ଆସନ୍ତା ୪୮ ଘଣ୍ଟା ଜଟିଳ: ନିଜାମୁଦ୍ଦିନ ଲିଙ୍କ ନେଇ ଜିଲ୍ଲାପାଳଙ୍କୁ ଏମିତି କହିଲେ ପାଣ୍ଡିଆନ୍
ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ୩ ଜଣ ନିଜାମୁଦ୍ଦିନ ମର୍କାଭ ଫେରନ୍ତା କୋଭିଡ୍ ପଜିଟିଭି ମିଳିବା ପରେ ସରକାରଙ୍କ ତତ୍ପରତା ବଢ଼ିଯାଇଛି। ରାଜ୍ୟରେ ନିଜାମୁଦ୍ଦିନ-ସମ୍ପର୍କ ନେଇ ଅଧିକ ସକ୍ରିୟ ହେବାକୁ ଜିଲ୍ଲାପାଳମାଡ଼ଭ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍।
ନିଜାମୁଦ୍ଦିନ ମର୍କାଜା ଫେରନ୍ତାଙ୍କୁ ଖୋଜି ବାହାର କରିବା ରାଜ୍ୟ ଓ ଦେଶପାଇଁ ଏକ ଆହ୍ବାନ ପାଲଟିସାରିଲାଣି ବୋଲି ପାଣ୍ଡିଆନ କହିଛନ୍ତି। ଏ ନେଇ ସନ୍ଦିଗ୍ଧ ବ୍ୟକ୍ତି ସ୍ବତଃ ସାମନାକୁ ଆସି ୧୦୪କୁ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ବିନମ୍ର ନିବେଦନ କରି ସାରିଛନ୍ତି। ପାଣ୍ଡିଆନ କହିଛନ୍ତି ଯେ ଏଭଳି ବ୍ୟକ୍ତିଙ୍କୁ ରାଜ୍ୟ ସମସ୍ତ ସୁରକ୍ଷା ଯୋଗାଇ ଦେବ। ସେମାନଙ୍କ ପରୀକ୍ଷଣ ଓ ଚିକିତ୍ସା କରିବା ସହ ସେମାନଙ୍କ ପରିବାରର ଯତ୍ନ ମଧ୍ୟ ରାଜ୍ୟ କରିବ।
ପ୍ରଶାସନ, ପୁଲିସ ଓ ସ୍ବାସ୍ଥ୍ୟ ବିଭାଗ ଏବେ ଏଭଳି ଲୋକଙ୍କୁ ଖୋଜି ବାହାର କରିବା ସହ ପରୀକ୍ଷଣ ପାଇଁ ବୁଝାଉଛି। ଜିଲ୍ଲାପାଳ ଓ ଏସ୍ପିମାନେ ନିଜ ଅଞ୍ଚଳର ଧର୍ମୀୟ ନେତାମାନଙ୍କୁ ବାରମ୍ବାର ଅନୁରୋଧ କରି ମର୍କାଜ୍-ଫେରନ୍ତାଙ୍କୁ ଆଗେଇ ଆସିବାକୁ ପ୍ରଚୋଦିତ କରନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି। ପ୍ରଶାସନ ଓ ପୁଲିସ ନିଜର ସମସ୍ତ ସୂତ୍ର ବ୍ୟବହାର କରି ଏଭଳି ଲୋକଙ୍କୁ ଚିହ୍ନଟ କରାଇବା ସହ ସେମାନଙ୍କ ମନୋବଳ ବଢ଼ାନ୍ତୁ ବୋଲି ସେ କହିଛନ୍ତି।
ଏଥିରେ ବିଳମ୍ବ ହେଲେ ମର୍କାଜ୍-ଫେରନ୍ତାଙ୍କ ସମେତ ସେମାନଙ୍କ ପରିବାର ଓ ରାଜ୍ୟକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଆସନ୍ତା ୪୮ ଘଣ୍ଟା ସବୁଠୁ ଅଧିକ ଜଟିଳ ହେବ ଓ ଆମେ ଏଥିରୁ ମୁକ୍ତି ପାଇପାରିବା ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ।
Comments are closed.