Odisha Link
Bridging the Missing Links in Odisha

ଜୈବିକ ସାର ଫଳ ଓ ପନି ପରିବା ବିଦେଶରେ ଅଧିକ ଚାହିଦା ରହିଛି : ସୂର୍ଯ୍ୟନାରାୟଣ

ଭୁବନେଶ୍ୱର : ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ମହାସମାରୋହରେ ଶେଷ ହୋଇଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ନିମନ୍ତେ ଶେଷଦିନ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରଟିକୁ ଓଡ଼ିଶା ଇଣ୍ଡଷ୍ଟ୍ରି ଫେଡେରେସନ୍‌ ଦ୍ୱାରା ଆୟୋଜିତ ହୋଇ ‘କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ’ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଆଲୋଚନା ଚକ୍ରଟିରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ନିଜ ବକ୍ତବ୍ୟରେ ମତ ରଖିଥିଲେ ଯେ, ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ଖୋଲାଯିବା ପରେ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ବିଦେଶରେ ଅଧିକ ପରିମାଣର ଫଳଚାଷ ହୁଏ, ଭାରତ ଭଳି ରାଷ୍ଟ୍ରମାନଙ୍କରେ ଅଧିକ ଧାନ ଓ ଚାଉଳ ଚାଷ ହୋଇଥାଏ । ଭାରତରେ ସାର ଓ କୀଟନାଶକ ଔଷଧ ପ୍ରୟୋଗ ହେଉଥିବା ହେତୁ ବିଦେଶୀ ରାଷ୍ଟ୍ର ଆମ ଖାଦ୍ୟଶସ୍ୟ ନେବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଯଦି ଜୈବିକ ସାର ଦ୍ୱାରା ଆମ ଚାଷକୁ ଗୁରୁତ୍ୱ ଦେବା ତେବେ ଯାଇ ବିଦେଶରେ ଆମ ଖାଦ୍ୟଶସ୍ୟର ଚାହିଦା ବଢ଼ିବ ବୋଲି ଗୁରୁତ୍ୱ ଦେଇଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଆଲୋଚନା ଚକ୍ରଟିରେ ଅଧ୍ୟକ୍ଷତା କରି ଶିଳ୍ପର ବିକାଶ ଦିଗରେ ନିଜ ମତ ରଖିଥିଲେ । ଆମ ରୋଷେଇଶାଳାରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀକୁ ଦୃଷ୍ଟିରେ ରଖି ଚାଷ କଲେ ବହୁତ ଉତ୍ପାଦନ ହେବ ଓ ଆମର ଚାହିଦାକୁ ମେଣ୍ଟାଇ ପାରିବା ସହିତ ରପ୍ତାନୀ ହୋଇ ପାରିବ ।

ଯେଉଁ ଜିଲ୍ଲାରେ ଯାହା ଭଲ ଚାଷ ହୁଏ ତାହାକୁ ଗୁରୁତ୍ୱ ଦେଇ ଚାଷୀକୁ ପ୍ରୋତ୍ସାହନ ଦେବା ଜରୁରୀ ହୋଇ ପଡ଼ିଛି । ନିଜ ବକ୍ତବ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କରି ଯୋଗାଇବାକୁ ବହୁଦେଶୀୟ କମ୍ପାନୀର ପ୍ରତିନିଧିମାନଙ୍କୁ ଜଣାଇଥିଲେ । ଶିଳ୍ପ ପ୍ରତିଷ୍ଠା ପୂର୍ବରୁ କେଉଁଠି କଞ୍ଚାମାଲ ମିଳିବ, କେମିତି ଆସିବ, କେଉଁ ପଦକ୍ଷେ ପ ଗ୍ରହଣ କଲେ ଅଧିକ ହେବ ତାହା ତର୍ଜମା କରି ଜାଣିବା ପରେ ଶିଳ୍ପ ପ୍ରତିଷ୍ଠା କଲେ ଶିଳ୍ପରୁ ଲାଭ ପାଇବା ସହିତ ତାହା ଦୀର୍ଘସ୍ଥାୟୀ ହେବ ବୋଲି ସ୍ୱତନ୍ତ୍ର ସଚିବ ଶର୍ମା ଜଣାଇଥିଲେ ।

ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳାନନ୍ଦ ପତି ଆଲୋଚନା ଆୟୋଜନ କରିଥିବା ହେତୁ ଧନ୍ୟବାଦ ଦେଇ ଶିଳ୍ପର ବିକାଶ ଦିଗରେ ରହିଥିବା ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା ଚକ୍ରରେ ଆଲୋଚନା କରି ସମସ୍ତ ଶିଳ୍ପ ସଂଘ ଏହାର ବୈଷୟିକ ଅସୁବିଧା ଓ ବ୍ୟାଙ୍କ ଋଣ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦିଗରେ ନିଷ୍କର୍ଷ ବାହାର କରିବାକୁ ପ୍ରବର୍ତ୍ତାଇଥିଲେ । କୃଷି ବିଭାଗୀୟ ନିର୍ଦ୍ଦେଶକ ଡ. ମୁଥୁ କୁମାର ଜଣାଇଥିଲେ ଯେ ଓଡ଼ିଶାର ଯେଉଁ ଜିଲ୍ଲାରେ ଯାହା ଭଲ ଚାଷ ହୁଏ ସେହି ଜିଲ୍ଲା ସେହି ଚାଷ ଦିଗରେ ଅଧିକ ଯତ୍ନଶୀଳ ହେଲେ କୃଷିର ଉନ୍ନତି ଘଟିବ ।

ମାରିଏସନ୍‌ ଇଣ୍ଡିଆ ପ୍ରା. ଲି.ର ସିଏମ୍‌ଡ଼ି ଡ. ପି.ଏଲ୍‌. କାଉଲ୍‌ କିପରି ଆଳୁ ଅଧିକ ଆମଦାନୀ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ପଦ୍ମଶ୍ରୀ ଡ. ଭି. ପ୍ରକାଶ ପ୍ରାରମ୍ଭିକ ସୂଚନା ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଦିଗରେ ରହିଥିବା ସମସ୍ୟା ଓ ସମାଧାନ ଦିଗରେ ଆଲୋଚନା କରି ଓଡ଼ିଶା ଦିନେ ସାରା ଭାରତରେ ଗୋଟିଏ ମଡେଲ୍‌ ରାଜ୍ୟ ହେବ ସେଥି ନିମନ୍ତେ ଦିଗ୍‌ଦର୍ଶନ ଦେଇଥିଲେ । ଓଡ଼ିଶା ଇଣ୍ଡଷ୍ଟ୍ରିର ଫେଡେରେସନ୍‌ର ସଭା ପତି ଶରତ କୁମାର ସାହୁ ଅତିଥି ପରିଚୟ ଦେବା ସହ ଆଲୋଚନା ଚକ୍ରଟିକୁ ପରିଚାଳନା କରିଥିଲେ ।

Comments are closed.