ଶାରୀ ଓ ପଞ୍ଜୁରୀ

ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା
ଶାରୀ ଓ ପଞ୍ଜୁରୀ
ନିଃସଙ୍ଗ ବାଲକୋନୀରେ
ଏକା ଏକା ଝୁଲୁଥିବା
ପଞ୍ଜୁରୀକୁ ଦେଖ, ଓ ତା’ ଭିତରେ
ଖୁଦ ଖୁଣ୍ଟି ଖାଉଥିବା ଶାରୀଟିକୁ
ଦେଖ…
ସେ ପଞ୍ଜୁରୀ ଦିଶୁଛି କି ତୁମକୁ
ପୃଥିବୀ ଭଳି?
ଆକାଶ ଭଳି, ସବୁଜ ପତ୍ର ଭଳି,
ନେନ୍ଥାଏ ଫୁଲ ଭଳି ?
ସେ ଶାରୀର ଡାକ ଶୁଭୁଚି କି
ତୁମକୁ
ସକାଳର ଗୀତ ଭଳି ?
ଯଦି ହଁ, ତେବେ ଏ କବିତା
ତୁମ ପାଇଁ ନୁହେଁ !
ଶୁଣ, ସେ ଶାରୀର ସ୍ୱର ଗୋଟେ
ଏକୁଟିଆ
ଉପତ୍ୟକାର ଡାକ,
ଯୋଉଠି ଖାଁ ଖାଁ
ସବୁ ଖରାବେଳ…
ଦେଖ, ସେ ଶାରୀର ଆଖି ହଳେ
କୃଷ୍ଣଗର୍ତ୍ତ,
ଯାହାକୁ ଛୁଇଁ ଉଭେଇଯାଏ
ଘାସଫୁଲ ଉପରୁ
ଶେଷ ବିନ୍ଦୁ କାକର
ଛୁଅଁ, ସେ ଶାରୀର ଡେଣା ତଳ
ନରମନିଆଁକୁ,
ସେ ନିଆଁରେ ଆକାଶର ନୀଳସ୍ଵପ୍ଣ
ଅହରହ ଜଳେ,
ଡେଣା ବି ତରଳେ !
ଡାକ, ସେ ଶାରୀକୁ
କେହି ନ ଶୁଣିଲା ଭଳି,
ସେ ଡାକର ପ୍ରତିଧ୍ୱନି
ଏକ ବ୍ୟର୍ଥ
ବିଳାପ ପରି ଶୁଭିବ ତୁମକୁ
ଖୋଜ,
ନିଜ ଭିତରେ
ସେ ପଞ୍ଜୁରୀର ଭୋକ,
ଅସଂଖ୍ୟ ନିରୀହ ଶାରୀ
ଦିଶିବେ ତୁମକୁ
ଶ୍ବାସରୁଦ୍ଧ, ପ୍ରେମର ପଘାରେ
ଏବେ ସେ ପଞ୍ଜୁରୀକୁ
ଆଉଥରେ ଦେଖ,
ସେ ପଞ୍ଜୁରୀରେ
ଦେଖୁଛ କି ତୁମେ ଶାରୀଟିଏ,
ଯିଏ ନିରବଧି ରାମ ରାମ ଜପେ !
ଯଦି ହଁ, ତେବେ ଏ କବିତା
ତୁମ ପାଇଁ ନୁହେଁ !
Comments are closed.