Odisha Link
Bridging the Missing Links in Odisha

ପତ୍ନୀଙ୍କ ଦ୍ୱିତୀୟ ବିବାହ କରାଇ ଦେଲେ ନାହିଁ ସ୍ୱାମୀ

ଭୁବନେଶ୍ୱର: ବନ୍ଧୁତାରୁ ପ୍ରେମ। ପ୍ରେମରୁ ବିବାହ ବନ୍ଧନ। ହେଲେ ପରବର୍ତ୍ତୀ ସମୟରେ ସ୍ୱାମୀଙ୍କ ସହ ଜୀବନ ବିତାଇବାକୁ ପସନ୍ଦ କଲେନି ପ୍ରେମିକା। ନିଜ ପରିବାର ଲୋକଙ୍କ ପ୍ରରୋଚନାରେ ପଡି଼ ଅନ୍ୟଆଡ଼େ ବିବାହ କରିବାକୁ ଯୋଜନା କଲେ । ହେଲେ ପତ୍ନୀଙ୍କ ଏମିତି ପ୍ରତାରଣାଭରା ଡ୍ରାମାକୁ ଧରାପକାଇ ଦେଲେ ସ୍ୱାମୀ । ଆଜି ଝିଅର ମଙ୍ଗଳକୃତ୍ୟ ଉତ୍ସବରେ ସେ ବିବାହ ପ୍ରମାଣପତ୍ର ସହ ପହଞ୍ଚିଥିଲା। ଆଉ ଦ୍ୱିତୀୟ ବାହାଘର ପାଇଁ ଅଣ୍ଟା ଭିଡି଼ଥିବା ପତ୍ନୀଙ୍କ ସବୁ ସ୍ୱପ୍ନକୁ ଚୁର୍‌ମାର୍‌ କରି ଦେଇଥିଲେ। ଏମିତି ଏକ ଘଟଣା ଘଟିଛି ନୂଆପଲ୍ଲୀ ଭିଆଇପି କଲୋନି ଅଞ୍ଚଳରେ। ଏହା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୂରା ଘଟଣାଟି ଏମିତି, ଅନୁଗୁଳ ଅଞ୍ଚଳର ରାକେଶ ବାରିକ୍‌ ଓ ଭିଆଇପି କଲୋନିରେ ରହୁଥିବା ପ୍ରଜ୍ଞା(ଛଦ୍ମନାମ)ଙ୍କ ସହ ଏକାଠି ଆଚାର୍ଯ୍ୟବିହାରରେ ବ୍ୟାଙ୍କିଙ୍ଗ କୋଚିଂ ନେଉଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଅଲଗା ଜାତି ଯୋଗୁ ଉଭୟଙ୍କ ପରିବାର କିନ୍ତୁ ବିବାହ ପାଇଁ ଗ୍ରୀନ ସିଗନାଲ ଦେଇନଥିଲେ। ରାକେଶ୍‌ ଓ ପ୍ରଜ୍ଞା ଶେଷରେ ବାଧ୍ୟହୋଇ ୨୦୧୩ ମସିହାରେ କୋର୍ଟ ମ୍ୟାରେଜ୍‌ କରିଥିଲେ। ଏହାପରେ ଧୀରେ ଧୀରେ ଉଭୟଙ୍କ ପରିବାର ମଧ୍ୟ ବିବାହକୁ ସ୍ୱୀକୃତି ଦେଇଥିଲେ । ପରସ୍ପର ଘରକୁ ମଧ୍ୟ ଯିବା ଆସିବା ଲାଗି ରହୁଥିଲା।
ଏହାପରେ ରାକେଶ ଟାଟା ଷ୍ଟିଲରେ ଚାକିରି କରିବାକୁ ଭୁବନେଶ୍ୱର ଛାଡି଼ ପଳାଇଲେ। ସେପଟେ ପ୍ରଜ୍ଞା ମଧ୍ୟ ଏକ ଘରୋଇ ସଂସ୍ଥାରେ ଚାକିରି କରିବାକୁ କୋଲକାତା ଗଲେ। ଗତବର୍ଷ ପ୍ରଜ୍ଞା ଦିଲ୍ଲୀର ନୋଏଡାକୁ ଯାଇ ସେଠାରେ ଅନ୍ୟ ଏକ ସଂସ୍ଥାରେ ଚାକିରି କଲେ । ଇତିମଧ୍ୟରେ ୩-୪ବର୍ଷ ବିତି ଯାଇଥିଲେ ବି ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ଠାକ୍‌ ଥିଲା । ଫୋନ୍‌ରେ ଯୋଗାଯୋଗ ହେଉଥିଲା । ରାକେଶ ମଧ୍ୟ ମେ ମାସରେ ନୋଏଡାରେ ପ୍ରଜ୍ଞାଙ୍କୁ ଭେଟିଥିଲେ । ହେଲେ କିଛି ଦିନ ତଳେ ପ୍ରଜ୍ଞା ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିବା ଏକ ଫଟୋକୁ ଦେଖି ରାକେଶଙ୍କ ସନ୍ଦେହ ହୋଇଥିଲା । ପ୍ରଜ୍ଞାଙ୍କ କିଛି ସହକର୍ମୀଙ୍କ ଠାରୁ ଜାଣିବାକୁ ପାଇଲେ, ପ୍ରଜ୍ଞା ବିହାର ପାଟଣାର ଜଣେ ଯୁବକଙ୍କୁ ନଭେମ୍ବର ୨୮ ତାରିଖରେ ବିବାହ କରିବାକୁ ଯାଉଛନ୍ତି।
ଏହା ଜାଣିବା ପରେ ରାକେଶଙ୍କୁ ପାଦ ତଳୁ ମାଟି ଖସିଗଲା। ସେ ପ୍ରଜ୍ଞାଙ୍କ ପରିବାର ଲୋକଙ୍କୁ ଅନେକଥର ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ଗତ ୨୫ ତାରିଖରେ ଅନୁଗୁଳର ଫ୍ୟାମିଲି କୋର୍ଟରେ ଏନେଇ ଏକ ମାମଲା ଦାୟର କରିଥିଲେ। କୋର୍ଟ ମଧ୍ୟ ବିବାହ ପ୍ରମାଣପତ୍ର ଦେଖି ଅନ୍ୟତ୍ର ବିବାହ ନ କରିବା ପାଇଁ ଆଦେଶ ଦେଇଥିଲେ। କୋର୍ଟଙ୍କ ଦ୍ୱାରା ପ୍ରେରିତ ନୋଟିସକୁ କିନ୍ତୁ ପ୍ରଜ୍ଞାଙ୍କ ପରିବାର ଲୋକ ଅବଜ୍ଞା କରି ଅନ୍ୟତ୍ର ବିବାହ କରିବାକୁ ଉଦ୍ୟମ ଚଳାଇଥିଲେ। ଭିଆଇପି କଲୋନିସ୍ଥିତ ପ୍ରଜ୍ଞାଙ୍କ ଘରେ ଏନେଇ ‘ମେହେନ୍ଦି ଉତ୍ସବ’ ଚାଲିଥିଲା। ଏତିକିବେଳେ ରାକେଶ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ। ଶେଷରେ ନୂଆପଲ୍ଲୀ ଥାନା ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ପ୍ରଜ୍ଞାଙ୍କ ବିବାହ ସ୍ଥଗିତ ରଖା ଯାଇଥିବା ସୂଚନା ମିଳିଛି।

Comments are closed.