ଏସ୍ସିବିରେ ଦୁଇ କରୋନା ସନ୍ଦିଗ୍ଧ

କଟକ: ଭାରତରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏପରି ସ୍ଥିତିରେ କରୋନା ପରି ଲକ୍ଷଣ ଦେଖାଯିବାରୁ ଏସ୍ସିବିରେ ଦୁଇ ଜଣ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକର ନମୁନା ପରୀକ୍ଷା ପାଇଁ ଲାବୋରୋଟାରିକୁ ପଠା ଯାଇଥିବା ବେଳେ ଆଜି ଆଉ ଜଣକର ନମୁନା ପଠାଯିବ ବୋଲି ଜଣାପଡ଼ିଛି। ରାଜ୍ୟରୁ ସମୁଦାୟ ୫ ଜଣଙ୍କ ନମୁନା ପୁଣେ ଭାଇରଲୋଜି ଲ୍ୟାବକୁ ପଠାଯାଇଥିଲା। ୫ଟି ନମୁନାରୁ ୪ଟି ରିପୋର୍ଟ ନେଗେଟିଭ ଆସିଥିବା ଡିଏମ୍ଇଟି ସୂଚନା ଦେଇଛନ୍ତି। ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଏଯାଏଁ ଆସିନାହିଁ। ସେ ଚୀନ୍ରେ ପଢୁଥିଲେ। ତେଣୁ ଚୀନ ଫେରନ୍ତା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି।
ସେପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ଭୂତାଣୁକୁ ନେଇ ଆଡଭାଇଜରି ଜାରି ହୋଇଛି। ଓଡ଼ିଶା ଆସିଥିବା ଚୀନ, ହଂକଂ, ଥାଇଲାଣ୍ଡ ଓ ସିଙ୍ଗାପୁରର ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସରକାର ଆଡଭାଇଜରି ଜାରି କରିଛନ୍ତି। ତା’ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏହି ୪ଟି ସ୍ଥାନରୁ ଆସିଥିବା ଲୋକଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୂଚନା ଦେବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
Comments are closed.