Odisha Link
Bridging the Missing Links in Odisha

ବଜେଟ ୨୦୨୦: ଶିକ୍ଷା କ୍ଷେତ୍ରକୁ ୯୯,୩୦୦ କୋଟି ଓ କୃଷି କ୍ଷେତ୍ର ପାଇଁ ୨.୮୩ ଲକ୍ଷ କୋଟି, ଚାଲିବ କିଷାନ ରେଳ

ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ମୌଳିକ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ଶିକ୍ଷା କ୍ଷେତ୍ରକୁ ୯୯,୩୦୦ କୋଟି ଓ କୃଷି କ୍ଷେତ୍ରକୁ ୨.୮୩ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର।

ଶିକ୍ଷା କ୍ଷେତ୍ର:
କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ବିଦେଶି ପୁଞ୍ଜି ନିବେଶ ବା ଏଫଡିଆଇକୁ ଅନୁମୋଦନ ଦେଇଛନ୍ତି। ଖୁବ ଶୀଘ୍ର ଘୋଷଣା କରାଯିବ ନୂଆ ଶିକ୍ଷା ପଲିସି। ୧୫୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ନିର୍ମାଣ ହେବ। ଫରେନସିକ ଶିକ୍ଷା ସହ ଅନଲାଇନ ଡିଗ୍ରୀ ପ୍ରୋଗ୍ରାମ ଆରମ୍ଭ ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ।

ସ୍କିଲ ଇଣ୍ଡିଆ ପାଇଁ ୩୦୦୦ କୋଟିର ବ୍ୟବସ୍ଥା ହୋଇଛି। ସେହିଭଳି ଶିକ୍ଷା କ୍ଷେତ୍ର ପାଇଁ ୯୯ ହଜାର ୩୦୦ କୋଟିର ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ଖୁବଶୀଘ୍ର ଆସିବ ନୂଆ ଶିକ୍ଷାନୀତି। ଉଚ୍ଚଶିକ୍ଷାକୁ ଦିଆଯିବ ପୋତ୍ସାହନ। ୧୦୦ଟି ଶିକ୍ଷାନୁଷ୍ଠାନ ଅନଲାଇନ୍ ଶିକ୍ଷା ଯୋଗାଇବେ। ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଆହୁରି ଅଧିକ ଅନୁଦାନର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବଜେଟରେ ହେଲା ବଡ ଘୋଷଣା। ବଡ ହସ୍ପିଟାଲ ଗୁଡିକରେ ପିଜି ଶିକ୍ଷା ପ୍ରଦାନ କରିବାକୁ ସରକାର ପଦକ୍ଷେପ ନେବେ। ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରିବାକୁ ଯୋଜନା। ସୀତାରମଣ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ସୁଯୋଗ ମିଳିବ। ଏଥିସହ ବିଜ୍ଞାନ ଓ ଟେକ୍ନୋଲୋଜିରେ ବିକାଶ ହେବ। ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ। ଏଣିକି ଶିକ୍ଷାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ଡିଗ୍ରୀ ପାଠ୍ୟକ୍ରମର ସୁବିଧା ମିଳିବ।

କୃଷି କ୍ଷେତ୍ର:
ଚଳିତ ବଜେଟରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣା ହେବ ବୋଲି କହିଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ୧୬ ସୁତ୍ରୀ ଯୋଜନା ନେଇ ବଜେଟରେ ତଥ୍ୟ ଉପସ୍ଥାପନ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପରମ୍ପରା ଚାଷ, ସିଞ୍ଚନକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଚାଷ ଓ ଜଳସଂପଦ ବିଭାଗ ପାଇଁ ୨.୮୩ ଲକ୍ଷ କୋଟି ଟଙ୍କାର ଅନୁଦାନ। ମାଛ ଉତ୍ପାଦନକୁ ୨୦୦ ଲକ୍ଷ ଟନକୁ ବୃଦ୍ଧି କରିବାକୁ ଲକ୍ଷ୍ୟ। ବିମାନରେ ଯିବ କୃଷକଙ୍କ ଚାଷ ସାମଗ୍ରୀ। ପରିବହନ ପାଇଁ ଲାଗୁ ହେବ କିଷାନ ଉଡାଣ ଯୋଜନା। ଏଥିସହିତ ଚାଷୀଙ୍କ ସୁବିଧା ପାଇଁ ଚାଲିବ କିଷାନ ରେଳ।

ଚାଷୀଙ୍କ ପାଇଁ ପିଏମ କୁସୁମ ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ। ଏହି ଯୋଜନା ଫଳରେ ଚାଷୀଙ୍କୁ ଦିଆଯିବ ସୌର ପମ୍ପସେଟ। ଚାଷ କ୍ଷେତ୍ରରେ ସୌର ଶକ୍ତି ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ। ଏଥିସହିତ ସେ କହିଛନ୍ତି ଯେ, ଦେଶବାସୀଙ୍କ ଆଶା ପୂରଣ କରିବ ଚଳିତ ବଜେଟ। ଏଥର ସ୍ୱାସ୍ଥ୍ୟ, ଶିକ୍ଷା, ଚାଷକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

Comments are closed.