ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର : ୧୮୧୭ ମସିହାରେ ଖୋର୍ଦ୍ଧାର ମହାନ୍ ବିପ୍ଳବୀ ବୀର ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଘଟିତ ପାଇକ ବିଦ୍ରୋହ ବା ପାଇକ ଆନ୍ଦୋଳନ ଜାତୀୟ ଇତିହାସରେ ଏକ ଗୌରବୋଜ୍ଜ୍ୱଳ ଅଧ୍ୟାୟ ସୃଷ୍ଟି କରିଛି । ବକ୍ସି ଜଗବନ୍ଧୁଙ୍କ ବଳିଷ୍ଠ ତ୍ୟାଗ, ଅପୂର୍ବ ସାହସ ଓ ବୀରତ୍ୱର ଗାଥା ଅତୁଳନୀୟ । ଆମ ଓଡିଶାରେ ଏହି ପରି ବହୁ ଯୋଦ୍ଧା ଦେଶ ପାଇଁ ଜାତି ପାଇଁ ନିଜ ଜୀବନକୁ ଜଳାଂଜଳି ଦେଇଛନ୍ତି ।
ଦେଶ ପାଇଁ ଲଢେଇ କରିଥିବା ଏହିସବୁ ବୀରମାନଙ୍କର ବୀରତ୍ୱର ଗରିମାମୟ ଇତିହାସ ଅଧିକରୁ ଅଧିକ ଆଲୋଚନା ହେଉ ବୋଲି ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରକାଶ କରିଛନ୍ତି ।
ପ୍ରାରମ୍ଭରେ ଅତିଥିମାନେ ବୀର ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆୟୋଜିତ ସଭାରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଯୋଗଦେଇ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ବକ୍ସି ଜଗବନ୍ଧୁଙ୍କର ସଂଗ୍ରାମୀ ଜୀବନୀ ସଂପର୍କରେ ଆଲୋକପାତ କରି କହିଲେ, ବକ୍ସିଙ୍କ ନେତୃତ୍ୱରେ ସଂଘଚିତ ପାଇକ ବିଦ୍ରୋହ, ଭାରତର ସ୍ୱାଧୀନତା ସଂଗ୍ରାମର ଆଦ୍ୟ ସ୍ଫୁଲିଙ୍ଗ ଥିଲା ।
୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଓଡିଶାର ଏହି ମହାନ୍ ବୀର ବକ୍ସି ଜଗବନ୍ଧୁ ଦେଶ ଓ ଜାତି ପାଇଁ ଯାହା କରିଛନ୍ତି, ତାହା ଆଜି ଓ ଆଗାମୀ ପିଢି ପାଇଁ ସ୍ମରଣୀୟ ଓ ପ୍ରେରଣୀୟ ହୋଇ ରହିଛି ବୋଲି ନିର୍ଦ୍ଦେଶକ ମିଶ୍ର ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ବକ୍ସି ଜଗବନ୍ଧୁଙ୍କ ପାଇଁ ଖୋର୍ଦ୍ଧା ମାଟି ଏବଂ ଓଡିଶା ଆଜି ଗର୍ବିତ ।
ତାଙ୍କ ଦ୍ୱାରା ସଂଘଠିତ ପାଇକ ବିଦ୍ରୋହ ବା ପାଇକ ଆନ୍ଦୋଳନ ଆଜି ରାଷ୍ଟ୍ରୀୟ ମାନ୍ୟତା ପାଇଛି । ସେହି ସ୍ମୃତିରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥାପନ କରାଯାଉଛି । ବକ୍ସିଙ୍କ ପରି ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଛାତ୍ରଛାତ୍ରୀ, ଯୁବପିଢି ତଥା ଆମେ ସମସ୍ତେ ଅଧିକରୁ ଅଧିକ ପାଠ କଲେ, ସେମାନଙ୍କର ତ୍ୟାଗ, ସଫଳତା, ବିଫଳତା ଆଦି ଜାଣି ସେଥିରୁ ଶିକ୍ଷାଲାଭ କରି ଆମେ ଆମ ଜାତି ତଥା ଦେଶର ସୁଯୋଗ୍ୟ ଦାୟାଦ ଭାବରେ ପ୍ରତିପାଦିତ କରିପାରିବା ବୋଲି ଡଃ ମହାନ୍ତି ପ୍ରକାଶ କରିଥିଲେ ।
ମୁଖ୍ୟ ବକ୍ତାଭାବେ ଖ୍ୟାତନାମା ସ୍ତମ୍ଭକାର ଓ ସାମ୍ବାଦିକ ଶ୍ରୀ ଓମ୍ ପ୍ରକାଶ ଯୋଗଦେଇ କହିଲେ ଯେ, ୧୮୫୭ ମସିହାରେ ଦେଶରେ ସଂଘଟିତ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବେ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଘଟିଥିବା ପାଇକ ବିଦ୍ରୋହ ଥିଲା ଆମ ଦେଶର ପ୍ରଥମ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ । ଏହା ହେଉଛି ଆମ ଓଡିଆଙ୍କର ତଥା ଓଡିଶା ମାଟିର ବୀରତ୍ୱର ପରିଚୟ ।
ଖୋର୍ଦ୍ଧାର ସେହି ବୀର ପାଇକମାନଙ୍କର ଅନାଲୋଚିତ ଇତିହାସ ସଂପର୍କରେ ଅଧିକରୁ ଅଧିକ ଜାଣିବା, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ପାଠ୍ୟ ପୁସ୍ତକରେ ଓଡିଶାର ବୀର ସଂଗ୍ରାମୀମାନଙ୍କର ବୀରତ୍ୱର କାହାଣୀ ସ୍ଥାନିତ କରିବା, ପାଇକ କୂଳକୁ ସମ୍ମାନ ଦେଇ ଭାରତୀୟ ସେନାରେ ପାଇକ ରେଜିମେଣ୍ଟ ଗଠନ, ବକ୍ସିଙ୍କ ନାମରେ ରେଳ ଚଳାଚଳ, ଷ୍ଟାଡିୟମ୍ ନିର୍ମାଣ, ବିଶ୍ୱ ବିଦ୍ୟାଳୟ ସ୍ଥାପନ ଆଦି ଉପରେ ମୁଖ୍ୟବକ୍ତା ମତବ୍ୟକ୍ତ କରିଥିଲେ ।
ଏହି ଉପଲକ୍ଷେ ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଆଧାରିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀର ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ‘ସ୍ୱରସୁଧା’ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ପ୍ରାରମ୍ଭିକ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ଶେଷରେ ଏହି ଅନୁଷ୍ଠାନ ଦ୍ୱାରା “ ବକ୍ସି ଜଗବନ୍ଧୁ” ନାଟକ ପରିବେଷଣ କରାଯାଇଥିଲା ।
ସକାଳେ ସ୍ଥାନୀୟ ମ୍ୟୁଜିୟମ୍ ଛକ ସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ମିଶ୍ର, ନିର୍ଦ୍ଦେଶକ( ବୈଷୟିକ) ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକୀ, ସହକାରୀ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇ ବକ୍ସି ଜଗବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Comments are closed.