ନ୍ୟାୟିକ ବ୍ୟବସ୍ଥା ଅପରାଧୀଙ୍କୁ ସହଯୋଗ କରୁଛି : ନିର୍ଭୟା ମା
ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଜାନୁଆରି ୨୨ରେ ଫାଶୀ ମିଳିପାରିବ ନାହିଁ ବୋଲି ଦିଲ୍ଲୀ ସରକାର ହାଇକୋର୍ଟଙ୍କୁ ଜଣାଇବା ପରେ ଏହାକୁ ନେଇ ନିର୍ଭୟାଙ୍କ ମା’ ଆଶା ଦେବୀ ଉଦ୍ବେଗ ପ୍ରକାଶ କରିଛନ୍ତି। ଦୋଷୀ ମୁକେଶର କ୍ଷମା ଆବେଦନକୁ ଯୋଜନାବଦ୍ଧ ଭାବେ ବିଳମ୍ବ କରି ବ୍ୟବସ୍ଥାର ଦୁରୁପଯୋଗ କରାଯାଉଛି ବୋଲି ସେ କହିଛନ୍ତି। ଦୋଷୀଙ୍କ ଓକିଲ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ବିଳମ୍ବ କରିବା ପାଇଁ ସମସ୍ତ ଚାଲ୍ ଖେଳୁଛନ୍ତି ଏବଂ ଏଥିରେ ଆମ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଅପରାଧୀଙ୍କ ପାଇଁ ସହାୟକ ହେଉଛି।
ଆଶାଦେବୀ କହିଛନ୍ତି ଯେ ସେ ନ୍ୟାୟ ପାଇଁ ୭ ବର୍ଷ ହେଲା ସଂଘର୍ଷ କରୁଛନ୍ତି। ଦୋଷୀମାନଙ୍କୁ ୨୨ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି ହୋଇଥିଲା ଏହି ଦିନ ଦୋଷୀଙ୍କୁ ଫାଶୀ ମିଳିବ କି ନାହିଁ, ଆମେ ସରକାରଙ୍କୁ ପ୍ରଶ୍ନ କରୁଛୁ। ସରକାରଙ୍କୁ ଏ ବିଷୟରେ ଗଣମାଧ୍ୟମ ମଧ୍ୟ ପ୍ରଶ୍ନ କରିବା ଆବଶ୍ୟକ। ଦୋଷୀ ମୁକେଶର କ୍ଷମା ଆବେଦନକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରିବା ପାଇଁ ଆଶାଦେବୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିଛନ୍ତି।
Comments are closed.