ଗୁଣୁଗୁଣେଇବାର ନୂଆ ଖୋରାକ୍: ଦେବଦାସ ଛୋଟରାୟଙ୍କ ସିନେମା ଗୀତ
ଯେ କୌଣସି ସିନେମା ଗୀତର ଲୋକପ୍ରିୟତାର ଶ୍ରେୟ; ଏହାର ସଙ୍ଗୀତକାର, ଚଳଚ୍ଚିତ୍ରର ନାୟକ, ନାୟିକା, କୋରିଓଗ୍ରାଫର, ନିର୍ଦ୍ଦେଶକ, ପ୍ରୟୋଜକମାନେ ବାଣ୍ଟି ନିଅନ୍ତି। ଏହାର ଖୁବ୍ କମ୍ ଭାଗ ଗୀତିକାର ପାଖକୁ ଯାଏ। ଏହା ଗୀତିକାର ମାନଙ୍କ ଅଭିମାନ ହୋଇଥିଲେ ବି, ଅନେକଟା ସତ, ଏକଥା ଶ୍ରୋତା ଏବଂ ଦର୍ଶକମାନେ ସ୍ବୀକାର କରନ୍ତି। ରସିକମାନେ ଗୀତ ସବୁକୁ ଆମୂଳଚୂଳ ମନେ ରଖିପାରନ୍ତି, ଆଉ କିଏ ଏହାର ଗୋଟିଏ ଅନ୍ତରା ବା ଅନେକେ ଗୀତଟିର ସ୍ଥାୟୀଟିକୁ ମନେ ରଖି, ‘ଆହା’, ‘ଏଲେ’, ‘ଉହୁଁ’, ‘ଓହୋ’ରେ କାମ ଚଳେଇ ନିଅନ୍ତି। କିନ୍ତୁ ଏହାର ଅତ୍ୟନ୍ତ ନିଷ୍ଠୁର ନିର୍ମମ ଦିଗଟି ହେଲା, ଏହି ସବୁ ଭିତର ଧାଡି ଗୁଡିକୁ ଅପଭ୍ରଂଶ କରି ମନେ ରଖିବା ଓ ଗାଧୁଆ ଘର ବାହାରେ, ଏପରିକି ମଞ୍ଚ ଉପରେ ପରିବେଷଣ କରିବାର ଦୁଃସାହସ କରିବା। ଏହି ସବୁ ବିସଂଗତି ଏବଂ ବିପଦରୁ ଓଡିଆ ସିନେମା ଗୀତ ଓ ଗୀତିକାର ମାନଙ୍କୁ ମୁକ୍ତ ରଖିବା ପାଇଁ ଏସବୁର ସ୍ବରଲିପିକୁ ମୁ୍ଦ୍ରିତ କରିବାର ପରମ୍ପରା, ଆମ ଓଡିଆ ସିନେମା ସାହିତ୍ୟରେ ଏତେଟା ସମୃଦ୍ଧ ନୁହେଁ। ସୂର୍ଯ୍ୟ ଦେଓଙ୍କ ଭଳି କିଛି ହାତ ଗଣତି ଓଡିଆ ସିନେମା ସାହିତ୍ୟର ରସିକ, ସଂଗ୍ରାହକ ଓ ଗବେଷକ ଏ ଦିଗରେ କିଛି ଭଲ କାମ କରୁଛନ୍ତି।
ହିନ୍ଦୀ ସିନେମା ଗୀତିକାର ମାନଙ୍କର ଗୀତ ସବୁର ମୃଦ୍ରିତ ସଂସ୍କ ରଣ ଉପଲବ୍ଧ ହେଲାପରି, ଓଡିଆ ସିନେମା ଗୀତ, କ୍ଷେତ୍ରରେ ଏଭଳି ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି ‘କେତକି’ ଫାଉଣ୍ଡେସନ୍, ଗୀତିକାର ଦେବଦାସ ଛୋଟରାୟଙ୍କ ୧୦୦ଟି ସିନେମା ଗୀତର ସ୍ବରଲିପିର ମର୍ଯ୍ୟଦାପୂର୍ଣ୍ଣ ସଂସ୍କରଣ ପ୍ରକାଶ କରି।
