ଜଳ ସଂପଦ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ
ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସକାଳେ ଅଚାନକ ଖୋର୍ଦ୍ଧା ଗସ୍ତ କରି ଜିଲ୍ଲା କ୍ଷୁଦ୍ର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ସେଠାରେ ପହଁଚି କାର୍ଯ୍ୟାଳୟର ଉପସ୍ଥାନ ଖାତା ଯାଂଚ କରି ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଜାଣିବାକୁ ପାଇଥିଲେ । କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ ସଂପାଦନ ଉପରେ ମନ୍ତ୍ରୀ ଦାସ ନିର୍ବାହୀ ଯନ୍ତ୍ରୀ ଜଗତଜ୍ୟୋତି ଶତପଥୀ ଏବଂ ଅନ୍ୟ ଯନ୍ତ୍ରୀମାନଙ୍କୁ ପଚାରି ବୁଝିବା ସହିତ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କାର୍ଯ୍ୟାଳୟର ପରିବେଶକୁ ଅଧିକ ସଫାସୁତୁରା ରଖିବାକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟର ବିଦ୍ୟୁତ୍ ୱେୟାରିଂ ବ୍ୟବସ୍ଥା ଅବ୍ୟବସ୍ଥିତ ଥିବାରୁ ଏହାକୁ ତୁରନ୍ତ ମରାମତି କରି ବ୍ୟବସ୍ଥିତ କରିବାକୁ ମନ୍ତ୍ରୀ ଦାସ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟାଳୟରେ କେତେକ କର୍ମଚାରୀ ପଦବୀ ଖାଲିଥିବାରୁ ନିର୍ବାହୀ ଯନ୍ତ୍ରୀ ଶତପଥୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୁବ୍ ଶୀଘ୍ର ଏହି କାର୍ଯ୍ୟାଳୟରେ ଖାଲିଥିବା ପଦବୀଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ ।
ପରେ ପରେ ମନ୍ତ୍ରୀ ଦାସ ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ମଧ୍ୟ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିବା ସହିତ ଇ-ଲାଇବ୍ରେରୀ କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ଗ୍ରନ୍ଥାଗାରିକଙ୍କଠାରୁ ପଚାରି ବୁଝିଥିଲେ । ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପଦବୀ ଖାଲି ପଡିଥିବା ଓ ଏହି ଦାୟିତ୍ୱରେ ଭୁବନେଶ୍ୱର ଡିଆଇପିଆରଓ ରହିଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ବିଭାଗୀୟ କାର୍ଯ୍ୟ ପରିଚାଳନାରେ ଅସୁବିଧା ହେଉଥିବା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଖୁବ୍ ଶିଘ୍ର ଖୋର୍ଦ୍ଧା ଜିଲ୍ଲାରେ ନିୟମିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପଦବୀ ପୂରଣ କରାଯିବା ନେଇ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଦାସ ସୂଚନା ଦେଇଛନ୍ତି ।
Comments are closed.