Odisha Link
Bridging the Missing Links in Odisha

ବିବାଦ ଘେରରେ’ମର୍ଦାନୀ’-୨

ମୁମ୍ବାଇ : ବଲିଉଡରେ ବର୍ତ୍ତମାନ ଅନେକ ସିନେମାକୁ ନେଇ ବିବାଦ ବଢ଼ୁଛି । ସିନେମା ରିଲିଜ ହେବା ପୂର୍ବରୁ ବିବାଦ ଆରମ୍ଭ ହୋଇଯାଉଛି । ସଲମାନଙ୍କ ସିନେମାଦବଙ୍ଗ୩କୁ ନେଇ ବିବାଦ ଦେଖିବାକୁ ମିଳିଥିବା ସମୟରେ ଏବେ ରାଣୀ ମୁଖାର୍ଜୀଙ୍କ ସିନେମା ‘ମର୍ଦାନୀ ୨’କୁ ନେଇ ବିବାଦ ବଢ଼ିବାରେ ଲାଗିଛି।

ସିନେମାର ଟ୍ରେଲର୍‌ ରିଲିଜ୍‌ ହେବା ଦିନଠୁ ରାଜସ୍ଥାନର କୋଟା ସହରରେ ତୀବ୍ର ବିରୋଧ କରାଯାଉଛି। ଏଥିରେ କୋଟାର ନାଁ ବଦନାମ କରାଯାଇଥିବା ସହରବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପୁଣି ଖବର ଆସିଛି ଯେ ସେଠାକାର ଜଣେ କାଉନ୍‌ସିଲର ଗୋପାଳ ମଣ୍ଡା ଏହି ସିନେମାର ନିର୍ମାତା ଆଦିତ୍ୟ ଚୋପ୍ରା, ନିର୍ଦ୍ଦେଶକ ଗୋପୀ ପୁଥ୍‌ରନ୍ ଓ ସେନ୍‌ସର୍ ବୋର୍ଡ଼ର ଅଧ୍ୟକ୍ଷ ପ୍ରସୂନ୍ ଯୋଶୀଙ୍କ ସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି।

ଗୋପାଳ ମଣ୍ଡାଙ୍କ ଓକିଲ କହିଛନ୍ତି, ଏହି ନୋଟିସ୍‌ରେ ସିନେମାରେ କୋଟା ସହରର ନାଁ ବଦଳାଇବାକୁ ଦାବି କରାଯାଇଛି। ସେହିପରି ସିନେମାରୁ କୋଟା ନାଁ ନ ହଟିବା ପର୍ଯ୍ୟନ୍ତ ଏହାକୁ ରିଲିଜ୍ ହେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି। ଦରକାର ପଡ଼ିଲେ ମାମଲାକୁ ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ନିଆଯିବ।

ଟ୍ରେଲର୍‌ରେ ଜଣେ ସିରିଏଲ୍‌ ରେପିଷ୍ଟ ଓ କିଲର୍‌କୁ ଦେଖାଯାଇଛି ଯିଏ କୋଟା ସହରକୁ ଦେଶର କୋଣ-ଅନୁକୋଣରୁ ଇଞ୍ଜିନିୟରିଂ କୋଚିଂ ନେବାକୁ ଆସୁଥିବା ଝିଅମାନଙ୍କୁ ଦୁଷ୍କର୍ମ କରି ନୃସଂଶ ଭାବେ ହତ୍ୟା କରୁଛି। ଆଉ ଏହା ପରେ ପୁଲିସ୍‌ ଅଫିସର ଶିବାନୀ ରାୟ (ରାଣୀ ମୁଖାର୍ଜୀ) ଦୁଇ ଦିନ ଭିତରେ ଏହି ହତ୍ୟାକାରୀକୁ ଧରିବାକୁ ଅଣ୍ଟା ଭିଡ଼ୁଛନ୍ତି। କୁହାଯାଉଛି ଯେ ଏହା କୋଟାରେ ଘଟିଥିବା ଏକ ସତ ଘଟଣା ଉପରେ ଆଧାରିତ।

ଟ୍ରେଲର୍‌ ଦେଖିବା ପରେ କୋଟାର କିଛି ସଂଗଠନ ସହିତ ଅନେକ ବ୍ୟକ୍ତି ବିଶେଷ ଏହାକୁ ବିରୋଧ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ଦେଶର କୋଣ-ଅନୁକୋଣରୁ କୋଚିଂ ନେବାକୁ ଏଠାକୁ ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ସିନେମାରେ ସହରର ଛବିକୁ ଖରାପ କରାଯାଇଛି।

‘ମର୍ଦାନୀ-୨’ ୨୦୧୪ରେ ଆସିଥିବା ରାଣୀଙ୍କ ସିନେମା ‘ମର୍ଦାନୀ’ର ଭାଗ ୨। ଏଥିରେ ରାଣୀ ଆଇପିଏସ୍ ଅଫିସର୍ ଶିବାନୀ ଶିବାଜୀ ରାୟ ଭୂମିକାରେ ଅଭିନୟ କରିଛନ୍ତି। ସିନେମାଟି ଚଳିତବର୍ଷ ଡିସେମ୍ବର ୧୩ରେ ପରଦାକୁ ଆସିବ।

Comments are closed.