ଉନ୍ନାଓ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର
ଉନ୍ନାଓ : ଉନ୍ନାଓ ଗଣଦୁଷ୍କର୍ମରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଏବେ ସେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି’।
ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଶୁଭମ, ହରିଶଙ୍କର, ଉମେଶ ଏବଂ ରାମ କିଶୋର। ଏହି ୫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଦୁଷ୍କର୍ମ ମାମଲାରେ ସଂପୃକ୍ତ ରହିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୀଡ଼ିତା ଏତଲା ଦେବା ପରେ ଗିରଫ ହୋଇଥିଲା। ଏବେ ସେ ଜାମିନରେ ଜେଲରୁ ବାହାରିଥିଲା। ଜେଲରୁ ଅଭିଯୁକ୍ତ ଜାମିନରେ ବାହାରିବା ପରେ ୪ ଜଣଙ୍କ ସହ ମିଶି ପୀଡ଼ିତାକୁ ମାରିବାକୁ ଚେଷ୍ଟା କରି କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ପୀଡ଼ିତା ନିଆଁର ଶିକାର ହେବା ପରେ ଦୌଡ଼ି ଦୌଡ଼ି ୧ କିଲୋମିଟର ଆସିଥିଲା। ଏହି ସମୟରେ ସେ ପୁଲିସର ସାହାଯ୍ୟ ପାଇଁ ଗୁହାରୀ କରିଥିଲା। ହେଲେ ପୁଲିସ ଶୁଣିନଥିଲା। ନିଆଁରେ ଚାଲି ଚାଲି ଘର ପାଖରେ ପହଞ୍ଚିବା ପରେ ପରିବାର ଲୋକେ ମଧ୍ୟ ନିଜ ଝିଅକୁ ଚିହ୍ନିପାରିନଥିଲେ। ଏହାପରେ ନିଜର ପରିଚୟ ଦେବା ପରେ ପରିବାର ଲୋକେ ହତବାକ୍ ହୋଇଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେବା ପରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସରେ ପୀଡ଼ିତା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ଏବେ ଏହି ଦୁଷ୍କର୍ମ ମାମଲା ଉନ୍ନାଓର ଏକ ସ୍ଥାନୀୟ କୋର୍ଟରେ ଶୁଣାଣି ଚାଲିଛି।
Comments are closed.