ସମ୍ରାଟ୍ କ୍ୟାସେଟ୍ ମାଲିକରୁ ବାବା ଅନନ୍ତ କେଶରୀ

ଭୁବନେଶ୍ବର: ସେ ନିଜେ ଗୀତ ଲେଖୁଥିଲେ, ସଂଗୀତ ନିର୍ଦ୍ଦେଶନା ବି ଦେଉଥିଲେ, ଅକ୍ଷୟ ମହାନ୍ତିଙ୍କ ଠାରୁ ଅାରମ୍ଭ କରି ବାହାରୁ ମହମ୍ମଦ ଅଜିଜ୍, ବାବୁଲ ସୁପ୍ରିୟୋ ପ୍ରମୁଖ ବହୁ ନାମୀ କଣ୍ଠଶିଳ୍ପୀଙ୍କ ଦ୍ବାରା ଓଡ଼ିଅା ଗୀତ ପ୍ରସ୍ତୁତ କରୁଥିଲେ। ଏକଦା ଓଡ଼ିଶାର ଘରେ ଘରେ ପରିଚିତ ଥିଲା ତାଙ୍କ ଗୀତ ଓ କ୍ୟାସେଟ୍ କମ୍ପାନୀ। ତେବେ ଅଭିନେତ୍ରୀ ଶ୍ବେତା ମଲ୍ଲିକଙ୍କୁ ନେଇ ଅାଲବମ୍ କରିବା ପରେ ତାଙ୍କ ଜୀବନର ମୋଡ଼ ବଦଳିଗଲା।
ତାଙ୍କ ପୁଅ ବି ପ୍ରେମ କରିବା ବୟସରେ ପହଞ୍ଚି ସାରିଥିଲେ। ସେ କିନ୍ତୁ ନିଜେ ପଡ଼ିଗଲେ ପ୍ରେମରେ, ନିଜ ଝିଅ ବୟସର ଅଭିନେତ୍ରୀ ଶ୍ବେତା ମଲ୍ଲିକଙ୍କ ପ୍ରେମରେ ଅନ୍ଧ ହାେଇ ଯାଇଥିଲେ ।
ସେ ହେଉଛନ୍ତି କଟକ ସମ୍ରାଟ କ୍ୟାସେଟ୍ କମ୍ପାନୀର ମାଲିକ ବିଶ୍ବମ୍ବର ସାବତ। ପ୍ରାୟ ୧୬ ବର୍ଷ ତଳେ ଯେତେବେଳେ ତାଙ୍କ କମ୍ପାନୀ ସଂଗୀତ ଅାଲବମ ଜଗତରେ ଚହଳ ପକାଇଥିଲା, ବିଶ୍ବମ୍ବର ନିଜର ପ୍ରେମିକା ଶ୍ବେତାଙ୍କୁ ଧରି କେଉଁଅାଡ଼େ ଚାଲିଗଲେ। ସେତେବେଳକୁ ଶ୍ବେତା ଅାଲବମ ଜଗତରେ ବେଶ୍ ପ୍ରସିଦ୍ଧ ଚେହେରା। ଯୁବ ପିଢ଼ିଙ୍କୁ ମତୁଅାଲା କରି ରଖିଥିବା ଏ ତରୁଣୀ ଜଣକ ମଧ୍ୟ ଗ୍ଲାମର ଦୁନିଅାକୁ ପିଠି କରି ଚାଲିଗଲେ ବୟସ୍କ ପ୍ରେମିକଙ୍କ ସହ।
ବିଶ୍ବମ୍ବର ସାବତ ପ୍ରସିଦ୍ଧ ଟି ସିରିଜ୍ କମ୍ପାନୀ ବ୍ୟାନରରେ ମଧ୍ୟ ବହୁ ଓଡ଼ିଅା ଅାଲବମ ପ୍ରଯୋଜନା କରିବା ସହ ବିତରଣ ଭାର ସମ୍ଭାଳିଥିଲେ। କିନ୍ତୁ ତାଙ୍କ ହଠାତ୍ ଏଭଳି ଅନ୍ତର୍ଧ୍ୟାନ ହେବା ଅାଲବମ ଜଗତରେ ଭଟ୍ଟା ପକାଇଦେଲା। କ୍ରମେ ଓଡ଼ିଅା ଅାଲବମ୍ ଜଗତ ମଧ୍ୟ ନିଜର ସତ୍ତା ହରାଇବାକୁ ଅାରମ୍ଭ କଲା।
ଚାରି ବର୍ଷ ତଳେ, ପୁରୀ ଜିଲ୍ଲା କାକଟପୁର ନିକଟବର୍ତ୍ତୀ ଏକ ସ୍ଥାନରେ ଉଭୟଙ୍କୁ ଏକ ଅାଶ୍ରମ କରିଥିବାର ଦେଖିବାକୁ ମିଳିଥିଲା। ନିଜକୁ ଅନନ୍ତ କେଶରୀ ବାବା ନାମରେ ପରିଚିତ କରି ସାରିଥିବା ବିଶ୍ବମ୍ବର ସାବତଙ୍କ ସହ ଶ୍ବେତା ମଲ୍ଲିକ ମାତା ମାହେଶ୍ବରୀ ଭାବେ ଉଭା ହାେଇଥିଲେ।
ସେମାନଙ୍କୁ ଏକ ଦୈବୀ ବାଣୀ ହେଲା ଓ ସଂସାର ପ୍ରତି ମୋହ ମାୟା ତୁଟାଇ ସେମାନେ ଐଶ୍ବରୀୟ କାର୍ଯ୍ୟରେ ଯୋଗଦେଲେ ବୋଲି ବିଶ୍ବମ୍ବର ସେତେବେଳେ ଭକ୍ତମାନଙ୍କୁ କହିଥିଲେ।
ଏବେ ଏହି ଅାତ୍ମଘୋଷିତ ବାବା ଦମ୍ପତିଙ୍କୁ କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି। ବାବା ଅନନ୍ତ କେଶରୀ ହିନ୍ଦୁ ପୁରାଣର ବିଷ୍ଣୁଙ୍କ ଭଳି ଏକ ଅନନ୍ତନାଗ ମୂର୍ତ୍ତି ଉପରେ ବସିଥିବା ବେଳେ ମାତା ମାହେଶ୍ବରୀ ଲକ୍ଷ୍ମୀଙ୍କ ଭଳି ପଦ୍ମାସନରେ ବସିଛନ୍ତି। ସେମାନେ ଭକ୍ତଙ୍କ ଗହଣରେ ବିଶ୍ବମ୍ବର ମହାଯଜ୍ଞ କରୁଛନ୍ତି।
Comments are closed.