ହରିଦ୍ୱାର-ଋଷିକେଶକୁ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଯୋଗେ ବାଲେଶ୍ୱର ଷ୍ଟେସନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଇଆରସିଟିସି ସହଯୋଗରେ ୨୦୧୬ରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏ ପର୍ଯ୍ୟନ୍ତ ୧୨ଟି ତୀର୍ଥଯାତ୍ରୀ ଦଳ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ବୁଲି ଦେଖିବାର ସୁଯୋଗ ପାଇଛନ୍ତି । ଆଜି ବାଲେଶ୍ୱର ଷ୍ଟେସନରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୯୭୦ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
ତୀର୍ଥଯାତ୍ରାରେ ଯାଉଥିବା ଯାତ୍ରୀମାନେ ସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବାଲେଶ୍ୱର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟେତିପ୍ରକାଶ ପାଣିଗ୍ରାହୀ, ବିଧାୟକମାନେ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ବିଦାୟ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ଯାତ୍ରା ଶୁଭକାମନା ଜଣାଇଥିଲେ ।
ସୂଚନା ଯୋଗ୍ୟ ଯେ, ୨୦୧୬ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି । ୨୦୧୯-୨୦ ବର୍ଷରେ ଆଉ ତିନିଗୋଟି ତୀର୍ଥଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ(ଜାନୁଆରୀ ୨୦୨୦), (୨) ସମ୍ବଲପୁରରୁ ଆଗ୍ରା-ମଥୁରା-ବୃନ୍ଦାବନ(ଫେବୃଆରୀ ୨୦୨୦), (୩) ଭୁବନେଶ୍ୱରରୁ ଆଲାହାବାଦ- ବନାରସ(ଫେବୃଆରୀ ୨୦୨୦)କୁ ଭ୍ରମଣର ସୁଯୋଗ ପାଇପାରିବେ ।
Comments are closed.