ଉଦ୍ଧବ ସରକାରରେ ଅସନ୍ତୋଷ, ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ଅବଦୁଲ୍ଲ ସତ୍ତାର

ମୁମ୍ୱାଇ: ମହାରାଷ୍ଟ୍ର ସରକାରରେ ଦିନକୁ ଦିନ ବଢ଼ୁଛି ଅସନ୍ତୋଷ। ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି (ଶିବସେନା-ଏନସିପି-କଂଗ୍ରେସ) ମେଣ୍ଟ ସରକାରରେ ଅସନ୍ତୋଷ ସାମ୍ନାକୁ ଆସିଛି। ଆଜି ଶିବସେନା ବିଧାୟକ ତଥା ମନ୍ତ୍ରୀ ଅବଦୁଲ୍ଲ ସତ୍ତାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଉଦ୍ଧବ ଠାକରେଙ୍କ ଶିବସେନା କୋଟାରେ ଅବଦୁଲ୍ଲ ସତ୍ତାର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ।
ଶିବସେନା ସରକାରରେ ସେ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସତ୍ତାରଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ପହଞ୍ଚିନାହିଁ। ସୂଚନାଥାଉକି, ସେ କ୍ୟାବିନେଟ ମନ୍ତ୍ରୀ ପାଇଁ ଦାବି କରିଥିଲେ ହେଲେ ରାଜ୍ୟ ମନ୍ତ୍ରୀ ପଦବୀ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଅବଦୁଲ୍ଲ ସତ୍ତାର ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନପଠାଇ ଦଳର ବରିଷ୍ଠ ନେତାଙ୍କ ପଠାଇଛନ୍ତି। ଯାହାରିଫଳରେ ଦଳର ଅନ୍ୟନେତା ମାନେ ଶ୍ରୀ ସତ୍ତାର ନିଜର ନିଷ୍ପତ୍ତିର ପୁନଃବିଚାର କରନ୍ତୁ ବୋଲି କହିଛନ୍ତି। ଶିବସେନା ମହାରାଷ୍ଟ୍ରର ମୁସଲମାନ ସଂପ୍ରଦାୟର ଭୋଟରଙ୍କୁ ଖୁସି କରିବା ପାଇଁ ଅବଦୁଲ୍ଲ ସତ୍ତାରଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲା। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ତର୍କ ବିତର୍କ ଆରମ୍ଭ ହୋଇଥିଲା। ସୂଚନାଥାଉକି, ଉଦ୍ଧବ ସରକାରର ୩୬ ମନ୍ତ୍ରୀ ଶପଥ ନେଇଥିଲେ। ଯେଉଁଥିରେ କି ୧ଉପମୁଖ୍ୟମନ୍ତ୍ରୀ, ୨୫ କ୍ୟାବିନେଟ ମନ୍ତ୍ରୀ ଓ ୧୦ ରାଷ୍ଟ୍ରମନ୍ତ୍ରୀ ସାମିଲ ଥିଲେ।
Comments are closed.