ଓଡ଼ିଶା ସାଂସଦ ଅଶ୍ବିନୀ ବୈଷ୍ଣବ ନିଖୋଜ!

ଶୁଭ୍ରାଂଶୁ ପଣ୍ଡାଙ୍କ ସ୍ତମ୍ଭ ଶୁଭସ୍ବର
ଓଡ଼ିଶା ସାଂସଦ ଅଶ୍ବିନୀ ବୈଷ୍ଣବ ନିଖୋଜ!
ଏ ଶୀର୍ଷକ ପଢ଼ି ଅନେକେ ହୁଏତ ଖୋଜିବା ଆରମ୍ଭ କରିଥିବେ, ଅଶ୍ବିନୀ ବୈଷ୍ଣବ ନାମଧାରୀ ଏ ବ୍ୟକ୍ତି ଜଣକ କିଏ। ରାଜନୀତି ଓ ତତ୍ସମ୍ପର୍କିତ ଖବର ସହ ଜଡ଼ିତ ବ୍ୟକ୍ତିଙ୍କୁ ବାଦ ଦେଲେ ଓଡ଼ିଶାର ଅଧିକାଂଶ ସାଧାରଣ ଜନତା ଏଭଳି ନାମଧାରୀ ବ୍ୟକ୍ତିଙ୍କୁ ଚିହ୍ନିବାରେ ବିଳମ୍ବ ହୋଇପାରେ।
ତେବେ ଏଇଠି ମନେପକାଇ ଦେବାକୁ ଚାହେଁ, ଅଶ୍ବିନୀ ବୈଷ୍ଣବ ହେଉଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ସମର୍ଥିତ ଓଡ଼ିଶାର ଜଣେ ସାଂସଦ ଯିଏ ୨୦୧୯ ମସିହା ଜୁନ୍ ୨୮ ତାରିଖରେ ଓଡ଼ିଶାରୁ ରାଜ୍ୟସଭାକୁ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି।
ରାଜ୍ୟସଭା ପ୍ରାର୍ଥୀ ଭାବରେ ଯେତେବେଳେ ବିଜେପି ଅଶ୍ବିନୀଙ୍କ ନାମ ଘୋଷଣା କରିଥିଲା, ଅଶ୍ବିନୀ ଓଡ଼ିଶାର ସେବା ଲାଗି ଏକ ସୁଯୋଗ ପାଇଲେ ବୋଲି ପ୍ରତିକ୍ରିୟା ରଖିଥିଲେ। ସେତେବେଳେ ଅଶ୍ବିନୀ କହିଥିଲେ- ଓଡ଼ିଶାର ଜନତାଙ୍କ ସେବା କରିବା ଲାଗି ବିଜେପି ମୋତେ ସୁଯୋଗ ଦେଇଛି। ମୁଁ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବି।
ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି କେବେ ରାଜ୍ୟସଭା ପ୍ରାର୍ଥୀ କରିପାରେ ବୋଲି ୨୦୧୭ରୁ ଗୁଜବ ଶୁଣିବାକୁ ମିଳୁଥିଲା। ୨୦୧୯ ଜୁନ୍ ମାସରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ ଥିଲା। ତେବେ ସମସ୍ତଙ୍କୁ ଚକିତ କରି କୌଣସି ଅଜଣା କାରଣରୁ ‘ଓଡ଼ିଶାର ସେବା କରିବାକୁ ଆସିଥିବା’ ରାଜସ୍ଥାନର ଅଶ୍ବିନୀଙ୍କୁ ସମର୍ଥନ ଦେଇଥିଲା ବିଜେଡି। ବିଜେପି ପ୍ରାର୍ଥୀ ଭାବରେ ଅଶ୍ବିନୀ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ତାଙ୍କ ସହ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ରାଜସ୍ଥାନର ଯୋଧପୁରରୁ ଆସିଥିବା ପୂର୍ବତନ ଓଡ଼ିଶା କ୍ୟାଡର୍ ଆଇଏଏସ୍ ଅଧିକାରୀ ଅଶ୍ବିନୀ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳବିବହାରୀ ବାଜପାୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ଓଡ଼ିଶାର ରାଜନୈତିକ ପ୍ରେକ୍ଷାପଟରେ କେହି ତାଙ୍କର ନାମ ସୁଦ୍ଧା ଶୁଣି ନଥିଲେ। ୫୦ ବର୍ଷିୟ ବୈଷ୍ଣବ ଚାକିରି ଛାଡ଼ି ହଠାତ ୨୦୧୯ ଜୁନ୍ ୨୩ରେ ବିଜେପିରେ ଯୋଗଦେଲେ। ପରେ ପରେ ତାଙ୍କର ନାମାଙ୍କନ ଦାଖଲ ଓ ବିଜେଡିର ସମର୍ଥନ ମିଳିଗଲା। ମାତ୍ର ୪ ଦିନ ଅନ୍ତରରେ ଜୁନ୍ ୨୮ରେ ସେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଗଲେ।
