଜଣ ନକଲି ପରୀକ୍ଷାର୍ଥୀ ଓ ୭ ଜଣ ଦଲାଲ ରହିଛନ୍ତି।
ଏହି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ବଦଳରେ ନକଲି ପରୀକ୍ଷାର୍ଥୀ ଆସି ପରୀକ୍ଷା ଦେଇଥିଲେ। ପ୍ରଥମେ ଏହି ଦୁର୍ନୀତି ମାମଲାକୁ ନେଇ ମଧ୍ୟପ୍ରଦେଶର ରାଜେନ୍ଦ୍ର ନଗର ଥାନାରେ ମାମଲା ଦାୟର ହୋଇଥିଲା। ପରେ ତଦନ୍ତ ଦାୟିତ୍ୱ ଏସଟିଏଫକୁ ଦିଆଯାଇଥିଲା। ହେଲେ ସୁପ୍ରିମକୋର୍ଟ ଏହି ମାମଲାରେ ହଠାତ୍ ହସ୍ତକ୍ଷେପ କରି ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲେ।
ଏହାପରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ମାମାଲର ଶୁଣାଣି ହେଉଥିଲା। ୨୦୧୪ରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ଦୀର୍ଘ ୫ ବର୍ଷ ପରେ ଶେଷରେ ରାୟ ଶୁଣାଇଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ।
Comments are closed.