କରୋନା: ଭୁବନେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ଝାରସୁଗୁଡ଼ାରେ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ବ୍ୟବସ୍ଥା

ଭୁବନେଶ୍ବର: ଏକଦା ଦିଲ୍ଲୀରେ ପ୍ରଦୂଷଣ କମ୍ କରିବା ପାଇଁ କେଜ୍ରିଓ୍ବାଲ ସରକାରଙ୍କ ପକ୍ଷରୁ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ ବ୍ୟବସ୍ଥା ଲାଗୁ କରାଯାଇଥିବା ବେଳେ ଏବେ କରୋନା ଭୂତାଣୁ ସଂକ୍ରମଣ କମ କରିବା ଲକ୍ଷ୍ୟରେ ସମାନ ପନ୍ଥା ଆପଣେଇଛନ୍ତି ଓଡ଼ିଶା ସରକାର।
ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ଥିବା ଗାଡ଼ି ଓ ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଥିବା ଗାଡ଼ି ଚାଲିବ। ଅର୍ଥାତ୍ ମନେକର ଆପଣଙ୍କ ଗାଡ଼ିର ପଞ୍ଜିକରଣ ନମ୍ବର ୨୩୪୫। ଏହା କେବଳ ୧, ୩, ୫, ୭, ୯, ୧୧, ୧୩, ୧୫, ୧୭ …. ୨୯, ୩୧ ଭଳି ଅଯୁଗ୍ମ ତାରିଖରେ ରାସ୍ତାରେ ଚାଲିପାରିବ। ସେହିପରି ଗାଡ଼ିର ଯଦି ୬୭୫୨ ଭଳି ଯୁଗ୍ମ ନମ୍ବର ଥାଏ ତେବେ ଏହା ୨, ୪, ୬, ୮ ୧୦, ୧୨, ୧୪ …. ୨୬, ୨୮, ୩୦ ଭଳି ଯୁଗ୍ମ ତାରିଖରେ ଚାଲିପାରିବ।
ଆଜି ଠାରୁ ରାଜ୍ୟ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ଆଉ ୪ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଜରୁରୀକାଳୀନ ସେବାରେ ନିୟୋଜିତ ଗାଡ଼ି ବ୍ୟତୀତ ଏହି ବ୍ୟବସ୍ଥା ଟ୍ୟାକ୍ସି, ଅଟୋରିକ୍ସା ତଥା ସମସ୍ତ ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ଲାଗୁ କରାଯାଇଛି।
କେନ୍ଦୁଝର ଜିଲ୍ଲା ପ୍ରଶାସନ ୫ଟି ପୌରାଞ୍ଚଳରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରିଛି। ଏଠାରେ ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଅଧାରରେ ଗାଡ଼ି ଚଳାଚଳ ପାଇଁ ଅନୁମତି ଦିଆଯାଇଛି।
ମୟୂରଭଞ୍ଜ ଜିଲ୍ଲାର ୪ଟି ଏନ୍ଏସି- ବାରିପଦା, ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆରେ ମଧ୍ୟ ଜିଲ୍ଲାପାଳ ଯୁଗ୍ମ-ଅଯୁଗ୍ମ କଟକଣା ଲାଗୁ କରିଛନ୍ତି।
ଭଦ୍ରକ ଜିଲ୍ଲାର ପୌରାଞ୍ଚଳର ଅଟୋ ଚଳାଚଳ ଉପରେ ମଧ୍ୟ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଯୁଗ୍ମ ତାରିଖ ଦିନ ଯୁଗ୍ମ ନମ୍ବରବିଶିଷ୍ଟ ଏବଂ ଅଯୁଗ୍ମ ତାରିଖ ଦିନ ଅଯୁଗ୍ମ ସଂଖ୍ୟାବିଶିଷ୍ଟ ଅଟୋ ଚଳାଚଳ କରିବ।
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ମଧ୍ୟ ପୌରାଞ୍ଚଳରେ ଯାନବାହାନ ଚଳାଚଳ ନିମନ୍ତେ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିବା ସୂଚନା ମିଳିଛି।
Comments are closed.