ଜନଗଣନା ପାଇଁ ମାଷ୍ଟର ଟ୍ରେନରମାନଙ୍କ ପ୍ରଶିକ୍ଷଣ
ଭୁବନେଶ୍ୱର : ଭାରତ ସରକାରଙ୍କ ଭୁବନେଶ୍ୱରସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡିଶା ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନ ପକ୍ଷରୁ ଗୋପବନ୍ଧୁ ପ୍ରଶାସନିକ ପ୍ରତିଷ୍ଠାନ ପ୍ରଶିକ୍ଷଣ ସମ୍ମିଳନୀ କକ୍ଷରେ ୨୦୨୧ ଜନଗଣନା ପାଇଁ ପ୍ରଥମ ପର୍ଯ୍ୟାୟରେ ମାଷ୍ଟର ଟ୍ରେନର ମାନଙ୍କ ପାଇଁ ୬ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହି କାର୍ଯ୍ୟକ୍ରମରେ ୬୮ ଜଣ ମାଷ୍ଟର ଟ୍ରେନର ୨ ଟି ପର୍ଯ୍ୟାୟରେ ତାଲିମ ଗ୍ରହଣ କରିବେ ଏବଂ ଏହା ଆସନ୍ତା ଡିସେମ୍ବର ମାସ ୭ ତାରିଖରେ ସମାପ୍ତ ହେବ । ଏହି କାର୍ଯ୍ୟକ୍ରମରେ ଗୃହ ଗଣନା ଓ ଜନସଂଖ୍ୟା ରେଜିଷ୍ଟର ସଂପର୍କରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ଏହି ଅଧିକାରୀମାନେ ଜିଲ୍ଲାସ୍ତରରେ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ତାଲିମ ଦେବେ ଯେଉଁମାନେ କି ଜନଗଣନାକାରୀ ଏବଂ ସୁପରଭାଇଜରମାନଙ୍କୁ ତାଲିମ୍ ପ୍ରଦାନ କରିବେ । ଗୃହ ଗଣନା ସର୍ବେକ୍ଷଣରେ ଗୃହ ଗଣନା କରାଯିବା ସହ ପରିବାରରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ଯଥା, କମ୍ପୁଟର, ଟେଲିଭିଜନ , ମୋବାଇଲ. ଯାନବାହନ, ରୋଷାଇଘର, ପାଇଖାନା, ଗାଧୁଆଘର ଇତ୍ୟାଦି ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୋପବନ୍ଧୁ ପ୍ରଶାସନିକ ତାଲିମ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଏସ୍.ପି.ଠାକୁର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ରୁଦ୍ର ନାରାୟଣ ପଲାଇ ଅତିଥି ଭାବେ ଯୋଗଦେଇ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି, ସେନ୍ସସ୍ ଆକ୍ଟ ଓ ଜନଗଣନା ତଥ୍ୟର ଗୋପନୀୟତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ତାଲିମ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହିତ ରାଜ୍ୟସରକାରଙ୍କ ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ ଏବଂ ପ୍ରତିଷ୍ଠାନର ସଂଯୁକ୍ତ ନିର୍ଦ୍ଦେଶକ ପ୍ରଭାକର ବରାଡ ୨୦୨୧ ଜନଗଣନା ମୋବାଇଲ୍ଆପ୍ ଦ୍ୱାରା କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଥିଲେ ।
ପ୍ରକାଶ ଥାଉକି ୨୦୧୦ ମସିହାର ଏନ୍.ପି.ଆର ସର୍ଭେ ଯାହା ୨୦୧୫ ମସିହାରେ ଚୂଡାନ୍ତ ହୋଇଥିଲା, ଏହି ଏନ୍.ପି.ଆର ରିପୋର୍ଟ ଆସନ୍ତା ୨୦୨୦ ଅପ୍ରେଲ ମାସରୁ ଆରମ୍ଭ ହୋଇ ୪୫ ଦିନ ମଧ୍ୟରେ ପୁନଃ ଅପଡେଟ୍ ( ଅଧୁନାତନକରଣ) କରାଯିବ । ଏହି କାର୍ଯ୍ୟକ୍ରମକୁ ଗୋପବନ୍ଧୁ ପ୍ରଶାସନିକ ତାଲିମ ପ୍ରତିଷ୍ଠାନର ସଂଯୁୁକ୍ତ ଆୟୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିବା ବେଳେ ଉପ ନିର୍ଦ୍ଦେଶିକା ଡଃ. ମମତାରାଣୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଜନଗଣନା ବିଭାଗ ପକ୍ଷରୁ ଜାତୀୟ ସ୍ତରୀୟ ତାଲିମଦାତା (ନ୍ୟାସନାଲ ଟ୍ରେନର) ଡଃ. ଅଭୟ ନାରାୟଣ ନାୟକ ଏବଂ ଉପ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ ଯୋଗଦେଇଥିଲେ । ପରିଶେଷରେ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁଉପ ନିର୍ଦ୍ଦେଶକ ହାରାଧନ କର୍ମୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.