ଆଜି ନିର୍ଭୟା ମାମଲାର ପୁନର୍ବିଚାର ଶୁଣାଣି
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ପୁନର୍ବିଚାର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ। ଏହି ଶୁଣାଣି ଗତକାଲି ହେବାକୁ ଥିଲେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡ଼େ ଏଥିପାଇଁ ଗଠିତ ବେଞ୍ଚରୁ ନିଜକୁ ପ୍ରତ୍ୟାହାର କରିବା ପରେ ଏକ ନୂଆ ବେଞ୍ଚ ଗଠନ କରାଯାଇଥିଲା ତେଣୁ ଶୁଣାଣି ଘୁଞ୍ଚିଥିଲା। ପ୍ରଧାନ ବିଚାରପତିଙ୍କ ପୁତୁରା ପୂର୍ବରୁ ଏହି ମାମଲାରେ ନିର୍ଭୟାର ପକ୍ଷ ରଖିଥିବାରୁ ମାମଲାର ନିରପେକ୍ଷତା ପାଇଁ ପ୍ରଧାନ ବିଚାରପତି ନିଜକୁ ଏହି ବେଞ୍ଚରୁ ପ୍ରତ୍ୟାହାର କରିନେଇଥିଲେ । ଏହି ମାମଲାର ଶୁଣାଣି ପାଇଁ ଆଜି ଏକ ତିନିଜଣିଆ ବେଞ୍ଚ ଗଠନ କରାଯାଇଛି । ଏହି ଶୁଣାଣି ସଂପର୍କରେ ନିର୍ଭୟାଙ୍କ ମା’ କହିଛନ୍ତି ଯେ ଆଜି କୋର୍ଟରେ ଅଭିଯୁକ୍ତର ପୁନର୍ବିଚାର ଆବେଦନ ଖାରଜ ହେବ ବୋଲି ସେ ଆଶା ରଖିଛନ୍ତି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଅକ୍ଷୟ କୁମାର ସିଂର ନିଜର ପୁନର୍ବିଚାର ଆବେଦନରେ ଅକ୍ଷୟ ଦର୍ଶାଇଥିଲା ଯେ ଦିଲ୍ଲୀର ପ୍ରଦୂଷଣ କାରଣରୁ ସେ ଆପେ ଆପେ ମରିଯିବ, ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ ।
Comments are closed.