ଫୋବର୍ସ: ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ନିର୍ମଳା ସୀତାରମଣ, ଭାରତର..
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଫୋବର୍ସ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳା ତାଲିକା। ଏଥିରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ତାଲିକାର ୩୪ତମ ସ୍ଥାନ ପାଇଛନ୍ତି। ସୀତାରମଣଙ୍କ ବ୍ୟତୀତ ଏହି ତାଲିକାରେ ଏଚସିଏଲର ସିଇଓ ତଥା ନିର୍ବାହୀ ନିର୍ଦେଶକ ରୋଶନୀ ନାଦାର ମାଲହୋତ୍ରା ଏବଂ ବିକନ୍ର ପ୍ରତିଷ୍ଠାତା କିରଣ ମଜୁମଦାର ପ୍ରମୁଖ ରହିଛନ୍ତି। ତେବେ ନବମ ଥର ପାଇଁ ଶୀର୍ଷ ଶକ୍ତିଶାଳୀ ମହିଳା ତାଲିକାରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ରହିଛନ୍ତି।
ପ୍ରଥମ ୫ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ଶୀର୍ଷରେ ରହିଛନ୍ତି। ସେ ୨୦୦୫ରେ ପ୍ରଥମ ଥର ପାଇଁ ଜର୍ମାନୀର ଚାନସେଲର ହୋଇଥିଲେ। ଏବେ ସେ ତାଙ୍କର ଚତୁର୍ଥ ଥର କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି। ଜର୍ମାନୀର ସେ ହେଉଛନ୍ତି ପ୍ରଥମ ମହିଳା ଚାନସେଲର। ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ତଥା ଫ୍ରାନ୍ସ କ୍ରିଷ୍ଟିନା ଲେଗାର୍ଡ ଦ୍ୱିତୀୟ ଶକ୍ତିଶାଳୀ ମହିଳା ତାଲିକାରେ ରହିଛନ୍ତି। ୟୁରୋପ ସେଣ୍ଟ୍ରାଲ ବ୍ୟାଙ୍କ ତଥା ଇସିବିର ସେ ହେଉଛନ୍ତି ପ୍ରଥମ ମହିଳା ପ୍ରମୁଖ ଅଧିକାରୀ। ତୃତୀୟରେ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନସି ପେଲୋସି, ଚତୁର୍ଥରେ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଓ୍ୱାନ ଡେର ଲେଏନ ଓ ପଞ୍ଚମରେ ଜେନେରାଲ ମୋଟର୍ସର ସିଇଓ ମେରି ବରୀ ରହିଛନ୍ତି।
Introducing: The World's Most Powerful Women 2019 https://t.co/p9iLTLZgn8 #PowerWomen pic.twitter.com/KKKIz6B7IX
— Forbes (@Forbes) December 12, 2019
୨୦୧୯ରେ ବିଶ୍ଵରେ ଅନେକ ମହିଳା ସେମାନଙ୍କ ନେତୃତ୍ଵର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଦେଶର ସରକାର, ବ୍ୟବସାୟ ଏବଂ ଗଣମାଧ୍ୟମରେ ମହିଳାମାନେ ସେମାନଙ୍କ ନେତୃତ୍ଵ ନେବାର ଦକ୍ଷତାକୁ ସଫଳ ରୂପେ ପ୍ରତିପାଦନ କରିଛନ୍ତି ବୋଲି ଫୋର୍ବସ ପକ୍ଷରୁ କୁହାଯାଇଛି।
ଭାରତୀୟଙ୍କ ଦବଦବା:
ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ସୀତାରମଣ ପ୍ରଥମ ଥର ପାଇଁ ଫୋର୍ବସ ତାଲିକାରେ ସ୍ଥାନ ପାଇଛନ୍ତି। ସେ ତାଲିକାର ୩୪ ତମ ସ୍ଥାନରେ ରହିଛନ୍ତି। ସୀତାରମଣ ପୂର୍ବରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ଵ ତୁଲାଇ ସାରିଛନ୍ତି। ସେହିପରି ନାଦାର ମାଲହୋତ୍ରା ୫୪ତମ ସ୍ଥାନରେ ରହିଛନ୍ତି। ସେ ଏଚସିଏଲର ସିଇଓ ଭାବେ କମ୍ପାନୀର ସମସ୍ତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥାନ୍ତି। ସେ କମ୍ପାନୀର ସିଏସଆର କମିଟିର ଅଧ୍ୟକ୍ଷ ଏବଂ ଶିବ୍ନାଦାର ଫାଉଣ୍ଡେଶନର ଟ୍ରଷ୍ଟି ମଧ୍ୟ ରହିଛନ୍ତି। ଏହି ଫାଉଣ୍ଡେଶନ ଶିକ୍ଷାକୁ ଗୁରୁତ୍ଵ ଦେବା ସହିତ ଏହାର ଗୁଣାତ୍ମକ ବିକାଶ ଲାଗି ଭାରତରେ କେତେକ କଲେଜ ଏବଂ ସ୍କୁଲ ପ୍ରତିଷ୍ଠା କରିଛି। କିରଣ ମଜୁମଦାର ତାଲିକାର ୬୫ତମ ସ୍ଥାନରେ ଅଛନ୍ତି। ସେ ହେଉଛନ୍ତି ଭାରତର ସବୁଠାରୁ ବଡ଼ ବାୟୋଫାର୍ମାସ୍ୟୁଟିକାଲ କମ୍ପାନୀ ବିକନ୍ର ପ୍ରତିଷ୍ଠାତା।
Comments are closed.