Odisha Link
Bridging the Missing Links in Odisha

ପାଠାଗାର ସମସ୍ତଙ୍କ ନିକଟରେ ପହଞ୍ଚୁ : ଅରୁଣ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ଓ ଗାନ୍ଧୀନଗରସ୍ଥିତ ଇନ୍‍ଫର୍‍ମେସନ୍‍ ଆଣ୍ଡ ଲାଇବ୍ରେରୀ ନେଟ୍‍ୱାର୍କ (ଇନ୍‍ଫ୍ଲିବ୍‍ନେଟ୍‍) ମିଳିତ ସହଯୋଗରେ କିଟ୍‍ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁବାର ଦ୍ୱାଦଶ ଇଣ୍ଟରନ୍ୟାସ୍‍ନାଲ୍‍ କ୍ୟାଲିବର୨୦୧୯ ଉଦ୍‍ଘାଟିତ ହୋଇଯାଇଛି । ଉଦ୍‍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ, ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ ସାହୁ କହିଲେ, ପାଠାଗାର ପ୍ରତି ସମସ୍ତଙ୍କର ଆଗ୍ରହ ବୃଦ୍ଧି ଲାଗି ସଚେତନତା ସୃଷ୍ଟି ହେବା ଆବଶ୍ୟକ ।

ପୂର୍ବରୁ ଛାତ୍ରଛାତ୍ରୀ ମାନେ ଅଧିକ ସମୟ ପାଠାଗାର ବିତାଉଥିବାବେଳେ ଏବେ ଇଣ୍ଟରନେଟ୍‍ର ସହାୟତା ନେଉଛନ୍ତି । ଏହାର କାରଣ ହେଉଛି ବର୍ତ୍ତମାନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ଧୈର୍ଯ୍ୟର ଅଭାବ । ପାଠାଗାର କିପରି ସମସ୍ତଙ୍କ ନିକଟରେ ଅତି ସହଜରେ ପହଞ୍ଚି ପାରିବ ସେଥିପାଇଁ ଏହି ସମ୍ମିଳନୀରେ ଯୋଗଦେଇଥିବା ଗ୍ରନ୍ଥାଗାରିକ ଓ ବିଶେଷଜ୍ଞ ପନ୍ଥା ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି ଡ. ସାହୁ କହିଥିଲେ ।

ସମ୍ମାନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଭାଇସ୍‍-ଚେୟାରପର୍ସନ ପ୍ରଫେସର ଅଶୋକ ଦାସ ଯୋଗଦେଇ କହିଲେ, ପାଠାଗାର ସମସ୍ତଙ୍କ ପାଇଁ ମନ୍ଦିର ସଦୃଶ । ବର୍ତ୍ତମାନର ପ୍ରଯୁକ୍ତି ଯୁଗରେ ଆମେମାନେ ଇଣ୍ଟରନେଟ୍‍ ସହାୟତାରେ ଅଣସ୍ୱୀକୃତୀପ୍ରାପ୍ତ ପାଠାଗାର ବ୍ୟବହାର କରୁଛେ । ଭବିଷ୍ୟତର ପାଠାଗାର ସମସ୍ତଙ୍କ ପାଇଁ ଆରାମଦାୟକ ସ୍ଥାନ ହେବା ଉଚିତ ବୋଲି ପ୍ରଫେସର ଦାସ କହିଥିଲେ । ସମସ୍ତ ସ୍ୱୀକୃତି ପ୍ରାପ୍ତ ପାଠ୍ୟପୁସ୍ତକ ଯେପରି ଗୋଟିଏ ଡିଜିଟାଲ୍‍ ପ୍ଲାଟଫର୍ମରେ ମିଳିପାରିବ ସେଥିପାଇଁ ଡଜିଟାଲ୍‍ ସୁଟକେଶ୍ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମିଳନୀରେ ଉତ୍ତର ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଟି. ଡି. କେମ୍ପାରାଜୁ ଯୋଗଦେଇ କହିଲେ, ଆମର ଜୀବନ ଓ ଦୈନନ୍ଦୀନ କାର୍ଯ୍ୟାବଳୀରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ପ୍ରମୁଖ ସ୍ଥାନ ଅଧିକାର କରିଛି । ଏପରି କୌଣସି କାମ ନାହିଁ ଯେଉଁଥିରେ ପ୍ରଯୁକ୍ତିର ବ୍ୟବହାର ନ ହେଉଛି । ଗ୍ରନ୍ଥାଗାର କ୍ଷେତ୍ରରେ ମଧ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ପ୍ରଭାବ ରହିଛି । ବର୍ତ୍ତମାନ ଗ୍ରନ୍ଥାଗାରର ପରିଚାଳନା ଓ ବ୍ୟବହାର ପାଇଁ ପ୍ରଯୁକ୍ତି ବ୍ୟବହାର କରି ବହୁ କୌଶଳ ବାହାରିଲାଣି ।

ତେଣୁ ଗ୍ରନ୍ଥାଗାରିକମାନେ ଏଥି ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ଇନ୍‍ଫ୍ଲିବ୍‍ନେଟ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଜେ. ପି. ସିଂହ ଜୁରେଲ୍‍ ଯୋଗଦେଇ ସୂଚନା ଓ ଗ୍ରନ୍ଥାଗାର କ୍ଷେତ୍ରରେ ଇନ୍‍ଫ୍ଲିବ୍‍ନେଟ୍‍ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଇନ୍‍ଫ୍ଲିବ୍‍ନେଟ୍‍ ପକ୍ଷରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଇ ଏ କ୍ଷେତ୍ରରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଆପ୍ଲିକେସନ୍‍ (ଆପ୍‍) ସଂପର୍କରେ କହିଥିଲେ ।

କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ପାଠାଗାର କ୍ଷେତ୍ରରେ ପାଠାଗାର ପରିଚାଳନା ଓ ବ୍ୟବହାର କ୍ଷେତ୍ରରେ କିଟ୍‍ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ଅଗ୍ରାଧିକାର ଦେଇ ଆସୁଛି । ଏଠାରେ ପାଠାଗାର ପରିଚାଳନା ଓ ବ୍ୟବହାର ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଜଣେ ଛାତ୍ର ଚାହିଁଲେ ଗୋଟିଏ ସ୍ଥାନରେ ବସି କିଟରେ ଥିବା ସମସ୍ତ ପାଠାଗାର ବ୍ୟବହାର କରିପାରିବ ।

ସମ୍ମିଳନୀ ନିର୍ଦ୍ଦେଶକ ପ୍ରଫେସର ସି ଆର ସି ଆର କାରିସିଦାପ୍ପା କହିଲେ, ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାକୁ ଖାପ୍‍ ଖୁଆଇ ଗ୍ରନ୍ଥାଗାରିକମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର ମୁଖ୍ୟ ଗ୍ରନ୍ଥାଗାରିକ ତଥା ସମ୍ମିଳନୀ ଆୟୋଜନ କମିଟିର ସମ୍ପାଦିକା ଡ. ବିଜୟଲକ୍ଷ୍ମୀ ରାଉତରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ୟାଲିବର ୨୦୧୯ର ଆବାହକ ଡ. ଏଚ୍‍ ଜି ହୋସାମଣି ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.