Odisha Link
Bridging the Missing Links in Odisha

ସୂର୍ଯ୍ୟ ମନ୍ଦିରରୁ ଖୋଲାଯାଉଛି ଲୁହା ପାଇପ

କୋଣାର୍କ: ଦୀର୍ଘ ଦଶନ୍ଧି ଧରି ଲୁହା ଶିକୁଳିରେ ବନ୍ଧା ହୋଇ ରହିଥିବା ସୂର୍ଯ୍ୟ ମନ୍ଦିର ଏବେ ଶୃଙ୍ଖଳ ମୁକ୍ତ ହେବ। ଏ ନେଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଏହି ଲୁହାପାଇପ୍‌ ଖୋଲିବା କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ମିଳିଛି। ସୂର୍ଯ୍ୟ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଏଏସ୍‌ଆଇ କର୍ତ୍ତୃପକ୍ଷ ମଧ୍ୟ ଏଥିରେ ସଂପୃକ୍ତ ଥିବା ଅଭିଯୋଗ ଉଠିଛି।

ଅଭିଯୋଗ ଅନୁସାରେ, ରକ୍ଷଣାବେକ୍ଷଣ ପାଇଁ କୋଣାର୍କରେ ନିଯୁକ୍ତି ପାଇଥିବା ଅଧିକାରୀଙ୍କ ନିକଟରେ ଲୁହାପାଇପ୍‌ ଖୋଲାଯିବା ପାଇଁ କୌଣସି ଲିଖିତ ନିର୍ଦ୍ଦେଶନାମା ନାହିଁ। ଏଏସ୍‌ଆଇର ଗେହ୍ଲା ପୁଅ ସାଜିଥିବା ଏକ ନିର୍ଦ୍ଦିଷ୍ଟ ଠିକାଦାରୀ ସଂସ୍ଥା ମନ୍ଦିରରୁ ଲୁହା ପାଇପ୍‌ ଖୋଲିବାର କାର୍ଯ୍ୟାଦେଶ ପାଇଛି। ମାତ୍ର ବିଭିନ୍ନ ଦୁର୍ନୀତିରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିବାରୁ ଏବେ କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ପରଦା ପଛରେ ରହି ଅନ୍ୟ ଲୋକଙ୍କ ଜରିଆରେ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି। ଏଥିପାଇଁ କୁଆଡ଼େ ଭୁବନେଶ୍ୱରର ଉପରିସ୍ଥ ଅଧିକାରୀଙ୍କ ମୌଖିକ ନିର୍ଦ୍ଦେଶ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ମନ୍ଦିରର ଲୁହାବେଡ଼ି ଖୋଲିବା କାର୍ଯ୍ୟରେ ଅଣକୁଶଳୀ କର୍ମଚାରୀ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ଏପରିକି, ବିନା ସୁରକ୍ଷାରେ କର୍ମଚାରୀମାନେ ମନ୍ଦିରର ଶୀର୍ଷରୁ ପାଇପ୍‌ ଖୋଲୁଥିବା ଦେଖିବାକୁ ମିଳୁଛି। ଯଦି କୌଣସି ଅଘଟଣ ଘଟିଲା, ଏଥିପାଇଁ କିଏ ଦାୟୀ ହେବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ ପାଇଁ ମଧ୍ୟ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି ପ୍ରକାଶ ପାଇଛି।

ଲୁହା ପାଇପ ସଂସ୍ପର୍ଶରେ ଆସି କାରୁକାର୍ଯ୍ୟ ନଷ୍ଟ ହେଉଥିବା ନେଇ ଗତ ୨୦୧୮ ନଭେମ୍ବର ମାସରୁ ‘ସମ୍ବାଦ’ରେ କ୍ରମାଗତ ଭାବେ ରିପୋର୍ଟ ପ୍ରକାଶିତ ହୋଇ ଆସୁଛି।ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରି ଏ ସମ୍ପର୍କରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ।। ମନ୍ଦିରର ଜରାଜୀର୍ଣ୍ଣ ଅବସ୍ଥା ସଂପର୍କରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ୍‌ ପାଇଁ ଜଣେ ଆମିକସ୍‌ କ୍ୟୁରିଙ୍କୁ ନିଯୁକ୍ତ କରାଯାଇଛି। ଆମିକସ୍‌ କ୍ୟୁରୀ ମଧ୍ୟ ମନ୍ଦିରର ଅବସ୍ଥା ସଂପର୍କରେ ନ୍ୟାୟାଳୟଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।

Comments are closed.