Odisha Link
Bridging the Missing Links in Odisha

ସମ୍ବଲପୁରରେ ହେବ ସୈନିକ ସ୍କୁଲ

ନୂଆଦିଲ୍ଲୀ: ଦେଶରେ ନୂଆ ୫ଟି ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ଏଥିମଧ୍ୟରୁ ଗୋଟିଏ ଓଡ଼ିଶାର ସମ୍ବଲପୁରଠାରେ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି। ଏହି ସ୍କୁଲ ୨୦୨୦ ଏପ୍ରିଲ ପହିଲାରୁ ଆରମ୍ଭ ହେବ। ଏହାଛଡ଼ା ଉତ୍ତର ପ୍ରଦେଶର ଆମେଥି, ରାଜସ୍ଥାନର ଅଲୱର, ଉତରାଖଣ୍ଡର ରୁଦ୍ରପ୍ରୟାଗ, ତେଲଙ୍ଗାନାର ୱାରାଙ୍ଗଲରେ ମଧ୍ୟ ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ଏ ସଂକ୍ରାନ୍ତରେ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ସୈନିକ ସ୍କୁଲ ପ୍ରତିଷ୍ଠା କରାଯାଇଥାଏ। ରାଜ୍ୟ ସରକାର ଏଥିପାଇଁ ଜମି ଯୋଗାଇ ଦେବା ସହ ମୌଳିକ ଭିତିଭୂମି, ସରଞ୍ଜାମ କ୍ରୟ ଓ ଅନ୍ୟ ସୁବିଧା ସହ ରାଜ୍ୟର ଶ୍ରେଷ୍ଠ କ୍ୟାଡେଟଙ୍କୁ ବୃତି ପ୍ରଦାନ କରିବା ଲାଗି ପାଣ୍ଠି ଗଠନ କରିଥାନ୍ତି। ରାଜ୍ୟ ସରକାରଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ସୈନିକ ସ୍କୁଲ ସୋସାଇଟିର ଅଧିକାରୀ ସ୍ଥାନ ପରିଦର୍ଶନ କରି ଚୁଡ଼ାନ୍ତ ନିଷ୍ପତ୍ତି ନେଇଥାନ୍ତି। ସୈନିକ ସ୍କୁଲର ଛାତ୍ରଛାତ୍ରୀ ଭାରତୀୟ ସଶସ୍ତ୍ର ସେନାବାହିନୀରେ ବଡ଼ ପଦରେ ରହିବା ସହ ଜନସେବା, ପ୍ରଶାସନ ଓ ଗଣମାଧ୍ୟମ କ୍ଷେତ୍ରରେ ମଧ୍ୟ ପ୍ରତିଷ୍ଠିତ ହେବାର ନଜିର ରହିଛି। ସୈନିକ ସ୍କୁଲର ପ୍ରଦର୍ଶନ ଏବଂ ଶିକ୍ଷାଦାନର ମାନକୁ ନେଇ ସରକାର ସନ୍ତୁଷ୍ଟ। ଜାତୀୟ ପ୍ରତିରକ୍ଷା ଏକାଡେମୀ, ଭାରତୀୟ ନୌସେନା ଏକାଡେମୀ, ସେନାଧିକାରୀ ତାଲିମ ଏକାଡେମୀ ଆଦିରେ ବହୁସଂଖ୍ୟକ କ୍ୟାଡେଟ ଯୋଗ ଦେବାରୁ ସୈନିକ ସ୍କୁଲର ଉପଯୋଗିତା ପ୍ରମାଣିତ ହୋଇଛି। ଆହୁରି ପରିବର୍ତ୍ତିତ ଶିକ୍ଷାଦାନ ଆବଶ୍ୟକତା ସହ ଖାପଖୁଆଇବା ପାଇଁ ସୈନିକ ସ୍କୁଲର ଶିକ୍ଷକଙ୍କ ପାଇଁ ନିୟମିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

Comments are closed.