ସମସ୍ତେ ମିଶି ମହାମାରୀ କରୋନାର ମୁକାବିଲା କରିବା: ସୁବ୍ରତ ବାଗଚୀ

ଭୁବନେଶ୍ବର: ଦିନକୁ ଦିନ ଭାରତରେ କାୟା ମେଲାଉଛି କରୋନା ଭାଇରସ୍। ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ମୁଖପାତ୍ର ସୁବ୍ରତ ବାଗ୍ଚୀ କହିଛନ୍ତି ଯେ, ଯେଉଁ ଓଡ଼ିଆମାନେ ଅନ୍ୟ ରାଜ୍ୟରୁ ଅଥବା ବିଦେଶରୁ ଆସିଛନ୍ତି, ସେମାନଙ୍କ ମଧ୍ୟରେ କରୋନା ଆକ୍ରାନ୍ତ ଥାଇ ପାରନ୍ତି। ସେଥିପାଇଁ ରାଜ୍ୟ ସରକାର ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଛନ୍ତି। କରୋନାକୁ ମୁକାବିଲା କରିବା ପାଇଁ ଡରିଯିବା ନାହିଁ। ଏହି ଯୁଦ୍ଧରେ ଆମକୁ ବିଜୟୀ ହେବାର ଦରକାର ଅଛି।
ସେ ଆହୁରି କହିଛନ୍ତି ଯେ, ଓଡ଼ିଶାକୁ ୮୪ ହଜାର ଓଡ଼ିଆ ଫେରିଛନ୍ତି। ଏମାନେ ଅନ୍ୟ ରାଜ୍ୟ ଅଥବା ବିଦେଶରେ ବିଭିନ୍ନ କାମ କରୁଥିଲେ। ଭାରତ ଲକ୍ଡାଉନ୍ ହେବା ପୂର୍ବରୁ ଏମାନେ ଫେରିଆସିଛନ୍ତି। କିନ୍ତୁ ଏହି ସମସ୍ତଙ୍କୁ ସଙ୍ଗରୋଧରେ ରଖିବା ଦରକାର। ଏହା ନ ହେଲେ କାରାନା ସଂକ୍ରମଣ ବଢ଼ିବା ଆଶଙ୍କା ସୃଷ୍ଟି ହେବ। ବାହାର ଫେରନ୍ତାଙ୍କ ସଂଖ୍ୟାକୁ ଆଖିରେ ରଖି ପଞ୍ଚାୟତ ସ୍ତରରେ ରାଜ୍ୟ ସରକାର ୭୨୭୬ଟି ସଙ୍ଗରୋଧ ସୁବିଧା ପ୍ରସ୍ତୁତ ହୋଇଛି ବୋଲି ଆଜି ସୂଚନା ଦେଇଛନ୍ତି ସୁବ୍ରତ ବାଗଚୀ।
ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୬୪ଟି ପରୀକ୍ଷା ନମୁନା ହସ୍ତଗତ ହୋଇଛି। ଏଥିରୁ ୨ଟି ପଜିଟିଭ ବାହାରିଛି। ନୂଆ ପଜିଟିଭ ବାହାରି ନାହିଁ। ଯେଉଁ ୨ ଜଣ ପଜିଟିଭ ଅଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ସେମାନେ ୫୫ ଜଣ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସମସ୍ତଙ୍କ ସହିତ ଯୋଗାଯୋଗ କରାଯାଇଛି। ସେହିଭଳି ବିଦେଶରୁ ଆସିଥିବା ୪୨୪୯ ଜଣ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୩୪ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। କରୋନା ନିୟମ ଉଲଂଘନ କରିବା ଯୋଗୁଁ ୪୦୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏଥିରେ ଲକ୍ଡାଉନ ନିୟମ ଉଲଂଘନ ଯୋଗୁଁ ୩୮୦ଟି ମାମଲା ରୁଜୁ ହୋଇଛି। ସେହିଭଳି ହୋମ୍ କ୍ୱାରେଣ୍ଟାଇନ ନିୟମ ଉଲଂଘନ କରିବା ଯୋଗୁଁ ୧୪ଟି ମାମଳା ଅନ୍ତର୍ଭୁକ୍ତ ହୋଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୁବ୍ରତ ବାଗଚୀ।