ତେବେ ଓଡ଼ିଶାର ଉନ୍ନତି ଲାଗି କାର୍ଯ୍ୟ କରିବା ପାଇଁ ଇଚ୍ଛା ପ୍ରକଟ କରିଥିବା ବୈଷ୍ଣବ ତା ପରଠାରୁ ଓଡ଼ିଶାକୁ ଭୁଲିଗଲେ। ବିଜେପିର ଅନ୍ୟ ନେତୃବୃନ୍ଦଙ୍କ ଭଳି ଅଶ୍ବିନୀ ସୋସିଆଲ ମିଡିଆରେ ଆଦୌ ସକ୍ରିୟ ନୁହନ୍ତି। ତାଙ୍କର କୌଣସି ଟ୍ବିଟର ଆକାଉଣ୍ଟ ନ ଥିବା ବେଳେ ଫେସବୁକରେ ତାଙ୍କର ଉପସ୍ଥିତି ରହିଛି। ତେବେ ଫେସବୁକ ଆକାଉଣ୍ଟଟି ଭେରିଫାଏଡ୍ ନୁହେଁ, ଏବଂ ଏଥିରେ ମଧ୍ୟ ସେ ସେତେ ସକ୍ରିୟ ଜଣାପଡ଼ନ୍ତି ନାହିଁ।
ବୈଷ୍ଣବ ରାଜ୍ୟସଭାରେ ଏକାଧିକ ବାର ତର୍କରେ ଭାଗ ନେଇଥିଲେ ବି ଓଡ଼ିଶା ପ୍ରସଙ୍ଗରେ କୌଣସି ପ୍ରଶ୍ନ ବା ପ୍ରସ୍ତାବ ଉପସ୍ଥାପନ କରିନାହାନ୍ତି। ଦେଶର ଆର୍ଥିକ ମାନ୍ଦାବସ୍ଥା ସପକ୍ଷରେ ଯୁକ୍ତି କରିଛନ୍ତି ଓ ଏହା ଆଗାମୀ ମାର୍ଚ୍ଚ ସୁଦ୍ଧା ହଟିଯିବ ବୋଲି ଗୃହରେ ମତ ରଖିଛନ୍ତି ବୈଷ୍ଣବ।
୨୦୧୯ ଡିସେମ୍ବର ୫ରେ ବୈଷ୍ଣବ ଟାକ୍ସେସନ୍ ଲ’ ବିଲ୍କୁ ସମର୍ଥନ ଦେଇଛନ୍ତି। କିନ୍ତୁ ଓଡ଼ିଶାର ସ୍ବାର୍ଥ ବାବଦରେ କେବେ ବି ମୁହଁ ଖୋଲିନାହାନ୍ତି। ଅଶ୍ବିନୀ କେବେ ଓଡ଼ିଶା ଆସୁଥିବେ ସେ ନେଇ ସର୍ବସାଧାରଣରେ ବା ଖବର ଦୁନିଆରେ କୌଣସି ସୂଚନା ନାହିଁ। ତେବେ ଶେଷଥର ତାଙ୍କୁ ୨୦୧୯ ଅକ୍ଟୋବର ମାସରେ ବିଜେପି ପକ୍ଷରୁ କଟକରେ ଆୟୋଜିତ ଗାନ୍ଧୀ ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଦଳୀୟ ନେତାଙ୍କ ଭିଡ଼ ଭିତରେ ଦେଖିବାକୁ ମିଳିଥିଲା।
ଗତ ୨୦୧୯ ଡିସେମ୍ବରରେ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ତାଙ୍କର ସାକ୍ଷାତକାରଟିଏ ପ୍ରକାଶ ପାଇଥିଲା ଯେଉଁଠି ସେ ଓଡ଼ିଶାରେ ନିଜର ଅତୀତର କଥା ବଖାଣିଛନ୍ତି, ହେଲେ ସାଂସଦ ହେବା ପରେ ଓଡ଼ିଶାରେ ନିଜ କାର୍ଯ୍ୟ ବାବଦରେ ପଦଟିଏ ବି କହିନାହାନ୍ତି।
ରାଜ୍ୟସଭାରେ ଯୋଗଦାନ ପର ଠାରୁ ଅଶ୍ବିନୀଙ୍କ ସମ୍ପର୍କିତ ଖବର ଗଣମାଧ୍ୟମରେ ମଧ୍ୟ ନାହିଁ। ଅନ୍ୟ ରାଜନେତାଙ୍କ ଭଳି ତାଙ୍କ ଆଇଏଏସ୍ ସାଥୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାରେ ବେଶ୍ ସକ୍ରିୟ ଥିବା ବେଳେ ସୋସିଆଲ୍ ମିଡିଆରେ ମଧ୍ୟ ତାଙ୍କର କାର୍ଯ୍ୟକ୍ରମର ନିୟମିତ ଓ ତ୍ବରିତ ସୂଚନା ଦେଖିବାକୁ ମିଳେ। ତେବେ ଅଶ୍ବିନୀ କେଉଁ କାରଣୁ ନିରବ ଓ ରାଜ୍ୟ ଠାରୁ ଦୂରେଇ ରହୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆହୋଇଛି।
ଏ ପ୍ରଶ୍ନ ଆମଠାରୁ ନ ଆସି ତାଙ୍କୁ ସମର୍ଥନ ଦେଇଥିବା ବିଜେଡି ତଥା ଏହାର ସଭାପତି ନବୀନ ପଟ୍ଟନାୟକ ପଚାରିବା କଥା।
Comments are closed.