ଆମେ ସ୍କୁଲ୍ରେ ପଢ଼ିଲା ବେଳେ ବାପା ,ମା’ ଯେତେବେଳେ ଆମମାନଙ୍କୁ ରିକ୍ସାରେ ପ୍ରାୟତଃ ଲଦି ଓଡିଆ ସିନେମା ଦେଖାଇ ନିଅନ୍ତି, ହଲରେ ଚାଲୁଥିବା (ଖେଳୁଥିବା) ସିନେମାର ଗୀତ ସବୁର ପକେଟ ବହି, ସିନେମା ହଲ୍ ବାହାର ପାନ ଦୋକାନ ଗୁଡିକରେ ମିଳେ। ସିନେମା ଦେଖାର ସନ୍ତକ ହିସାବରେ ସେ ପକେଟ ବହି, ସାଙ୍ଗମାନଙ୍କ ପାଖରେ ଆମ ଫୁଟାଣୀର କୃତ୍ରିମ ବଳୟ ତିଆରି କରିବା କାମରେ ଲାଗେ। କଲେଜ ପଢ଼ା ସମୟରେ ରେଡିଓରୁ, ବିବିଧ ଭାରତୀରୁ ଅନେକ ଗୀତ, ସିନେମାର ନାଁ, ସଙ୍ଗୀତକାର ଓ ଗୀତିକାରଙ୍କ ନାଁ ଇତ୍ୟାଦି ଟିପା ହୁଏ। ହେଲେ ଅନ୍ତରା ସବୁ ଲେଖି ହୁଏ ନାହିଁ। ଦିନେ ବାପା, ମା’କୁ ‘ନେସନାଲ୍ ପାନାସୋନିକ୍’ର ରେଡିଓ ଥିବା ଟେପ୍ ରେକର୍ଡର ଉପହାର ଦେଲେ। ଯାହା ଆମକୁ ଅଧିକ ଆଶ୍ଚର୍ଯ୍ୟ କଲା ତାହା ହେଉଛି ଏହାର ‘ପଜ୍ କି’। ଏହାକୁ ଟିପି ମା ଗୀତକୁ ନିଜ ଡାଏରୀରେ ଟିପି ପକେବାର ଆମେ ସନ୍ତର୍ପଣରେ ଦେଖିଲୁ। ଏହାର ନାଲି ସୁଇଚ୍ ସହ ‘ପ୍ଲେ’ଟିକୁ ଏକାଠି ଟିପିଧରି ବାପା ଆମ ମାନଙ୍କର କର୍କଶ ସ୍ବରକୁ ରେର୍କଡିଂ କରି ଆମକୁ ଶୁଣେଇଲେ। ଗୀତ ଗାଇବା ଓ ଗୀତରେ ଶବ୍ଦ ବସାଣର କଳା ଯେ କେତେ କଷ୍ଟ, ବାପା ବୋଧେ ଏଇଆ ଜଣେଇବାକୁ ଚାହୁଁଥିଲେ।
ନବେ ଦଶକ ପରବର୍ତ୍ତୀ ସମୟରେ, ଅକ୍ଷୟ ମହାନ୍ତିଙ୍କ ମୃତ୍ୟୁ ପରେ, ଗୀତ ଶୁଣିବାର ଓ ଦେଖିବାର ଅନେକ ସାଧନ ମିଳିବା ପରେ; ଓଡିଆ ଗୀତର ଅଧୋଃପତନ ଆରମ୍ଭ ହେଲା। ଆଜି ଏମିତ ଏକ ଧାରଣା ଆସୁଛି ଯେ, ଗ୍ରାହକ ଓ ବଜାର ବଢ଼ିବା ସାଙ୍ଗେ କଳାର ମାନବୃଦ୍ଧିର ଯେମିତି କୌଣସି ସମ୍ପର୍କ ନାହିଁ। ଏବେ ତ ସମସ୍ତେ ହେଡ୍ ଫୋନ୍ ଲଗେଇ, ମୋବାଇଲ୍ ଫୋନ୍ରେ ହଜାର ହଜାର ଗୀତ ଓ ଅନେକ ଆପ୍ ରଖିବା ସତ୍ତ୍ବେ, ୟୁଟୁବ୍ ଦେଖୁଥିବା ସତ୍ତ୍ବେ, ସଙ୍ଗୀତର ଅବକ୍ଷୟ ଦିଶୁଛି। ହଁ, ହାତ ଗଣତି କିଛି ଭଲ ଗୀତ ଯଦିଓ ଆସୁଛି।
