‘ମିଶନ ସୁବିଦ୍ୟା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏଥିରେ କଣ ରହିଛି ସୁବିଧା ଜାଣନ୍ତୁ

ଭୁବନେଶ୍ବର: ଆଜି ଲୋକସେବା ଭବନରେ ‘ମିଶନ ସବୁିଦ୍ୟା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ୍ରେ ଯୋଗାଇ ଦିଆଯାଉଥିବା ମୌଳିକ ସୁବିଧାର ମାନ ବୃଦ୍ଧି। ଏହି ଯୋଜନା ଅଧୀନରେ ହଷ୍ଟେଲ ବିଲ୍ଡିଂ, ଶୌଚାଳୟ, ବିଶୁଦ୍ଧ ପିଇବା ପାଣି ଭଳି ସୁବିଧାର ମାନ ସୁନିଶ୍ଚିତ କରାଯିବ। ଏନେଇ ରାଜ୍ୟ ସରକାର ଓ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ, ଅକ୍ଷରା ଫାଉଣ୍ଡେସନ୍, TRIFED ମଧ୍ୟରେ ତିନିଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।
ମିଶନ୍ର ଶୁଭାରମ୍ଭ ନେଇ ଖୁସି ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ୍ ଦ୍ୱାରା SC-ST ହଷ୍ଟେଲରେ ଯୋଗାଇଦିଆଯାଉଥିବା ସୁବିଧାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ଏହି ହଷ୍ଟେଲଗୁଡ଼ିକୁ ISO 9001-2015 ମାନ୍ୟତା ପ୍ରାପ୍ତ କରାଇବାନେଇ କାର୍ଯ୍ୟ କରିବେ। ଏନେଇ କ୍ୱାଲିଟି କାଉନସିଲ ଅଫ୍ ଇଣ୍ଡିଆର ଡିଜି ଆର.ପି ସିଂହ ଏବଂ ଆଦିବାସୀ ବ୍ୟାପାର ନିର୍ଦ୍ଦେଶକ ସଚିନ୍ ଯାଦବ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।
ପିଲାମାନେ କିପରି ଉନ୍ନତମାନର ଶିକ୍ଷା ପାଇପାରିବେ ସେ ଦିଗରେ ଅକ୍ଷରା ଫାଉଣ୍ଡେସନ୍ କାର୍ଯ୍ୟ କରିବ। ଏନେଇ ସଂସ୍ଥା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯାଇଛି। ଏହା ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଏଥିସହ ଆଦିବାସୀଙ୍କ ଦ୍ୱାରା ଉତ୍ପାଦ ସାମଗ୍ରୀ ନିମନ୍ତେ ବଜାର ସ୍ଥିର କରିବା ନେଇ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଟ୍ରାଇଫେଡ୍ର ଅମିତ ଭଟ୍ଟନାଗର ଓ TDCCOL ଏମ୍ଡି ଶରତ ମହାନ୍ତିଙ୍କ ବୁଝାମଣାପତ୍ର ସ୍ୱାକ୍ଷର ।
Comments are closed.