‘ଜନତା ଦେଶକୁ ରକ୍ଷା କରିଛନ୍ତି, ବାବା ସାହେବଙ୍କ ଜନ୍ମ ଦିନରେ ଏହା ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳି’

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍ଡାଉନ୍ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଦ୍ବାରା ଘୋଷଣା କରିଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦେଶବାସୀଙ୍କ ହିତକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ମୋଦି କହିଛନ୍ତି।
ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ମହାମାରୀ କରୋନା ମୁକାବିଲା ଭାରତ ଭଲ ଭାବେ କରୁଛି। ଦେଶବାସୀଙ୍କ ତ୍ୟାଗ ପାଇଁ ଭାରତ କରୋନା ସଂକ୍ରମଣକୁ କମ କରିଛି। ଜନତା ଦେଶକୁ ରକ୍ଷା କରିଛନ୍ତି। ଅନେକ ଅସୁବିଧାରେ ମଧ୍ୟ ଜନତା ସାମ୍ନା କରୁଛନ୍ତି। ଏଥିପାଇଁ ମୁଁ ଜନତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୋଦି କହିଛନ୍ତି। ଆହୁରି ମୋଦି କହିଛନ୍ତି ଯେ, ଦେଶବାସୀ ୨୧ ଦିନିଆ ଲକ୍ଡାଉନ୍ର ନିୟମ ପାଳନ କରି ସମ୍ବିଧାନରେ ଥିବା ‘We The People’ (ଆମେ ଲୋକ)ର ଶକ୍ତି ଦେଖାଇଛନ୍ତି। ଆଜି ବାବା ସାହେବ ଆମ୍ବେଦକରଙ୍କ ଜନ୍ମଦିନରେ ଏହା ହେଉଛି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମୋଦି କହିଛନ୍ତି।
ମୋଦି ଆହୁରି କହିଛନ୍ତି ଯେ, ଦେଶବାସୀଙ୍କ ଧୈର୍ଯ୍ୟ ପାଇଁ ଆମେ କିଛି କ୍ଷେତ୍ରରେ କରୋନାକୁ ରୋକିବାରେ ସକ୍ଷମ ହୋଇପାରିଛୁ। ଆପଣମାନେ କଷ୍ଟ ସହିଥିବାରୁ ଦେଶ ବର୍ତ୍ତି ଯାଇଛି। ଅନେକ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଛି। ହେଲେ ଲକଡାଉନ ବେଳେ ଲୋକମାନେ ଏହି ପର୍ବକୁ ଘର ଭିତରେ ରହି ପାଳନ କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।
ଏହି ସଙ୍କଟକୁ ଅନ୍ୟ କୌଣସି ଦେଶ ସହ ତୁଳନା କରିବା ଅନୁଚିତ। ଶକ୍ତିଶାଳୀ ଦେଶ ଅନୁସାରେ ଭାରତର ସ୍ଥିତି ଭଲ ରହିଛି। ଗୋଟିଏ ମାସ ପୂର୍ବରୁ ଅନେକ ଦେଶ କରୋନା ସଂକ୍ରମଣ ମାମଲାରେ ଭାରତ ସହ ସମାନ ଥିଲେ। କିନ୍ତୁ ଏବେ ସେହି ଦେଶରେ କରୋନା ତାଣ୍ଡବ ରଚିଛି। ୨୫ରୁ ୩୦ ଗୁଣା ବୃଦ୍ଧି ପାଇଛି। ହଜାର ହଜାର ବ୍ୟକ୍ତି ପ୍ରାଣ ହରାଉଛନ୍ତି। ତେବେ ଭାରତ ନେଇଥିବା କଡା ନିଷ୍ପତ୍ତି ପାଇଁ ସ୍ଥିତି ଭଲ ରହିଛି। ସାମାଜିକ ଦୂରତା ଓ ଲକଡାଉନ ଜରୁରୀ ଅଟେ ବୋଲି ମୋଦି କହିଛନ୍ତି।
ଆର୍ଥିକ ଦୃଷ୍ଟିରୁ ଏହା ମହଙ୍ଗା ହେଲେ ମଧ୍ୟ ଭାରତବାସୀଙ୍କ ଜୀବନ ଆଗରେ ଏହାର ତୁଳନା ନାହିଁ ଏହି ପ୍ରୟାସ ସତ୍ୱେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯାହା ସରକାରଙ୍କୁ ସତର୍କ କରିଛି। ଭାରତରେ ମଧ୍ୟ କରୋନା ଲଢେଇ ପାଇଁ ରାଜ୍ୟ ସହ ଆଲୋଚନା ହୋଇଛି। ଅନେକ ଲକଡାଉନକୁ ବୃଦ୍ଧି କରିବା ପାଇଁ କହିଛନ୍ତି। କେତେକ ଏହାକୁ ଲାଗୁ ମଧ୍ୟ କରିଦେଇଛନ୍ତି। ସମସ୍ତଙ୍କ ପରାମର୍ଶକୁ ନଜରରେ ରଖି ଭାରତରେ ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି ବୋଲି ମୋଦି କହିଛନ୍ତି।
Comments are closed.