ଓଡିଶାକୁ ନାହିଁ କରୋନା ଭୟ : ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ବର: ଭାରତରେ କରୋନା ରୋଗୀ ଚିହ୍ନଟ ହେବାପରେ ଓଡ଼ିଶାରେ ଭାଇରସ୍ ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି। କରୋନା ଭାଇରସ୍ ନେଇ ସତର୍କ ରାଜ୍ୟ ସରକାର। ଓଡିଶାରେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି। ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା ନଜର ରଖାଯାଇଛି। ଓଡ଼ିଶା ସରକାର ଓ ସ୍ୱାସ୍ଥ୍ୟ ବିଭାଗ କରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ରମନ୍ତ୍ରୀ ନବ ଦାସ ।
ଟିକିଏ ସନ୍ଦେହ ହେଲେ ମେଡ଼ିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ଭାଇରସକୁ ନେଇ ଯେପରି ରାଜ୍ୟରେ କେହି ସଂକ୍ରମିତ ନହୁଅନ୍ତି, ସେନେଇ ସତର୍କ ରହିବାକୁ ବିମାନ ବନ୍ଦର, ରେଳବାଇ କର୍ତୃପକ୍ଷ ଏବଂ ପାରାଦୀପ ବନ୍ଦରକୁ ନିର୍ଦ୍ଦେଶ ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ସୁଦ୍ଧା କୌଣସି ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ୍ ଆସିନାହିଁ। ଯେକୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ କରୋନା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଥିଲେ ସରକାର । କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।
ସୂଚନାଯୋଗ୍ୟ ଯେ, ଗତକାଲି ଭାରତରେ ଦୁଇ ଜଣଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଇଟାଲୀରୁ ଦିଲ୍ଲୀ ଆସିଥିଲେ ଏବଂ ଆଉ ଜଣେ ଦୁବାଇରୁ ତେଲେଙ୍ଗାନା ଆସିଥିଲେ । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଏଥିସହ ବାହାରୁ ଆସୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିବା ସେ କହିଥିଲେ ।
Comments are closed.