ହିନ୍ଦୀ ହେଉକି ଓଡ଼ିଆ, ଯେ କୌଣସି ସିନେମା ଶିଳ୍ପର ଇତିହାସ କହୁଛି ଯେ, ସଦାବେଳେ କବିମାନେ ହିଁ ପ୍ରସିଦ୍ଧ ଗୀତିକାର ହୋଇ ପାରିଛନ୍ତି। ଗୀତର ମାନକୁ କବିମାନେ ଯେଉଁ ସ୍ତରକୁ ନେଇଛନ୍ତି କବିତା ବୁଝୁ ନ ଥିବା, ଲେଖୁ ନ ଥିବା ଗୀତିକାର ମାନଙ୍କର ଗୀତ ଫ୍ଲାଟ୍ ଲାଗିଛି ଓ କ୍ଷଣିକ ଲୋକପ୍ରିୟତା ପରେ ଆଗାମୀ ଦିନକୁ ଯାଇ ପାରିନାହିଁ। ସମୟ ହାତରେ ଦୀର୍ଘଜୀବୀ ହୋଇ ପାରୁନାହିଁ। ସାମାନ୍ୟ ଉଦାହରଣ ଦେଲେ, ହିନ୍ଦୀ ସିନେମା କ୍ଷେତ୍ରରେ ଉର୍ଦ୍ଦୁ କବି ମାନଙ୍କର ଗୀତର ଧାଡି ସବୁ ସେମାନଙ୍କୁ ଆୟୁଷ୍ମାନ କରିଛି।
‘ଦେବଦାସ ଛୋଟରାୟଙ୍କ ସୀନେମା ଗୀତ’ର ପରୀପାଟୀ ଓ ପ୍ରକାଶନ ଖୁବ୍ ସମ୍ଭ୍ରାନ୍ତ। କବି ଦେବଦାସଙ୍କ ଆଲେଖ୍ୟରେ ତରଳ ଗାମ୍ଭୀର୍ଯ୍ୟ ଓ ଝୁରିହବା ପଣ ଏବଂ ଶେଷରେ ସୂର୍ଯ୍ୟ ଦେଓଙ୍କ କିଛି ପୃଷ୍ଠାର ମନଛୁଆଁ ଗଦ୍ୟ ଏହି ଗୀତ ବହିଟିକୁ ଉଜ୍ଜ୍ବଳ କରିଛି।
ଦୁର୍ଭାଗ୍ୟବଶତଃ ଉପକ୍ରମଣିକାରେ ଗୀତିକାର ଅକ୍ଷୟ ମହାନ୍ତିଙ୍କ ଐତିହାସିକ ଗୀତ ‘ସ୍ମୃତି ତୁମେ, ତୁଠ ପଥରରେ ଫିକା ଅଳତାର ଦାଗ….’ର କିଛି ଧାଡ଼ିରେ ମୁଦ୍ରଣ ତ୍ରୁଟି ରହିଛି, ବହିଟିର ଭିତରେ ଓ ବାହାରେ ଭିନ୍ନ ଭିନ୍ନ ଦର ମଧ୍ୟ ଲେଖାଯାଇଛି। ଆଶା ଆଗାମୀ ସଂସ୍କରଣରେ ପ୍ରକାଶକ ଏଥିପ୍ରତି ଧ୍ୟାନ ଦେବେ।
ଯାହା ବେଶି ଆକୃଷ୍ଠ କରୁଛି; ବହିଟିର ଶେଷ ଆଡ଼କୁ ସମସ୍ତ ୧୦୦ଟି ଗୀତର ‘ପ୍ରଥମ ଧାଡ଼ି’ ଲେଖାଯାଇଛି। ଏହା ବ୍ୟତୀତ ଅନେକ ଗୀତରେ ନୂଆ ଧାଡ଼ିସବୁ ଅଛି, ଯାହା ସିନେମା ଗୀତରେ ବ୍ୟବହାର କରାଯାଇ ନାହିଁ।
ତେଣୁ ଓଠରେ ଯାହା ଦୀର୍ଘସ୍ଥାୟୀ, ତା’ ହେଉଛି ପସନ୍ଦର ଗୀତ ଏବଂ ପ୍ରତ୍ୟେକଟି ସକାଳକୁ ଯା’ ସ୍ବର ଦିଏ, ତା’ ଏସବୁ ଗୀତର ଗୁଣୁଗୁଣୁ। ବହିଟି ସିନେମା ଗୀତର ରସିକମାନଙ୍କୁ ନିଜ ପସନ୍ଦର ଗୀତ ସବୁକୁ , ଭିଡିଓରେ ହେଉ ଅବା ଏକାନ୍ତରେ ହେଉ, ଗୁଣୁଗୁଣେଇବାର ଯଥେଷ୍ଟ ଖୋରକ୍ ଦେବ।
Comments are closed.