ରୋଗୀ ମୃତ୍ୟୁକୁ ନେଇ ନର୍ସିଂହୋମରେ ଉତ୍ତେଜନା

ଭଣ୍ଡାରିପୋଖରୀ: ଘରୋଇ ନର୍ସିଂହୋମରେ ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ହେଲେ ଯାଜପୁର ଜିଲ୍ଲା କୋଳଥା ଗ୍ରାମର ସ୍ବର୍ଣ୍ଣଲତା ମହାପାତ୍ର। ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ।
ପରିବାରଲୋକଙ୍କ କହିବା ଅନୁସାରେ ସ୍ବର୍ଣ୍ଣଲତାଙ୍କର ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ବାହାଘର ହୋଇଥିଲା। କିନ୍ତୁ ତାଙ୍କର ପିଲାଛୁଆ ହେଉନଥିବାରୁ ପରିବାର ଲୋକ ଭଦ୍ରକର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଉଥିଲେ। ତେବେ ଆଜି ସ୍ବର୍ଣ୍ଣଲତାଙ୍କ ଅସ୍ତ୍ରୋପଚାର ପାଇଁ ଭଦ୍ରକ ମୋଟେଲ ଛକ ସ୍ଥିତ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଓଟି ଭିତରେ ଡାକ୍ତର ଅସ୍ତ୍ରୋପଚାର କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ ଆଣିଥିଲେ। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ନର୍ସିଂହୋମରେ ଉତ୍ତେଜନା ଦେଖାଦେଇଛି। ରୋଗୀଙ୍କ ଅସ୍ତ୍ରୋପଚାର ପୂର୍ବରୁ ଯାହା ପରୀକ୍ଷା କରିବା କଥା ସବୁ ହୋଇଛି। ରିପୋର୍ଟ ସବୁ ଠିକ୍ ଠାକ୍ ଥିଲା। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏଥିରେ ଡାକ୍ତରଙ୍କର କୌଣସି ଅବହେଳା ନଥିବା ଅସ୍ତ୍ରୋପଚାର କରୁଥିବା ଡାକ୍ତର ସଫେଇ ଦେଇଛନ୍ତି। ରୋଗୀଙ୍କର ଟେଷ୍ଟ ରିପୋର୍ଟ ସବୁ ଠିକ୍ ଠାକ୍ ଥାଇ ଅସ୍ତ୍ରୋପଚାର ସମୟରେ ମୃତ୍ୟୁ ହେଲା କିପରି ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନର୍ସିଂହୋମରେ ଉତ୍ତେଜନା ଥିବାରୁ ଘଟଣାସ୍ଥଳରେ ସହରାଞ୍ଚଳ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।
Comments are closed.