୬ ଜିଲ୍ଲାର ସ୍ୱାସ୍ଥ୍ୟଭୂମିର ଉନ୍ନତିକରଣ ହେବ
ଭୁବନେଶ୍ବର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋ ସରକାର ଟିମର ପରିଦର୍ଶନ ପରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ୬ଟି ଜିଲ୍ଲାକୁ ମୋ ସରକାର ଟିମର ଗସ୍ତ ପରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ତେବେ ୬ଟି ଜିଲ୍ଲା ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡା, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୬ଟି ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିକୁ ସହାୟତା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି।
ସେହିପରି ୬ଟି ଜିଲ୍ଲାରେ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ପୋଲିସ ଏସପିଙ୍କୁ ୧୦ ଲକ୍ଷ ଲେଖାଏଁ ମିଳିବ। ଏଥିସହ ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ନିର୍ମାଣ ହେବ ବିଶ୍ରାମ କକ୍ଷ। ସମ୍ବଲପୁର ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ। ୫୦ଟି ଅତିରିକ୍ତ ଶଯ୍ୟା ସହ କାଜୁଆଲିଟି, ବହିର୍ବିଭାଗ କୋଠା ବି ନିର୍ମାଣ ହେବ। ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ନିର୍ମାଣ ହେବ ମାଆ ଗୃହ। ଖାଲି ସେତିକି ନୁହେଁ ରୋଗୀ ପରୀକ୍ଷା ପାଇଁ ବି ବ୍ୟବସ୍ଥା କରାଯିବ। ଲାବ୍ରୋଟୋରୀ ଉନ୍ନତିକରଣ, ଡାଏଲିସିସ୍ ୟୁନିଟ ଏବଂ ଆଇସିୟୁ ପ୍ରତିଷ୍ଠା ହେବ। ବୁର୍ଲା ଭୀମସାରରେ ଏକ ସାଟେଲାଇଟ ସେଣ୍ଟର ବିକଶିତ କରାଯିବ। ଅନୁଗୁଳ ହସ୍ପିଟାଲରେ ଶଯ୍ୟା ସଂଖ୍ୟାକୁ ୧୯୨ରୁ ୩୦୦କୁ ବୃଦ୍ଧି କରାଯିବ। କେନ୍ଦ୍ରାପଡାରେ, ସୋନପୁରରେ ଶଯ୍ୟା ବୃଦ୍ଧି ସହ ଅନେକ ଭିତ୍ତିଭୂମି ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି। ତେବେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ୨୪ ମାସରେ ଶିକ୍ଷାଦାନ ଓ ହସ୍ପିଟାଲ ବିଲ୍ଟିଂ କାମ ଶେଷ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.