ଓଡ଼ିଶାର ଗାନ୍ଧୀ ପ୍ରତାପ ଷଡ଼ଙ୍ଗୀ: ଅମିତ ଶାହ (ଦେଖନ୍ତୁ ଭିଡିଓ)
ଭୁବନେଶ୍ବର: ପୁଣିଥରେ ଗଣମାଧ୍ୟମ ଓ ସୋଶାଲ ମିଡିଆରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଲେ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରତାପ ଷଡ଼ଙ୍ଗୀ। ଶୁକ୍ରବାର ଭୁବନେଶ୍ୱରଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ଆୟୋଜିତ ବିଶାଳ ଜନସଭାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବୋଧନ କରିଥିଲେ। ସେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱରର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଓଡ଼ିଶାର ଗାନ୍ଧି ବୋଲି କହି ପ୍ରଶଂସା କରିଛନ୍ତି।
ଶାହ ମଞ୍ଚରେ ଉପସ୍ଥିତ ପ୍ରମୁଖ ବିଜେପି ନେତାଙ୍କ ପରିଚୟ ଦେବା ସମୟରେ ପ୍ରତାପ ଷଡ଼ଙ୍ଗୀଙ୍କ ବାବଦରେ କହିଥିଲେ, “ମନ୍ତ୍ରୀ ପରିଷଦରେ ମୋ ସାଥି ତଥା ଓଡ଼ିଶାର ଗାନ୍ଧି ଭାବେ ଜଣାଶୁଣା ପ୍ରତାପ ଷଡ଼ଙ୍ଗୀ।” ଶାହଙ୍କ ଏପରି ସମ୍ବୋଧନ ପରେ ବର୍ତ୍ତମାନ ସୋଶାଲ ମିଡିଆ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରତାପଙ୍କୁ ପୁଣି ଚର୍ଚ୍ଚାର ପ୍ରସଙ୍ଗ କରିଛି।
୨୦୧୯ ମସିହାର ସାଧାରଣ ନିର୍ବାଚନରେ ସମସ୍ତଙ୍କୁ ଚମକାଇ ଦେଲାଭଳି ସଫଳତା ପାଇଥିଲେ। ଦୁଇ ଦୁଇ ଜଣ କୋଟିପତି ପ୍ରାର୍ଥୀଙ୍କୁ ହରାଇବା ଏବଂ ତାଙ୍କ ସରଳ ଜୀବନଶୈଳୀ ସୋଶାଲ ମିଡିଆ ଜରିଆରେ ସାମ୍ନାକୁ ଆସିବା ଫଳରେ ସେ ଚର୍ଚ୍ଚିତ ହୋଇଥିଲେ। ଶେଷରେ ସେ ମୋଦି ସରକାର ୨ୟ ପାଳିରେ ରାଷ୍ଟ୍ରମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ। ତାଙ୍କୁ ଏମ୍ଏସ୍ଏମ୍ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଛି।
ନିଜର ଓଜ୍ଜସ୍ୱୀ ଭାଷଣ ପାଇଁ ପ୍ରସିଦ୍ଧ ପ୍ରତାପ ଷଡ଼ଙ୍ଗୀ ନୂଆ ସରକାରରେ ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣର ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିରେ ସେ ଓଡ଼ିଆ, ହିନ୍ଦୀ, ସଂସ୍କୃତ, ଇଂରାଜୀ ଏବଂ ବଙ୍ଗଳା ଆଦି ଭାଷାରେ ଭାଷଣ ଦେଇ ବେଶ ପ୍ରଶଂସା ସାଉଁଟିଥିଲେ।
Comments are closed.