ମଣ୍ଡିରେ ଭିଜୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଝିପି ଝିପି ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଥିବା ମଣ୍ଡିରେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଧାନବସ୍ତା ଭିଜି ନଷ୍ଟ ହୋଇ ଯାଇଛି । ବିଶେଷ କରି କଣ୍ଟାମାଲ ବ୍ଲକର ଖଟଖଟିଆ ମଣ୍ଡି, ବଘିଆପଡା, ରକ୍ସା, ମୁଣ୍ଡିପଦର ଏବଂ ହରଭଙ୍ଗା ବ୍ଲକର ରାମଗଡ଼, ବାମଣ୍ଡା ଆଦି ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ଭିଜି ଗଜା ହୋଇଯାଇଛି। ମଣ୍ଡିରେ ଧାନ ଭିଜୁଥିଲେ ବି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି।
ଟୋକନ ପାଇ ଚାଷୀମାନେ ଗତ ୨୫ ତାରିଖରୁ ମଣ୍ଡିରେ ଧାନ ପକାଇଥିବା ବେଳେ ମିଲରମାନଙ୍କ ଖମଖିଆଳି ପାଇଁ ମଣ୍ଡିରେ ଧାନ ପଡି ରହିଛି। ଏପଟେ ବର୍ଷା କାରଣୁ ମଣ୍ଡିରେ ଥିବା ଧାନ ବସ୍ତାଗୁଡ଼ିକ ଓଦା ହୋଇଯାଇଛି। ଧାନ ବସତାକୁ ଘୋଡ଼ାଇବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ତରଫରୁ କୌଣସି ବ୍ୟବସ୍ଥା ନ ଥିବାରୁ ନିଜେ ଜରିପାଲ କିଣି ଧାନକୁ ବର୍ଷାରେ ଭିଜିବାରୁ ରକ୍ଷା କରିବାରେ ଲାଗିପଡିଛନ୍ତି ଚାଷୀ। ଜିଲ୍ଲା ପ୍ରଶାସନର ଏପରି ଖାମଖିଆଳିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।