ନୂଆବର୍ଷରୁ ଗୋରେଖନାଥ ପୀଠରେ ମାନସିକ ପ୍ରସାଦ ବନ୍ଦ
ଜଗତସିଂହପୁର: ନୂଆବର୍ଷରୁ ଜଗତସିଂହପୁର ଗୋରେଖନାଥ ପୀଠରେ ସେବାୟତ ଓ ମନ୍ଦିର ଟ୍ରଷ୍ଟ ମଧ୍ୟରେ ବିବାଦ ଯୋଗୁ ମାନସିକ ଭୋଗ ବନ୍ଦ ରହିବା ସହିତ ରୋଷଘରେ ତାଲା ପଡିଛି । ପୂର୍ବରୁ ଗୋରେଖନାଥ ମନ୍ଦିରକୁ ଆସୁଥିବା ମାନସିକଧାରୀ ମାନେ ସବୁ ସାମଗ୍ରୀ ଆଣି ପ୍ରସାଦ ଭୋଗ କରୁଥିଲେ । କିନ୍ତୁ କିଛି ବର୍ଷ ହେବ ଭକ୍ତଙ୍କଠାରୁ ପଇସା ନେଇ ମାନସିକ ପ୍ରସାଦ ନିଜେ ତିଆରି କରିକି ସେବାୟତମାନେ ଦେଉଥିଲେ । ସେବାୟତମାନେ ଭକ୍ତଙ୍କ ପ୍ରସାଦ ପାଇଁ ନେଉଥିବା ପଇସାକୁ ମନ୍ଦିର ଉନ୍ନତିକରଣ ପାଇଁ ଦେବାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଥିଲା ।
କିନ୍ତୁ ସେବାୟତ ମାନେ ପଇସା ଦେବାକୁ ମନାକରିଦେଇଥିଲେ । ଆଉ ଯଦି ମନ୍ଦିରର ଉନ୍ନତିକରଣ ପାଇଁ କିଛି ଅର୍ଥ ଦେବେ ସେହି ହିସାବରେ ଭକ୍ତଙ୍କଠାରୁ ପ୍ରସାଦ ପାଇଁ ଅଧିକ ଅର୍ଥ ନେବେ ବୋଲି କହିଥିଲେ । ଏହାକୁ ବିରୋଧ କରି ଜାନୁଆରୀ ୧ ତାରିଖରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରୋଷଘରେ ତାଲା ପକାଯାଇଥିଲା । ଫଳରେ ଗୋରେଖନାଥଙ୍କ ସମସ୍ତ ନୀତିକାନ୍ତି ହେଉଥିଲେ ମଧ୍ୟ ମାନସିକ ଭୋଗ ବନ୍ଦ ରହିଛି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ରୋଷଘରେ ତାଲା ପଡିଥିବାରୁ ଏହାକୁ ବିରୋଧ କରି ସେବାୟତମାନେ ମନ୍ଦିର ପରିସରରେ ଧାରଣା ଦେଇଛନ୍ତି ।
Comments are closed.