Odisha Link
Bridging the Missing Links in Odisha

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ; ୨ ମୃତ, ୪୫ରୁ ଅଧିକ ଆହତ

ଭଦ୍ରକ: ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ପିଟିଲା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣା ଫଳରେ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି। ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ୭ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ରାଞ୍ଚି ଅଞ୍ଚଳର ତୀର୍ଥଯାତ୍ରୀ ଚାରିଧାମ ଯାତ୍ରାରେ ବାହାରିଥିଲେ। ଅଯୋଧ୍ୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ୧୬ନଂ ଜାତୀୟ ରାଜପଥ ବାରିକପୁର ନିକଟରେ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବରୁ ଏକ ଧାନ ବୋଝେଇ ଟ୍ରକର ତେଲ ସରିଯିବାରୁ ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିଲା। ତୀର୍ଥଯାତ୍ରୀ ବସଟି ଛିଡା ହୋଇଥିବା ଧାନ ବୋଝେଇ ଟ୍ରକ୍ କୁ ସାମ୍ନାପଟୁ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଯାତ୍ରୀ ଗୁରୁତର ହୋଇଛନ୍ତି। ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛ।
ଦୁର୍ଘଟଣା ଶିକାର ହୋଇଥିବା ତୀର୍ଥଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ମୃତକ ଦୁଇଜଣ ହେଲେ ବିଦ୍ୟା ମାଷ୍ଟର ଓ ତିଳକ ମିସାଦ ବୋଲି ଜଣାପଡିଛି। ଭଦ୍ରକ ଜିଲ୍ଲାପାଳ ମେଡିକାଲରେ ପହଁଚି ଆହତ ଓ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ଗୁରୁତର ଓ ଆହତଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆହତଙ୍କୁ ଘରକୁ ଫେରିବା ପାଇଁ ସ୍ବତନ୍ତ୍ର ବସର ବ୍ୟବସ୍ଥା କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ।

Comments are closed.