Odisha Link
Bridging the Missing Links in Odisha

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର: ସାରା ବିଶ୍ବକୁ ଚହଲାଇ ଦେଇଥିବା ମହାମାରୀ କରୋନା ଭାଇରସ୍‌ ଓଡ଼ିଶାରେ ବି ନିଜର ଉପସ୍ଥିତି ଜାହିର କରିଛି। ରବିବାର ଦିନ ଭୁବନେଶ୍ବରରେ ପ୍ରଥମ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛି। ରାଜ୍ୟରେ ଆଗରୁ ବହୁ ସନ୍ଦିଗ୍ଧ ରୋଗୀ ମିଳିଥିଲେ ବି ସମସ୍ତଙ୍କର ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷଣ ପରେ ନେେଗେଟିଭ୍‌ ବୋଲି ଜଣାପଡ଼ିଥିଲା। ପ୍ରଥମ ଥର ପାଇଁ ଗତକାଲି ଏହି ଯୁବକଙ୍କ ଠାରେ କରୋନା ଭୂତାଣୁର ସନ୍ଧାନ ମିଳିଛି। ସେ ବିଦେଶରେ ରହୁଥିଲେ, ୯ ଦିନ ତଳେ ଦିଲ୍ଲୀ ଆସିଥିବା ବେଳେ ୪ ଦିନ ତଳେ ଓଡ଼ିଶା ଫେରିଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ୍‌ ଓ୍ବାର୍ଡରେ ରଖାଯାଇଛି।

ଯୁବକଙ୍କ ବୟସ ୩୧ ଓ ଘର ଭୁବନେଶ୍ବରରେ। ସେ ଇତାଲିରେ ରହନ୍ତି। ଚଳିତ ମାସ ୬ ତାରିଖରେ ସେ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ। ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କର ସ୍କ୍ରିନିଂ କରାଯାଇଥିଲା। ଅନ୍ୟମାନଙ୍କ ସହ ତାଙ୍କୁ ୧୧ ତାରିଖ ଯାଏଁ ଖ୍ବାରାଣ୍ଟିନ୍‌ରେ ରଖାଯାଇଥିଲା। ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଟ୍ରେନ୍‌ ଯୋଗେ ଆସି ୧୨ ତାରିଖ ସଂଧ୍ୟାରେ ସେ ଭୁବନେଶ୍ବରରେ ପହଞ୍ଚିଥିଲେ। ଭୁବନେଶ୍ବରରେ ତାଙ୍କୁ ଥଣ୍ଡା ଓ ଜ୍ବର ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇଥିଲେ। ଔଷଧର କୌଣସି ସୁଫଳ ନ ମିଳିବାରୁ ଗତକାଲି ସେ କ୍ୟାପିଟାଲ୍‌ ହସ୍ପିଟାଲ ଆସିଥିଲେ।

ଯୁବକ ଜଣଙ୍କ ଚିକିତ୍ସା ଇତିହାସ ଅନୁଧ୍ୟାନ କରିବା ପରେ ଓ ସେ ଇତାଲିରୁ ଫେରିଛନ୍ତି ବୋଲି ଜାଣିବା ପରେ ଡାକ୍ତରଖାନା କର୍ତୃପକ୍ଷ କରୋନା ସନ୍ଦେହ କରି ତାଙ୍କର ରକ୍ତ ଓ ସ୍ବାବ୍‌ ପରୀକ୍ଷା ପାଇଁ ପଠାଇଥିଲେ। ସଂଧ୍ୟାରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଯୁବକଜଣକ କରୋନା ଭୂତାଣୁ (କୋଭିଡ୍-୧୯) ଦ୍ବାରା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କୁ ତୁରନ୍ତ କ୍ବାରାଣ୍ଟିନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି।
ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ଓ ଜ୍ବର ଛାଡ଼ିଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ଦୁଇଦିନ ଘରେ ଥିବାରୁ ତାଙ୍କ ବାପା ଓ ଘରର କର୍ମଚାରୀଙ୍କର ମଧ୍ୟ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି। ଅନୁରୂପ ଭାବେ ସେ ଯେଉଁ ନିର୍ଦ୍ଦିଷ୍ଟ ବଗିରେ ଦିଲ୍ଲୀରୁ ଫେରିଥିଲେ ସେଥିରେ କେଉଁମାନେ ତାଙ୍କ ପାଖରେ ବସିଥିଲେ ସେମାନଙ୍କୁ ଚିହ୍ନଟ କରାଯାଇ ପରୀକ୍ଷା କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି।
ଏ ଘଟଣା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି। ଟ୍ରେନ୍‌ ଓ ବିମାନ ଯୋଗେ ବାହାରୁ ଆସୁଥିବା ଯାତ୍ରୀଙ୍କ ତନଖି ଅଧିକ କଡ଼ାକଡ଼ି କରାଯାଇଛି।

Comments are closed.