Odisha Link
Bridging the Missing Links in Odisha

କରୋନା: ୧୨୩୯ ଜଣ ବିଦେଶ ଫେରନ୍ତା ପଞ୍ଜୀକରଣ କରିଛନ୍ତି

ଭୁବନେଶ୍ବର: ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବା ପାଇଁ ଗତକାଲି ରାଜ୍ୟସରକାର ‘୧୦୪’ ହେଲ୍ପଲାଇନ୍ ନମ୍ବର ସହ କୋଭିଡ୍ ୧୯ ପୋର୍ଟାଲ ଜାରି କରିଥିଲେ।ଆଜି ସଂଧ୍ୟା ସୁଦ୍ଧା ୧୨୩୯ ଜଣ ବିଦେଶ ଫେରନ୍ତା ସେମାନଙ୍କର ନାମପଞ୍ଜୀକରଣ କରିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂପର୍କିତ ସୂଚନା ଦେଉଥିବା ୧୦୪ ହେଲପ୍‌ଲାଇନ୍‌କୁ ୧୦ ହଜାର କଲ୍‌ ଆସିଛି। ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକ ଭାବେ ଧନ୍ୟବାଦ ଜଣାଉଛି ଯେ, କରୋନା ଭାଇରସକୁ ସମସ୍ତେ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ବିଦେଶ ଫେରନ୍ତାଙ୍କ ଚିହ୍ନଟ ଲାଗି ଉଦ୍ଦିଷ୍ଟ ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟ କରୁଛି। ୫୫୪ ଜଣ କଲ ସେଣ୍ଟରରେ ପଞ୍ଜୀକରଣ କରିଥିବା ବେଳେ ୬୮୫ ଜଣ ୱେବସାଇଟକୁ ଆସି ନାମ ପଞ୍ଜିକରଣ କରିଛନ୍ତି। ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲରେ ୫୪୬ଟି ଆଇସୋଲେସନ୍‌ ଶଯ୍ୟା ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ କର୍ଣ୍ଣର ତିଆରି ପାଇଁ ଘରୋଇ ହସ୍ପିଟାଲକୁ କୁହାଯାଇଛି। ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, ଓଡ଼ିଶାରେ ୩୨ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିରୁ ୩୧ଟି ନେଗେଟିଭ ବାହାରି ଥିବା ଗୋଟିଏ ପଜେଟିଭ ବାହାରିଛି। ଏଥିସହ ଓଡ଼ିଶାରେ ଥିବା କରୋନା ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ଅଛି ବୋଲି ସେ କହିଛନ୍ତି।

ଏଥିସହ ଗତକାଲି ବିଶ୍ୱର ୧୫୭ଟି ରାଷ୍ଟ୍ରକୁ କରୋନା ଆକ୍ରାନ୍ତ କରିଥିବା ବେଳେ ଆଜି ଏହି ସଂଖ୍ୟା ୧୬୨ରେ ପହଞ୍ଚିଛି। ସେହିପରି ଗତକାଲି ସୁଦ୍ଧା ସମଗ୍ର ବିଶ୍ୱରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧,୭୦,୧୮୭ ରହିଥିବା ବେଳେ ଆଜି ଏହା ୧,୮୩,୧୧୬କୁ ବୃଦ୍ଧି ପାଇଛି। କରୋନା ଦ୍ୱାରା ବିଶ୍ୱର ସର୍ବାଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ରଗୁଡ଼ିକ ହେଲେ, ଚୀନ୍‌, ଇରାନ୍‌, ଇଟାଲୀ, ସ୍ପେନ୍‌ ଓ ଦକ୍ଷିଣ କୋରିଆ।

Comments are closed.